ଭୁବନେଶ୍ବର:-
ପlଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଆସନ୍ତା ୨୬ରୁ ରାଜ୍ୟରେ ଲଗାଣ ବର୍ଷାର ସମ୍ଭାବନା ରହିଛି। ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବା ସହିତ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କାକୁ ଏଡାଇ ଦେଇହେବନି। ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ରିଲିଫ ଆୟୋଗଙ୍କ ପକ୍ଷରୁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଛି।
ବର୍ଷା ଯୋଗୁଁ ଦୁର୍ବଳ ନଦୀବନ୍ଧ ଅନୁଧ୍ୟାନ କରିବା ସହିତ ମରାମତି ଦିଗରେ ତ୍ବରିତ ପଦେକ୍ଷପ ନେବାକୁ ସେ ଜିଲାପାଳମାନଙ୍କୁ ନିର୍ଦେଶ ଦେଇଛନ୍ତି। ଜିଲାପାଳମାନେ ନଦୀବନ୍ଧ ମରାମତି ସହିତ ତୁରନ୍ତ ଘାଇ ମରାମତି କରିବା ପାଇଁ ପର୍ଯ୍ୟାପ୍ତ ବାଲିବସ୍ତା, ବାଉଁଶ ସମେତ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ମହଜୁଦ ରଖିବାକୁ ରିଲିଫ ଆୟୁକ୍ତ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି। ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ପଦକ୍ଷେପ ନେବାକୁ ସେ ଉଭୟ ଜିଲାପାଳ ଓ ନଗର ନିଗମର ଆୟୁକ୍ତଙ୍କୁ ନିର୍ଦେଶ ଦେଇଛନ୍ତି। ୨୬ତାରିଖରୁ କୌଣସି ଅଧିକାରୀ କିମ୍ବା କର୍ମଚାରୀ ମୁଖ୍ୟାଳୟ ଛାଡି ଯିବେ ନାହିଁ, ସେ ଦିଗରେ ଜିଲାପାଳମାନେ ଯତ୍ନବାନ ରହିବାକୁ ଆୟୁକ୍ତ ପରାମର୍ଶ ଦେଇଛନ୍ତି। ସେହିପରି ବର୍ଷା ଯୋଗୁଁ ସହରାଞ୍ଚଳରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି। ତୁରନ୍ତ ଜଳ ନିଷ୍କାସନ ପାଇଁ ପର୍ଯ୍ୟାପ୍ତ ମୋଟରପମ୍ପ ମହଜୁଦ ରଖିବାକୁ ସେ ନଗର ନିଗମର ଆୟୁକ୍ତଙ୍କୁ ପରାମର୍ଶ ଦେଇଛନ୍ତି।
ଆସନ୍ତା ୨୬ରୁ ରାଜ୍ୟରେ ବର୍ଷା ପରିମାଣ ବଢ଼ିବ। ୨୭ ଓ ୨୮ ତାରିଖରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରପକ୍ଷରୁ କୁହାଯାଇଛି। ୨୬ ତାରିଖ ବେଳକୁ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହାର ପ୍ରଭାବରେ ୨୭ ତାରିଖ ସୁଦ୍ଧା ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି। ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ ଆସନ୍ତାକାଲି ୨୪ ଜିଲାକୁ ବଜ୍ରପାତ ସହ ଝଡ଼ବର୍ଷାର ସମ୍ଭାବନା ରହିଛି। ଏହିସବୁ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ନୟାଗଡ଼, ପୁରୀ ଓ ଗଜପତି ଜିଲାରେ କେତେକ ସ୍ଥାନରେ ଘଡ଼ଘଡ଼ି ଏବଂ ବଜ୍ରପାତ ହେବାର ସମ୍ଭାବନା ରହିଛି। ୨୭ରୁ ୨୮ ତାରିଖ ମଧ୍ୟରେ ଗଞ୍ଜାମ, ରାୟଗଡ଼ା ଓ କୋରାପୁଟ ଜିଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।

.jpeg)
