ବଲାଙ୍ଗିର :-
କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ଠିକଣାରେ ଚାଲିଥିବା ଆୟକର ବିଭାଗର ଚଢଉ ରବିବାର ଶେଷ ହୋଇଥିବା ବେଳେ ଏବେ ଲକ୍ର ଖୋଳତାଡ଼ ଆରମ୍ଭ କରିଛନ୍ତି ଆୟକର ବିଭାଗ। ଏହି ଚଢଉରେ ରେକର୍ଡ ପ୍ରାୟ ୩୫୩ କୋଟି ଟଙ୍କା ଜବତ ହୋଇଛି। ଆଉ ଜବତ ଟଙ୍କାକୁ ସୋମବାର ଏସବିଆଇ ବଲାଙ୍ଗିର ମୁଖ୍ୟ ଶାଖାରେ ଜମା କରାଯାଇଛି। ୨୮୫ କୋଟି ଟଙ୍କା ଜମା କରିଥିବା ଜଣା ଯାଇଛି। ଶେଷରେ ସରକାରୀ ଖାତାକୁ ଯାଇଛି ମଦଭାଟିରୁ ଜବତ ଟଙ୍କା।
ଏସବୁ ଅର୍ଥକୁ ଗଣିବା ପାଇଁ ପାଖାପାଖି ୫ ଦିନ ସମୟ ଲାଗିଥିଲା। ଏହି ସମୟରେ ଆଇଟିର ଅଧିକାରୀ ଓ ବ୍ୟାଙ୍କ କର୍ମଚାରୀ ଘଣ୍ଟା ଘଣ୍ଟା ବସି ପୁଳା ପୁଳା ଟଙ୍କାର ନୋଟ୍ ଗଣତି କରିଥିଲେ। ଟ୍ୟାକ୍ସ ଚୋରି ଅଭିଯୋଗରେ ଓଡ଼ିଶା ସହିତ ୩ ରାଜ୍ୟରେ ଆୟକର ବିଭାଗ ୫ ଦିନ ପୂର୍ବେ ଚଢାଉ ଆରମ୍ଭ କରିଥିଲା। ଏହା ପରେ ସୋମବାର ଧୀରଜ ସାହୁଙ୍କ ସହଯୋଗ୍ୟ ବ୍ୟବସାୟୀ ସଞ୍ଜୟ ସାହୁଙ୍କ ସ୍ତ୍ରୀଙ୍କ ଆକ୍ସିସ୍ ବ୍ୟାଙ୍କ୍ରେ ଆକାଉଣ୍ଟ ଓ ଲକର ଯାଞ୍ଚ କରିଛି ଆୟକର ଅଧିକାରୀ । ଆକ୍ସିସ ବ୍ୟାଙ୍କ ଲକରରୁ ବାହାରିଛି ୩ଟି ବ୍ୟାଗ୍ । ବ୍ୟାଗ୍ରେ ସୁନା ଗହଣା, ଡାଇମଣ୍ଡ, ଫିକ୍ସଡ ଡିପୋଜିଟ୍, କିଛି ସୁନା ବିସ୍କୁଟ ସହ ଜମି କାଗଜପତ୍ର ଥିବା ସୂଚନା ମିଳିଛି।
ଗତକାଲି ଏସବିଆଇ ବଲାଙ୍ଗିରର ଆଞ୍ଚଳିକ ପ୍ରବନ୍ଧକ ଭଗତ ବେହେରା କହିଥିଲେ ଯେ, ଗତ ୩ ଦିନରେ କର୍ମଚାରୀ ଯେତେ ନଗତ ଗଣିଛନ୍ତି, ତାହା ଗୋଟିଏ ବର୍ଷର ନଗଦି ଗଣତିଠୁ ଢେର ଗୁଣ ଅଧିକ ରହିଛି। ଏଥିରେ ୧୦୦ ଟଙ୍କିଆ, ୨୦୦ ଟଙ୍କିଆ ଓ ୫୦୦ ଟଙ୍କିଆ ନୋଟ୍ ସାମିଲ୍ ଥିଲା, ଯାହା ୧୭୬ ବ୍ୟାଗରେ ଭର୍ତ୍ତି ହୋଇଥିଲା। ବ୍ୟାଗଗୁଡ଼ିକୁ ବଲାଙ୍ଗିର ସହରର ସୁଧପଡ଼ା ଅଞ୍ଚଳରେ ସ୍ଥିତ ମଦ କମ୍ପାନୀର ଅଫିସରୁ ବଲାଙ୍ଗିର ଏସବିଆଇ ମୁଖ୍ୟ ଶାଖାକୁ ଅଣା ଯାଇଥିଲା। ଏତେ ମାତ୍ରାରେ ଟଙ୍କା ଗଣି ଗଣି କର୍ମଚାରୀ ଥକି ପଡ଼ିଥିଲେ। ଶୌଚାଳୟ ବିରତିକୁ ଛାଡ଼ି ପୂରା ଦିନ ରାତି ଗଣତିରେ କର୍ମଚାରୀ ଜୁଟି ଥିଲେ ବୋଲି ବଲାଙ୍ଗିର ଆଞ୍ଚଳିକ ପ୍ରବନ୍ଧକ ଭଗତ ବେହେରା କହିଛନ୍ତି।
ସୂଚନାଯୋଗ୍ୟ, ରବିବାର ସନ୍ଧ୍ୟା ସୁଦ୍ଧା ବଲାଙ୍ଗିର, ଟିଟିଲାଗଡ଼ ଓ ସମ୍ବଲପୁରରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ତିନି ଶାଖାର ବ୍ୟାଙ୍କ ଅଧିକାରୀ ପାଖାପାଖି ୪୦ରୁ ଅଧିକ ମେସିନ ଓ ୮୦ରୁ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରି ଟଙ୍କା ଗଣତି କରିଥିଲେ। ଟିଟିଲାଗଡ଼ ଓ ସମ୍ବଲପୁର ଶାଖାରେ ଟଙ୍କା ଗଣତି ସରିଥିଲେ ମଧ୍ୟ ବଲାଙ୍ଗିରରେ ଟଙ୍କା ଗଣତିରେ କର୍ମଚାରୀ ହାଲିଆ ହୋଇ ପଡ଼ିଥିଲେ। ଏପରିକି ମେସିନ ମଧ୍ୟ ଖରାପ ହୋଇ ପଡ଼ିଥିଲା। ତିନି ଶାଖାରୁ ପାଖାପାଖି ୩୫୩ କୋଟି ଟଙ୍କା ମିଳିଥିଲା। ଏଥିରୁ କେବଳ ବଲାଙ୍ଗିର ଏସବିଆଇ ମୁଖ୍ୟ ଶାଖାରୁ ୩୦୫ କୋଟି ଟଙ୍କା ମିଳିଛି। ଦୀର୍ଘ ୫ ଦିନ ପରେ ବଲାଙ୍ଗିର ଶାଖାରେ ରବିବାର ରାତି ପ୍ରାୟ ସାଢେ ୮ଟାରେ ଗଣତି ଶେଷ ହୋଇଛି। କେବଳ ଏଠାରେ ୨୫ ମେସିନ ଓ ୫୦ ଜଣ କର୍ମଚାରୀ ଟଙ୍କା ଗଣତିରେ ନିୟୋଜିତ ହୋଇଥିଲେ।ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍



