Type Here to Get Search Results !

ହାତଯୋଡ଼ି ବିଜୁ ପରିବାରକୁ କ୍ଷମା ମାଗିଲେ ପାଣ୍ଡିଆନ

 



ଭୁବନେଶ୍ୱର:-

କାର୍ତ୍ତିକ ପାଣ୍ଡିଆନ ରବିବାର ସକ୍ରିୟ ରାଜନୀତିରୁ ଅବସର ଘୋଷଣା କରିଛନ୍ତି। ଭିଡିଓ ବାର୍ତ୍ତା ଜରିଆରେ ସେ ରାଜନୀତି ଛାଡ଼ିଥିବା ଘୋଷଣା କରିଛନ୍ତି। ଏହି ଭିଡିଓରେ ସେ କହିଛନ୍ତି, ମୋ' ପାଇଁ ବିଜୁ ଜନତା ଦଳ ବହୁତ କ୍ଷତି ସହିଛି। ନବୀନ ପଟ୍ଟନାୟକଙ୍କ ପ୍ରତି ମୋର ଯଥେଷ୍ଟ ସମ୍ମାନ ରହିଛି। ବିଜୁ ପରିବାରକୁ ମୁଁ ଏଥିପାଇଁ ହାତଯୋଡ଼ି କ୍ଷମା ମାଗୁଛି।

ବିଜେଡିର ପରାଜୟ ପରେ ପ୍ରଥମ ଥର ମୁହଁ ଖୋଲିଛନ୍ତି ପାଣ୍ଡିଆନ। ଭିଡିଓ ବାର୍ତ୍ତାରେ ହାତଯୋଡି ବିଜୁ ପରିବାରକୁ କ୍ଷମା ମାଗିଛନ୍ତି। ସେ କହିଛନ୍ତି, 'ମୁଁ ଗୋଟିଏ ଛୋଟ ଗାଁ ଓ ଭଲ ପରିବାରରୁ ଆସିଛି। ସବୁବେଳେ ଲୋକଙ୍କ ପାଇଁ କାମ କରିଛି। ୧୨ବର୍ଷ ତଳେ ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ଯୋଗ ଦେଇଥିଲି। ନବୀନଙ୍କୁ ସହାୟତା କରିବାକୁ ରାଜନୀତିକୁ ଓହ୍ଲାଇଥିଲି। ମୁଖ୍ୟମନ୍ତ୍ରୀଙ୍କ ପାଖରେ କାମ କରି ଅନେକ କିଛି ଶିଖିଛି। ମହାପ୍ରଭୁଙ୍କ କୃପାରୁ ଲୋକସେବାରେ ସଫଳ ହୋଇଛି।

ପୈତୃକ ସମ୍ପତ୍ତି ଛଡ଼ା ଅନ୍ୟ କେଉଁଠି ସମ୍ପତ୍ତି ନାହିଁ। ଚାକିରିର ୨୪ ବର୍ଷ ପରେ ମଧ୍ୟ ସେତିକି ହିଁ ସମ୍ପତ୍ତି ଅଛି। ମୋ ପ୍ରଚାର ଯୋଗୁ ଯଦି ବିଜେଡିକୁ କ୍ଷତି ପହଞ୍ଚିଛି, ସେଥିପାଇଁ ଦୁଃଖିତ। ମେଣ୍ଟରଙ୍କୁ ସହାୟତା ପାଇଁ ମୁଁ ଅବସର ନେଇ ବିଜେଡିରେ ମିଶିଥିଲି। ମୋ ଗୁରୁ ନବୀନ, ମୋ ନିଶ୍ବାସରେ ନବୀନ ପଟ୍ଟନାୟକ ହିଁ ରହିବେ ବୋଲି ପାଣ୍ଡିଆନ କହିଛନ୍ତି।

ଆଇଏଏସ୍‌ ଚାକିରି ଛାଡି ବିଜୁ ଜନତା ଦଳରେ ସାମିଲ ହୋଇଥିଲେ କାର୍ତ୍ତିକ ପାଣ୍ଡିଆନ । ଦଳର ଫ୍ରଣ୍ଟ ଲାଇନରେ ରହି ନିର୍ବାଚନ ପରିଚାଳନା କରୁଥିଲେ । ରାଜ୍ୟ ସାରା ବିଜେଡି ପକ୍ଷରୁ କ୍ୟାମ୍ପେନିଂ କରୁଥିଲେ । କିନ୍ତୁ ଦଳ ୨୪ ବର୍ଷ ପରେ ଶୋଚନୀୟ ପରାଜୟ ବରଣ କରିଥିଲା । ଆଉ ଦଳ ପରାଜୟର କାରଣ କେବଳ ପାଣ୍ଡିଆନ ବୋଲି ଅନେକ ଦଳୀୟ କର୍ମୀ ଖୋଲାଖୋଲି ଭାବେ ଅସନ୍ତୋଷ ଝାଡିଥିଲେ । ଦଳରେ ତାଙ୍କୁ ନେଇ ଅସନ୍ତୋଷ ବି ବଢୁଥିଲା । ତେବେ ପ୍ରଚାର ସମୟରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନ ହେଲେ ରାଜନୀତି ଛାଡିଦେବେ ବୋଲି କହିଥିଲେ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.