Type Here to Get Search Results !

ଚାଷୀଙ୍କୁ 'କାଳିଆ' ଟଙ୍କା ମିଳିବ ନା ନାହିଁ: ବଢୁଛି ଦ୍ୱନ୍ଦ୍ୱ

 





ଭୁବନେଶ୍ୱର:-

ରାଜ୍ୟରେ ଭାଜପା ସରକାରଙ୍କ ପକ୍ଷରୁ ମଙ୍ଗଳବାର ଚାଷୀଙ୍କୁ ପିଏମ୍‌-କିଷାନ କିସ୍ତି ଟଙ୍କା ଦେବା ପାଇଁ ଉତ୍ସବ ପାଳନ କରୁଥିବାବେଳେ ବିଜେଡି ସରକାର ଅମଳରେ ଆରମ୍ଭ କରାଯାଇଥିବା 'କାଳିଆ' ଯୋଜନାର ଭବିଷ୍ୟତକୁ ନେଇ ଚାଷୀ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ସରକାର ବଦଳିବା ପରେ ଏହି ଯୋଜନାରେ ବର୍ଷକୁ ମିଳୁଥିବା ୨ଟି କିସ୍ତି (ଖରିଫ ଓ ରବି ଫସଲ ପୂର୍ବରୁ) ବାବଦ ୪ ହଜାର ଟଙ୍କାର ସହାୟତା ମିଳିବ କି ନାହିଁ ସେ ନେଇ ଆଶଙ୍କାରେ ରହିଛନ୍ତି।

କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କୁ ଆର୍ଥିକ ସହାୟତା ଯୋଗାଇଦେବାକୁ ବିଜେଡି ସରକାର ୨୦୧୮-୧୯ ଆର୍ଥିକ ବର୍ଷରେ କାଳିଆ ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନା ଅଧୀନରେ ପ୍ରତ୍ୟେକ ହିତାଧିକାରୀ ପରିବାରକୁ ବର୍ଷକୁ ୪୦୦୦ ଟଙ୍କା ଦିଆଯାଉଥିଲା। ଗତ ସାଧାରଣ ନିର୍ବାଚନ ପୂର୍ବରୁ ଅର୍ଥାତ୍‌ ୨୦୨୪ ମାର୍ଚ୍ଚ ୧୧ରେ କାଳିଆ ଯୋଜନାରେ ୪୫.୭୬ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ୯୩୩ କୋଟି ଟଙ୍କା ହସ୍ତାନ୍ତର କରାଯାଇଛି। ପରବର୍ତ୍ତୀ କିସ୍ତି ଜୁନ୍‌ ପ୍ରଥମ ସପ୍ତାହରେ ଚାଷୀଙ୍କୁ ମିଳିଥାଆନ୍ତା। ମାତ୍ର ରାଜ୍ୟରେ ସରକାର ବଦଳି ଯିବାରୁ ଏ ପର୍ଯ୍ୟନ୍ତ ଚାଷୀମାନେ ପରବର୍ତ୍ତୀ କିସ୍ତି ସହାୟତା ପାଇ ପାରି ନାହାନ୍ତି। ତେବେ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, କାଳିଆ ଯୋଜନା ବନ୍ଦ ହୋଇଯିବ ବୋଲି କିଛି କୁହାଯାଇନାହିଁ। ଏଥିସହ ସେ କହିଛନ୍ତି, ଗୋଟିଏ ରାଜ୍ୟରେ ୨ଟି ଯୋଜନା ସମାନ୍ତରାଳ ଭାବେ ଚାଲିପାରିବନି। ତେଣୁ ଖୁବ୍‌ଶୀଘ୍ର ରାଜ୍ୟବାସୀ ପିଏମ୍‌-କିଷାନ ଯୋଜନାର ଲାଭ କିପରି ଅଧିକରୁ ଅଧିକ ଉଠାଇବେ, ସେ ନେଇ ଯୋଜନା କରାଯାଉଛି। ନିର୍ବାଚନକୁ ଦୃଷ୍ଟିରେ ରଖି ପୂର୍ବ ସରକାର ଏହି କାଳିଆ ଯୋଜନା ଆରମ୍ଭ କରିଥିଲେ। କିନ୍ତୁ କମ୍‌ ଲୋକ ଏହାର ଫାଇଦା ପାଇଛନ୍ତି। ଏବେ ବି ଅନେକ ଲୋକ ଅଛନ୍ତି, ଯେଉଁମାନେ ଏହାର ଲାଭ ପାଇ ପାରିନାହାନ୍ତି ବୋଲି ସିଂଦେଓ କହିଛନ୍ତି। ଅନ୍ୟପକ୍ଷରେ କୃଷି ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ କାଳିଆ ଯୋଜନା ନେଇ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇନାହିଁ। ସରକାରଙ୍କ ନିର୍ଦ୍ଦେଶ ଆସିବା ପରେ ଯାହା କିଛି ହେବ।
ସୂଚନାଯୋଗ୍ୟ ଯେ ରାଜ୍ୟର ୪୦.୯ ଲକ୍ଷ ଚାଷୀ ପରିବାରଙ୍କୁ ପିଏମ୍‌-କିଷାନ ଯୋଜନାରେ ବାର୍ଷିକ ୩ଟି କିସ୍ତିରେ ୬ ହଜାର ଟଙ୍କା ଦିଆଯାଉଥିବା ବେଳେ କାଳିଆ ଯୋଜନାରେ ୨ଟି କିସ୍ତିରେ ୪ ହଜାର ଟଙ୍କା ଦିଆଯାଉଛି। ୨୦୧୮-୧୯ରୁ ଆରମ୍ଭ ହୋଇଥିବା କାଳିଆ ଯୋଜନାରେ ୧୩ଟି କିସ୍ତି ବାବଦରେ ଏପର୍ଯ୍ୟନ୍ତ ୪୫.୭୬ ଲକ୍ଷ ଚାଷୀ ପରିବାରଙ୍କୁ ମୋଟ ପ୍ରାୟ ୧୮ ହଜାର କୋଟି ଟଙ୍କା ସହାୟତା ଆକାରରେ ଦିଆଯାଇଛି।

Post a Comment

0 Comments
* Please Don't Spam Here. All the Comments are Reviewed by Admin.