Type Here to Get Search Results !

ଦିନକରେ ଧରାପଡ଼ିଲା ୧୨୧ ଗାଡ଼ି, ୪୪ ମଦୁଆ ଚାଳକଙ୍କ ନାଁ'ରେ ମାମଲା

 



ଭୁବନେଶ୍ୱର/ହଂସପାଳ:-

ରାତିର ରାଜଧାନୀରେ ମଦ୍ୟପ ଚାଳକ ଧରପଗଡ଼ ଅଭିଯାନକୁ ଜୋରଦାର କରିଛି କମିସନରେଟ୍‌ ପୁଲିସ। ଶନିବାର ରାତିରେ ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଚାଳକ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଟ୍ରାଫିକ ନିୟମ ଖିଲାପ କରିଥିବାରୁ ଗାଡ଼ି ଗୁଡିକୁ ଜବତ କରିଛି। ବେପରୁଆ ଓ ମଦ୍ୟ ଚାଳକଙ୍କୁ କୋର୍ଟ ତାତ୍ସଲ୍ୟ କରିବା ସହିତ ଗାଡ଼ି ମୁକୁଳାଇବା ଲାଗି ମୋଟା ଅଙ୍କର ଜରିମାନା ଆଦାୟ କରୁଛି।

ହେଲେ ଏ ସବୁ ସତ୍ତ୍ବେ ଅମାନିଆ ଚାଳକ ସୁଧୁରୁନାହାନ୍ତି। ନିଶାସକ୍ତ ଅବସ୍ଥାରେ ଗାଡ଼ି ଚାଳନା, ବିପରୀତ ଦିଗରେ ଗାଡ଼ି ଚାଳନା, ଗାଡ଼ି ଚଳାଇବା ସମୟରେ ମୋବାଇଲ ଫୋନ୍‌ ବ୍ୟବହାର କରିବା ଆଦି କ୍ଷେତ୍ରରେ ଚଢ଼ଉକୁ ଜୋରଦାର କରାଯାଇଛି। ଟ୍ରାଫିକ ନିୟମ ଉଲ୍ଲଙ୍ଘନକରୀ ତଥା ମଦ୍ୟପ ଚାଳକଙ୍କୁ ଧରିବା ଲାଗି ଶନିବାର ରାତିରେ କମିସନରେଟ ପୁଲିସ ପକ୍ଷରୁ ୨୪ଟି ଥାନା ଅଞ୍ଚଳରେ ନାଇଟ୍‌ ବ୍ଲକିଂ କରାଯାଇଥିଲା।

ପୁଲିସ ପକ୍ଷରୁ ମୋଟ ୧୨୧ଟି ଗାଡ଼ି ଜବତ କରାଯାଇଥିଲା। ଭୁବନେଶ୍ୱର ଟ୍ରାଫିକ ଥାନା ୧ ଦ୍ୱାରା ୮ଟି ଚାରିଚକିଆ ଯାନ ଓ ୨ଟି ଦୁଇ ଚକିଆ ଯାନ ଜବତ ହୋଇଥିବାବେଳେ ଟ୍ରାଫିକ ଥାନା ୨ ପକ୍ଷରୁ ୧୬ଟି ଚାରିଚକିଆ ଯାନ ଓ ୬ଟି ଦୁଇ ଚକିଆ ଯାନ ଜବତ କରାଯାଇଛି। ଜବତ ଗାଡ଼ି ମଧ୍ୟରେ ମର୍ସିଡିଜ, ମହିନ୍ଦ୍ରା ଥର୍‌, ସ୍କୋଡା, ଜିପ୍‌ କମ୍ପାସ୍‌, ସଫାରି, ଏକ୍ସୟୁଭି ଭଳି ଦାମୀ ଗାଡ଼ି ରହିଛି। ଗାଡିଗୁଡ଼ିକ ଜବତ ହେବା ପରେ କୋର୍ଟରେ ପ୍ରୋସିକ୍ୟୁସନ ରିପୋର୍ଟ ଦାଖଲ କରାଯାଇଛି। ମାଲିକମାନେ ଏମଭି ଆକ୍ଟ ଅନୁସାରେ ଜରିମାନା ଦାଖଲ କରି ଗାଡ଼ି ନେଇପାରିବେ ବୋଲି କୁହାଯାଇଛି। ସେହିପରି ୪୪ ଜଣ ମଦ୍ୟପ ଚାଳକଙ୍କ ବିରୋଧରେ ବିଭିନ୍ନ ଥାନାରେ ୪୪ଟି ମାମଲା ରୁଜୁ କରାଯାଇଛି। ସେହି ଚାଳକ ମାନଙ୍କ ଲାଇସେନ୍ସ ବାତିଲ ଲାଗି କମିସନରେଟ ପୁଲିସ ପକ୍ଷରୁ ପରିବହନ ବିଭାଗକୁ ଚିଠି ଲେଖାଯାଇଛି। ସହରର ଏୟାରଫିଲ୍ଡ, ତମାଣ୍ଡୋ, ଚନ୍ଦ୍ରଶେଖରପୁର, ଇନ୍‌ଫୋସିଟି, ନନ୍ଦନକାନନ, ଲକ୍ଷ୍ମୀସାଗର, ଏୟାରପୋର୍ଟ ଓ ପାହାଳ ସମେତ ୨୪ଟି ଥାନା ଅଞ୍ଚଳରେ ନାଇଟ୍‌ ବ୍ଲକିଂ ଧରପଗଡ଼ କରାଯାଉଛି।

Post a Comment

0 Comments
* Please Don't Spam Here. All the Comments are Reviewed by Admin.