ବୈଷ୍ଣବ ଦେବୀ ଦର୍ଶନ ପାଇଁ ଯାଉଥିବା ଶ୍ରଦ୍ଧାଳୁଙ୍କ ବସ୍ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ । ଆତଙ୍କବାଦୀ ଆକ୍ରମଣରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୩ ଜଣ ଆହତ ହୋଇଛନ୍ତି । ବସରେ ୫୦ ରୁ ଅଧିକ ଯାତ୍ରୀ ଥିଲେ । ସଦ୍ୟ ସୂଚନା ମୁତାବକ ଏପର୍ଯ୍ୟନ୍ତ ୧୦ ଜଣ ଶ୍ରଦ୍ଧାଳୁଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ, ଆତଙ୍କବାଦୀମାନେ ବୈଷ୍ଣୋଦେବୀ ଯାଉଥିବା ତୀର୍ଥଯାତ୍ରୀମାନେ ଥିବା ଏକ ବସ୍ରେ ଗୁଳି ଚଳାଇ ରବିବାର ସନ୍ଧ୍ୟାରେ ଏପରି ଏକ କାଣ୍ଡ ରଚିଛନ୍ତି। ଏହି ଘଟଣା ସଂପର୍କରେ ଏବେ ପ୍ରତ୍ୟକ୍ଷଦର୍ଶୀମାନେ ଗଣମାଧ୍ୟମରେ ନିଜର ବୟାନ ଦେଇଛନ୍ତି।
ତେବେ ଇଣ୍ଡିଆ ଟୁଡେ ଟିଭି ସହ କଥାବାର୍ତ୍ତା ହେବାବେଳେ ସେହି ଘଟଣାକୁ ଅଙ୍ଗେ ନିଭାଇଥିବା ଜଣେ ବ୍ୟକ୍ତି ଆକ୍ରମଣର ଭୟଙ୍କର ବିବରଣୀ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ବସଟି ନିୟନ୍ତ୍ରଣ ହରାଇ ଟଳମଳ ହେବା ପରେ ବି ଆକ୍ରମଣକାରୀମାନେ ଅନେକ ସମୟ ପର୍ଯ୍ୟନ୍ତ ଗୁଳି ଚଳାଇଥିଲେ। ସେମାନେ ମାରିଥିବା ଗୁଳି ବସ୍ ଡ୍ରାଇଭର୍ ଉପରେ ନବାଜିବା ପର୍ଯ୍ୟନ୍ତ ସବୁ ଠିକ୍ ଥିଲା। ମାତ୍ର ବସ୍ ଡ୍ରାଇଭରଙ୍କ ଦେହରେ ଗୁଳି ବାଜିବାରୁ ସେ ନିୟନ୍ତ୍ରଣ ହରାଇ ବସିଥିଲେ। ନିୟନ୍ତ୍ରଣ ହରାଇବାରୁ ଗାଡିଟି ପାହାଡ଼ ତଳକୁ ପଡ଼ି ଯାଇଥିଲା। ଏହି ଘଟଣା ଘଟିବା ପରେ ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ଏକ ବିଶାଳ ସର୍ଚ ଅପରେସନ ଆରମ୍ଭ କରାଯାଇଛି। ଗୃହ ମନ୍ତ୍ରଣାଳୟ ସୂତ୍ରରୁ ଇଣ୍ଡିଆ ଟୁଡେ ଟିଭିକୁ ସୂଚନା ଦେଇଛି ଯେ ଏହି ଘଟଣାର ଅନୁସନ୍ଧାନ ପାଇଁ ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏନଆଇଏ)କୁ ଦାୟିତ୍ବ ଦିଆଯାଇଛି। ଫରେନସିକ୍ ସାଇନ୍ସ ଲାବୋରେଟୋରି (ଏଫ୍ଏସ୍ଏଲ୍)ର ଏକ ଟିମ୍ ମଧ୍ୟ ଏହି ଅପରେସନରେ ଯୋଗ ଦେଇଥିବା ବେଳେ ଜଙ୍ଗଲ ଅଞ୍ଚଳରେ ଖୋଜାଖୋଜି କରିବା ପାଇଁ ଡ୍ରୋନ୍ ବ୍ୟବହାର କରାଯାଉଛି।