Type Here to Get Search Results !

ଭୁବନେଶ୍ବର ଝାରପଡ଼ା ଜେଲ୍‌ରୁ ସ୍ଥାନାନ୍ତର ହେବେ ୧୪୦ କଏଦୀ

 


ଭୁବନେଶ୍ବର:-

ଦିନକୁ ଦିନ ଝାରପଡ଼ା ଜେଲ୍‌ କଏଦୀଙ୍କ ସଂଖ୍ୟା ବଢ଼ିବାରୁ ସ୍ଥିତି ବିଗିଡ଼ିବାର ଲାଗିଛି। ସ୍ଥାନ ଅଭାବରୁ ସେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀଙ୍କୁ ରଖାଯାଉଛି। ଗୋଟିଏ ସ୍ଥାନରେ ମାତ୍ରାଧିକ କଏଦୀ ରହିବାରୁ ସେମାନେ ସେଠାରେ ଗୋଷ୍ଠୀ ତିଆରି କରୁଛନ୍ତି। ନିଶା କାରବାର ଠାରୁ ଆରମ୍ଭ କରି ଅପରାଧର ଷଡ଼ଯନ୍ତ୍ର ପ୍ରସ୍ତୁତ କରିବା ଭଳି ବିଭିନ୍ନ କାରଣକୁ ନେଇ ଅନେକ ସମୟରେ କଏଦୀଙ୍କ ମଧ୍ୟରେ ହାତାହାତି ଭଳି ଘଟଣା ଦେଖିବାକୁ ମିଳିଛି।

ଏମିତିକି ମାରପିଟ୍‌ ହୋଇ ରକ୍ତାକ୍ତ ହେଉଛନ୍ତି। ଯାହାକୁ ନେଇ ଏବେ ଚିନ୍ତାରେ ପଡ଼ିଛନ୍ତି ଜେଲ୍‌ କର୍ତ୍ତୃପକ୍ଷ। ତେଣୁ ଜେଲ୍‌ର କିଛି କଏଦୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଯୋଜନା କରାଯାଇଛି।

ତଥ୍ୟ ମୁତାବକ, ଝାରପଡ଼ା ସ୍ବତନ୍ତ୍ର କାରାଗାରରେ ୯୯୦ କଏଦୀ ରହିବା ପାଇଁ ବ୍ୟବସ୍ଥା ରହିଛି। ହେଲେ ଜେଲ୍‌ରେ ୧୪୪୦ କଏଦୀଙ୍କୁ ରଖାଯାଇଥିଲା। ବିଭିନ୍ନ ସମୟରେ କଏଦୀଙ୍କ ମଧ୍ୟରେ ଗଣ୍ଡଗୋଳ ଯୋଗୁଁ କେତେକଙ୍କୁ ସିସିଟିଭିରୁ ଚିହ୍ନଟ କରାଯାଇ କଟକ, ଆଠଗଡ଼, ବାଣପୁର, ନିମାପଡ଼ା ଓ ପୁରୀ ଜେଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ବର୍ତ୍ତମାନ‌ ଜେଲ୍‌ରେ ୧୨୩୦ କଏଦୀ ରହୁଥିବାରୁ। ପୂର୍ବଭଳି ସମାନ ସ୍ଥିତି ଦେଖିବାକୁ ମିଳୁଛି। ‌କିଛିଦିନ ତଳେ ଦୋଷୀସାବ୍ୟସ୍ତ ହୋଇଥିବା ୩୦ କଏଦୀଙ୍କୁ ଆଠଗଡ଼ ପଠାଯାଇଥିବା ବେଳେ ଦୁଇ ଦିନ ତଳେ ୩ଜଣଙ୍କୁ କଟକ‌ ଜେଲ୍‌କୁ ପଠାଯାଇଛି। ଏହା ସତ୍ତ୍ବେ ମଧ୍ୟ ଜେଲ୍‌ରେ ବିଶୃଙ୍ଖଳା ଦେଖାଦେଉଛି। ଏବେ ବି ଜେଲ୍‌ରେ ୧୨୩୦ କଏଦୀ ଅଛନ୍ତି। ସେଥିରୁ ୧୪୦ଜଣଙ୍କୁ ପୁରୀ, ନିମାପଡ଼ା ଓ ବାଣପୁର ପଠାଇବାକୁ ଜେଲ୍‌ ପକ୍ଷରୁ କୋର୍ଟକୁ ଚିଠି କରାଯାଇଛି।

ଗତ ମାର୍ଚ୍ଚ ୧୭ ତାରିଖରେ ଜେଲ୍‌ରେ ନିଶା କାରବାରକୁ ନେଇ ଦୁଇ ଅପରାଧୀ ‌ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା। କୁଖ୍ୟାତ ଅପରାଧୀ ଚକରା ବାରିକ ଅନ୍ୟ ଏକ ୱାର୍ଡରେ ପଶି ଶମ୍ଭୁନାଥ ବାରିକ ଓ ତାର ସହ‌ଯୋଗୀଙ୍କୁ ଆକ୍ରମଣ କରିଥିଲା। ଆକ୍ରମଣ ଯୋଗୁଁ ଶମ୍ଭୁନାଥ ଗୁରୁତର ହୋଇଥିଲା। ବିଭାଗୀୟ ତଦନ୍ତ ‌ବେଳେ ମୁଖ୍ୟ କାରାରକ୍ଷୀ ଓ ୱାର୍ଡରଙ୍କ ଭୂମିକା କଥା ବି ପଦାକୁ ଆସିଥିଲା। ଆକ୍ରମଣ ଘଟଣାରେ ପ୍ରଭାତ ମହାରଣାଙ୍କ ଭୂମିକା ସ୍ପଷ୍ଟ ହୋଇଥିଲା। କାରଣ କୁଖ୍ୟାତ ଅପରାଧୀ ଚକରା ରହୁଥିବା ୱାର୍ଡ ଦାୟିତ୍ବରେ ପ୍ରଭାତ ରହିଥିଲେ। ଘଟଣାଦିନ ଚକରା ଓ ତାର ସହଯୋଗୀ ନିଜ ୱାର୍ଡ ଛାଡ଼ି ଅନ୍ୟ ୱାର୍ଡରେ ରହୁଥିବା ଶମ୍ଭୁନାଥ ୱାର୍ଡରେ ପଶି ତାଙ୍କୁ ଆକ୍ରମଣ କରି ରକ୍ତାକ୍ତ କରିଥିଲେ। କିଭଳି ଗୋଟିଏ ୱାର୍ଡରୁ ଅନ୍ୟ ୱାର୍ଡକୁ ଗଲେ। ଏସବୁର ସିସିଟିଭି ଫୁଟେଜ୍‌ ଯାଞ୍ଚ ବେଳେ ଘଟଣା ପଦାକୁ ଆସିଥିଲା ଯେ ପ୍ରଭାତ ହିଁ ଚକରାକୁ ଅନୁକମ୍ପା ଦେଖାଇ ଛାଡ଼ିଥିଲେ।

ସେହିପରି ଗତ ମାର୍ଚ୍ଚ ୨୦ ତାରିଖ ଭୋର ସମୟରେ କମିସନରେଟ୍‌ ପୁଲିସ ପକ୍ଷରୁ ଜେଲ୍‌ରେ ଚଢ଼ଉ ଦିନ ବିଭିନ୍ନ ସେଲ୍‌ରୁ ବିପୁଳ ପରିମାଣର ନିଶାଦ୍ରବ୍ୟ ଜବତ କରାଯାଇଥିବା ବେଳେ ରାତ୍ରି ଡ୍ୟୁଟିରେ ଚିଫ୍‌ ୱାର୍ଡର ମଙ୍ଗୁଳି ସେଠୀ ଥିଲେ। ସେ ଦାୟିତ୍ବରେ ଥିବା ବେଳେ କିଭଳି ଜେଲ୍‌ ଭିତରକୁ ନିଶାଦ୍ରବ୍ୟ ପଶିଲା ସେ ନେଇ ଆରମ୍ଭ ହୋଇଥିଲା ତନାଘନା। ସିସିଟିଭି ଫୁଟେଜ୍‌ ଓ ଜେରା ବେଳେ ମଙ୍ଗୁଳିଙ୍କ ଭୂମିକା ପଦାକୁ ଆସିଥିଲା। ଜେଲ୍‌ ଡିଜିଙ୍କ ନିର୍ଦ୍ଦେଶ କ୍ରମେ ଡିଆଇଜି ଅନୁସୟା ଜେନା ଓ ବରିଷ୍ଠ ମଣ୍ଡଳ କାରାଗାର ଅଧୀକ୍ଷକ ଧୀରେନ୍ଦ୍ର ନାଥ ବାରିକ ଘଟଣାର ତଦନ୍ତ କରି ରିପୋର୍ଟ ଦାଖଲ କରିଥିଲେ। ତଦନ୍ତ ରିପୋର୍ଟ ଆଧାରରେ ଡିଜି ଏଏମ୍‌କେ ପ୍ରସାଦ ପ୍ରଭାତଙ୍କୁ ଚାକିରିରୁ ନିଲମ୍ବନ କରିଥିବା ବେଳେ ମଙ୍ଗୁଳିଙ୍କୁ ନିମାପଡ଼ା ଜେଲ୍‌କୁ ବଦଳି କରିଛନ୍ତି। ଏହାଛଡ଼ା ବିଶୃଙ୍ଖଳା ଘଟାଇଥିବା କଏଦୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଚିଠି ହୋଇଥିଲା।

Post a Comment

0 Comments
* Please Don't Spam Here. All the Comments are Reviewed by Admin.