ଭୁବନେଶ୍ୱର :-
ରାଜ୍ୟରେ ବିଜେଡ଼ିର ବୈଠକ, ଦିଲ୍ଲୀରେ ବିଜେପିର ମାରାଥନ ବୈଠକ ସହ ବିଜେଡ଼ିର ଦୁଇ ନେତା ଭି କେ ପାଣ୍ଡିଆନ ଏବଂ ସାଙ୍ଗଠନିକ ସମ୍ପାଦକ ବବି ଦାସ ଦିଲ୍ଲୀ ଯିବା ଏହି କଳ୍ପନାଜଳ୍ପନାକୁ ସତ ପ୍ରମାଣ କରୁଥିବା ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି । ଏଥି ମଧ୍ୟରେ ବିଜେଡ଼ି ବିଧାନସଭାରେ 98 ଆସନ ଓ ବିଜେପି 49 ଆସନ ପାଇବା ନେଇ ଆଲୋଚନା ହୋଇଥିବା ଖବର ରହିଛି । ସେହିପରି ଲୋକସଭାରେ ବିଜେପିକୁ ଅଧିକା ଆସନ ଦେବ ବିଜେଡ଼ି । ବିଜେପି 14 ଆସନ ଓ ବିଜେଡ଼ି 7 ଆସନରେ ଭାଗ ଛିଡ଼ି ଥିବା ନେଇ କେତେକ ଗଣମାଧ୍ୟମରେ ପ୍ରକାଶ ପାଇଛି ।
ଏସବୁ ମଧ୍ୟରେ, ରାଜ୍ୟରେ ଦୁଇ ଦଳ ମଧ୍ୟରେ ମେଣ୍ଟ ହେଲେ ବିଜେପି-ବିଜେଡ଼ିକୁ ଯାହା ଫାଇଦା ହେବ ତାହା ତ ଦୁଇ ଦଳର ନେତୃତ୍ୱ ନିଷ୍ପତ୍ତି ନେବେ । କିନ୍ତୁ ପ୍ରଶ୍ନ ଉଠୁଛି, ଗତ କିଛି ଦିନ ମଧ୍ୟରେ ଦଳ ଡେଇଁ ଥିବା ନେତାଙ୍କ କଣ ହେବ ? ଟିକେଟ ଆଶାରେ ହେଉ କିମ୍ବା ଦଳ ଉପରେ ଅସନ୍ତୁଷ୍ଟ ହୋଇ ଅନ୍ୟ ଦଳକୁ ଯାଇଥିବା ନେତାମାନେ କଣ କରିବେ । ସେମାନେ ଆଶା କରିଥିବା ଆସନରେ ଯଦି ବୁଝାମଣା ହୋଇଯାଏ, ତେବେ ସେମାନେ ବିରୋଧୀ ପ୍ରାର୍ଥୀଙ୍କ ପାଇଁ ଲୋକଙ୍କୁ ଭୋଟ୍ ମାଗି ପାରିବେ ? ଏପରିକି ବର୍ଷ ବର୍ଷ ଧରି ନିଜ ସଙ୍ଗଠନ କରିଥିବା ନେତା ନିଜ ସମର୍ଥକଙ୍କୁ ବୁଝାଇପାରିବେ ? ଟିକେଟ ନ ମିଳିଲେ କେତେକ ନେତା କଂଗ୍ରେସକୁ ବାଛିବା ନେଇ ମଧ୍ୟ ତାଙ୍କ ଆଗରେ ଏକ ବିକଳ୍ପ ହେବ ନି ତ ? ଯଦି ବି କଂଗ୍ରେସରୁ ଯିବେ, ସେ ଦଳର ନେତାଙ୍କୁ ଛାଡ଼ି ଏମାନଙ୍କୁ ଟିକେଟ୍ ମିଳିବା କେତେ ଦୂର ସମ୍ଭବ ଏବଂ ଯଦି ବି ମିଳିଲା କଂଗ୍ରେସର ଅନ୍ତଃକନ୍ଦଳ ସୃଷ୍ଟି ହେବାର ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇପାରିବ ନାହିଁ ବୋଲି କହିବା ଅତ୍ୟୁକ୍ତି ହେବ ନାହିଁ ବୋଲି ରାଜନୈତିକ ବିଶ୍ଳେଷକ ମାନେ ମତ ପ୍ରକାଶ କରୁଛନ୍ତି ।ବିଜେଡ଼ିରୁ ବିଦା ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏବେ ବିଜେପି ଶିବିରରେ । ଏକା ସେ ନୁହଁନ୍ତି ବିଜେଡ଼ିରୁ ପ୍ରଶାନ୍ତ ଜଗଦ୍ଦେବ, ଜୟଦେବ ବିଧାୟକ ଅରବିନ୍ଦ ଢାଲି, ବିଜେପିରେ ସାମିଲ ହୋଇଛନ୍ତି । ଏପରିକି ତୋଲକାଇର ବିଜେଡି ବିଧାୟକ ପ୍ରେମାନନ୍ଦ ନାୟକ ବି ଶଙ୍ଖ ଛାଡ଼ି ପଦ୍ମ ଧରିଛନ୍ତି । ବରୀର ପୂର୍ବତନ ବିଧାୟକ ଦେବାଶିଷ ନାୟକ ଏବଂ ଧାନନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କ ଭଳି ଜଣାଶୁଣା ନେତା ବିଜେପିରେ ଯୋଗ ଦେଇଛନ୍ତି । ଏହି ନେତା ଆଶାୟୀ ଥିବା ଆସନ ଯଦି ବୁଝାମଣାରେ ବଳି ପଡ଼ିଗଲା, ତେବେ ଏମାନେ କର୍ମୀ ହୋଇ କାମ କରିବେ ନା ବିଦ୍ରୋହୀ ହୋଇ ସ୍ୱାଧୀନ ଭାବେ ଲଢିବେ ତାହା ମଧ୍ୟ ଦେଖିବା ବାକି ରହିଲା ।

