ସେଣ୍ଟ ଲୁସିଆ:-
ଦିନିକିଆ ବିଶ୍ବକପ ପରାଜୟର ପ୍ରତିଶୋଧ ନେଲା ଭାରତ । ଟି-୨୦ ବିଶ୍ବକପ୍ର ସୁପର-୮ ମୁକାବିଲାରେ ଅଷ୍ଟ୍ରେଲିଆକୁ ୨୪ ରନରେ ମାତ ଦେଇଛି ଟିମ୍ ଇଣ୍ଡିଆ । ଏହା ସହ ଟି-୨୦ ବିଶ୍ବକପ୍ର ସେମି ଫାଇନାଲ୍ରେ ପ୍ରବେଶ କରିଛି ରୋହିତ ବାହିନୀ । ରୋହିତ ଶର୍ମାଙ୍କ ବିସ୍ଫୋରକ ଇନିଂସ ପରେ ବୋଲରଙ୍କ ମାପଚୁପ ବୋଲିଂ ବଳରେ ରୋମାଞ୍ଚକର ମୁକାବିଲାରେ ବାଜି ମାରିଛି ଭାରତ।
ପରାଜୟ ସହ ଅଷ୍ଟ୍ରେଲିଆର ସେମି ଫାଇନାଲ୍ ଯିବା କଠିନ ହୋଇପଡ଼ିଛି । ଚତୁର୍ଥ ସେମି ଫାଇନାଲିଷ୍ଟ କିଏ ହେବ ଆସନ୍ତାକାଲି ଆଫଗାନିସ୍ତାନ ଓ ବାଂଲାଦେଶ ମ୍ୟାଚର ଫଳାଫଳ ପରେ ସ୍ପଷ୍ଟ ହେବ। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ରୋହିତ ଶର୍ମାଙ୍କ ଧୂଆଁଧାର ୯୨ ରନ ବଳରେ ୫ ଓ୍ଵିକେଟ୍ ହରାଇ ୨୦୫ ରନ କରିଥିଲା।
ସୂର୍ଯ୍ୟ କୁମାର ଯାଦବ ୩୧ ରନର ବିସ୍ଫୋରକ ଇନିଂସ କରିଥିଲେ। ୨୦୬ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଅଷ୍ଟ୍ରେଲିଆ ୭ ଓ୍ଵିକେଟ୍ ହରାଇ ୧୮୧ ରନରେ ସୀମିତ ରହିଛି। ଟ୍ରେଭିସ୍ ହେଡଙ୍କ ୭୬ ରନର ଲଢୁଆ ଇନିଂସ ନିଷ୍ଫଳ ହୋଇଛି। ମିଚେଲ୍ ମାର୍ଶ ୩୭ ରନ କରିଥିଲେ। ବୋଲିଂରେ ଭାରତ ପକ୍ଷରୁ ଅର୍ଶଦୀପ ସିଂ ୩ଟି ଓ କୁଲଦୀପ ଯାଦବ ୨ଟି ଓ୍ଵିକେଟ୍ ନେଇଛନ୍ତି। ସେହିଭଳି ଜସପ୍ରୀତ ବୁମରା ଏବଂ ଅକ୍ଷର ପଟେଲ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଛନ୍ତି ।

.jpeg)
