Type Here to Get Search Results !

ମେଣ୍ଟ କୁ ନେଇ ଚର୍ଚ୍ଚା ଜୋର



ଭୁବନେଶ୍ୱର :- 

ନବୀନ ନିବାସରେ ବିଜେଡିର ବୈଠକ ଶେଷ, ଯୋଗ ଦେଇଥିଲେ ବରିଷ୍ଠ ନେତା ଓ ମନ୍ତ୍ରୀ; ଘୋଷଣାକୁ ଅପେକ୍ଷା

ନବୀନ ନିବାସରେ ଆଜି ଅପରାହ୍ଣରେ ଚାଲିଥିବା ଗୁରୁତ୍ଵପୂର୍ଣ୍ଣ ବୈଠକ ଶେଷ ହୋଇଛି। ବୈଠକ ପରେ ନବୀନ ନିବାସରୁ ବାହାରିଛନ୍ତି ସମସ୍ତ ନେତା। ବୈଠକରେ ୨୦ରୁ ଅଧିକ ବିଜେଡ଼ି ନେତା ଓ ମନ୍ତ୍ରୀ ଉପସ୍ଥିତ ଥିଲେ। ତେବେ ବୈଠକରେ କଣ ନିଷ୍ପତ୍ତି ହୋଇଛି ଏବଂ ମେଣ୍ଟକୁ ନେଇ କଣ ଆଲୋଚନା ହୋଇଛି ତାହା ଜଣା ପଡିନାହିଁ। ଅନ୍ୟପଟେ ଆଜି ସନ୍ଧ୍ୟାରେ ଦିଲ୍ଲୀରେ ରାଜ୍ୟ ବିଜେପି ନେତାଙ୍କ ସହ କେନ୍ଦ୍ରୀୟ ନେତାଙ୍କ ଗୁରୁତ୍ଵପୂର୍ଣ୍ଣ ବୈଠକ ହେବାକୁ ଯାଉଛି। ଏବେ ଦୁଇ ଦଳର ବୈଠକରୁ କଣ ନିର୍ଯାସା ଆସୁଛି ତାହା ଉପରେ ସଭିଙ୍କ ନଜର ରହିଛି।

ଆଜି ଅପରାହ୍ଣରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ତଥା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ଚାଲିଥିଲା। ଏଥିରେ ଫାଇଟି ତଥା ନବୀନ ଓଡିଶାର ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଉପସ୍ଥିତ ଥିଲେ। ବୈଠକରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ମନ୍ତ୍ରୀ ଟୁକୁନି ସାହୁ  , ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ମନ୍ତ୍ରୀ ଜଗନ୍ନାଥ ସାରକା, ଦଳର ସାଧାରଣ ସଂପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ସସ୍ମିତ୍ ପାତ୍ର, ବରିଷ୍ଠ ନେତା ସଞ୍ଜୟ ଦାସବର୍ମା, ସାଂସଦ ମାନସ ମଙ୍ଗରାଜ ସମେତ ଉଷା ଦେବୀ, ପ୍ରୀତିରଞ୍ଜନ ଘଡ଼ାଇ, ବିଧାୟକ ଅରୁଣ ସାହୁ, ପ୍ରଣବ ବଳବନ୍ତରାୟ  ଅନେକ ବରିଷ୍ଠ ନେତା ଯୋଗ ଦେଇଥିଲେ। ବୈଠକରେ ବିଜେପି ସହ ମେଣ୍ଟ ନେଇ ଆଲୋଚନା ହୋଇଥିବା ରାଜନୈତିକ ସମୀକ୍ଷକ କହିଛନ୍ତି।

ସେପଟେ ରାଜ୍ୟ ସଭାପତି ମନମୋହନ ସାମଲ, ସଂଗଠନ ସମ୍ପାଦକ ମାନସ ମହାନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଶେଶ୍ୱର ଟୁଡ଼ୁ, ସାଂସଦ ଜୁଏଲ ଓରାମ, ବସନ୍ତ ପଣ୍ଡାଙ୍କ ସମେତ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ନିର୍ବାଚନୀ ପ୍ରଭାରୀ ବିଜୟପାଲ ସିଂ ତୋମାର ଏହି ବୈଠକରେ  ସାମିଲ ହେବେ ବୋଲି ସୂଚନା ମିଳିଛି । ଦୁଇ ଦଳ ମଧ୍ୟରେ ସେହି ସମୟରେ ବୈଠକ ବସୁଛି ଯେତେବେଳେ ରାଜ୍ୟରେ ମେଣ୍ଟ ନେଇ ଚର୍ଚ୍ଚା ଚରମରେ ରହିଛି।

୧୫ ବର୍ଷ ପରେ ପୁଣି ମେଣ୍ଟକୁ ଫେରିବେ ବିଜେଡି –ବିଜେପି । ଉଭୟ କ୍ୟାମ୍ପରେ ଏଭଳି ଚର୍ଚ୍ଚା ଜୋର ଧରିଥିବା ବେଳେ ଖୁବ ଶୀଘ୍ର ଦୁଇ ଦଳ କିଛି ଠୋସ ସଙ୍କେତ ଛାଡିବେ ବୋଲି ଆକଳନ କରାଯାଉଛି । ଆଜି ଦିନ ତମାମ ବିଜେଡି ଓ ବିଜେପି ଶିବିର ଚଳ ଚଞ୍ଚଳରୁ ଏହି ସଙ୍କେତ ମିଳୁଛି । ୨୦୦୦ରୁ ୨୦୦୯ ଉଭୟ ଦଳ ମେଣ୍ଟ କରି ଶାସନ ଗାଦିରେ ବସିଥିଲେ । ହେଲେ ୨୦୦୮ରେ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ଓ ପରବର୍ତ୍ତି ଦଙ୍ଗା ପରେ ଦୁଇ ଦଳ ମେଣ୍ଟ ଭାଙ୍ଗିଥିଲେ । ଏବେ ପରିବର୍ତ୍ତିତ ରାଜନୈତିକ ପରିସ୍ଥିତିରେ ପୁଣି ବିଜେଡି ଏନଡିଏକୁ ଫେରିବାକୁ ଯାଉଛି । ଆଉ ବିଜେପି ବିଜେଡି ସହ ରାଜ୍ୟରେ ସିଟ ସେୟାରିଂ କରି ନିର୍ବାଚନ ମଇଦାନକୁ ଲମ୍ଫ ଦେବ ବୋଲି ଚର୍ଚ୍ଚା ଚାଲିଛି।

ଗତ କିଛି ଦିନ ଧରି ବିଜେଡି –ବିଜେପି  ଭିତରେ ଦୂରତା କମିବା ଏବଂ ପରସ୍ପର ପରସ୍ପରର ପିଠି ଥାପୁଡାଇବା ମେଣ୍ଟ ଚର୍ଚ୍ଚାକୁ ଦାନା ଦେଇଛି । ମୋଦୀଙ୍କ ଓଡିଶା ଗସ୍ତ ସମୟରେ ରାଜ୍ୟ ସରକାରଙ୍କୁ ପଦୁଟିଏ ଆକ୍ଷେପ ନକରିବା ଏବଂ ତାର ଦିନ କେଇଟା ପରେ ବିଜେଡି ଅଶ୍ଵିନୀ ବୈଷ୍ଣବଙ୍କୁ ବିନା ସର୍ତ୍ତରେ ରାଜ୍ୟ ସଭା ପଠାଇବା ମେଣ୍ଟର ପୂର୍ବାଭାସ ବୋଲି ସ୍ପଷ୍ଟ ହୋଇଥିଲା । ହେଲେ ଗତ କାଲି ମୋଦୀ-ନବୀନଙ୍କ ଭିତରେ ଯେଉଁ ବନ୍ଧୁତ୍ବର ଭାବ ସାମ୍ନାକୁ ଆସିଲା ତାହା ମେଣ୍ଟ ସମ୍ଭାବନାକୁ ଅଧିକ ମଜଭୁତ କରିଛି। କୁହାଯାଉଛି କେବଳ ସିଟ  ବଣ୍ଟା ଗଣିତ ଛିଣ୍ଡିଗଲେ ମେଣ୍ଟ ନେଇ ଓୈପଚାରିକ ଘୋଷଣା ହୋଇପାରେ ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.