Type Here to Get Search Results !

ଜାତୀୟ ରାଜପଥ ନିର୍ମାଣ ଅତି ନିମ୍ନ ମାନର: କିଲୋମିଟର ପ୍ରତି ଖର୍ଚ୍ଚ ପ୍ରାୟ ଏକ କୋଟି ଟଙ୍କା: ନିର୍ମାଣ ନସରୁଣୁ ରାସ୍ତା ମଝିରେ ଗର୍ତ୍ତ

 


ଚମ୍ପୁଆ :- 

ଚମ୍ପୁଆ ଠାରୁ ରିମୁଳି ମଧ୍ୟ ଦେଇ ଯାଇଥିବା ୨୦ ନଂ ଜାତୀୟ ରାଜପଥର ସୁଦୃଢ଼ୀ କରଣ କାର୍ଯ୍ୟ ଅତି ନିମ୍ନ ମାନର ହୋଇଥିବା ଦୃଷ୍ଟି ଗୋଚର ହୋଇଛି। ଠାଏଁ ଠାଏଁ ରାସ୍ତାରୁ ପିଚୁ ଉଠିଯାଇ ସେଥିରେ ଗର୍ତ୍ତ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ସୂଚନା ଯୋଗ୍ୟ କି ଚମ୍ପୁଆ ଠାରୁ ରିମୁଳି ଏବଂ ରିମୁଳି ଛକ ଠାରୁ ଜାତୀୟ ରାଜପଥ ୫୨୦ କୁ ସଂଯୋଗ କରୁଥିବା ରାସ୍ତାର ସୂଦୃଢ଼ୀ କରଣ ପାଇଁ ଅଲେଖ କନଷ୍ଟ୍ରକସନ ନାମକ ଏକ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିବା ବେଳେ ଏହି କାର୍ଯ୍ୟ ପାଇଁ ସର୍ବମୋଟ ୧୪ କୋଟି ୫୮ ଲକ୍ଷ ୮୦ ହଜାର ଟଙ୍କା ମଞ୍ଜୁର କରାଯାଇଥିଲା। ନିର୍ମାଣ କାର୍ଯ୍ୟ କରାଯିବାକୁ ଥିବା ରାସ୍ତାର ସର୍ବମୋଟ ଦୈର୍ଘ୍ୟ ୧୫.୯୪ କିଲୋମିଟର ହୋଇଥିବା ବେଳେ କିଲୋମିଟର ପ୍ରତି ୯୯ ଲକ୍ଷ ୩୦ ହଜାର ଟଙ୍କା ଲେଖାଏଁ ଖର୍ଚ୍ଚ କରାଯିବାକୁ ଜାତୀୟ ରାଜପଥ ଦ୍ବାରା ଦିଆଯାଇଥିବା କାର୍ଯ୍ୟାଦେଶରେ ଉଲ୍ଲେଖ ଅଛି। ତେବେ ସ୍ଥାନୀୟ ଜନସାଧାରଣ ଏକ କିଲୋମିଟରକୁ ପ୍ରାୟ ଏକ କୋଟି ଟଙ୍କା ଲେଖାଏଁ ଖର୍ଚ୍ଚ କରି ଏହି ରାସ୍ତାର ସୁଦୃଢ଼ୀକରଣ କାର୍ଯ୍ୟ କରାଯାଉଥିବାରୁ ଅତ୍ୟନ୍ତ ଉଚ୍ଚ ମାନର ରାସ୍ତା ନିର୍ମାଣ ହେବା ସହିତ ଏହି ରାସ୍ତା ଦୀର୍ଘ ସ୍ଥାୟୀ ହେବ ବୋଲି ଆଶା ପୋଷଣ କରିଥିଲେ । ଏହି ରାସ୍ତା ନିର୍ମାଣ କାର୍ଯ୍ୟ ବିଗତ ୨୬.୦୧.୨୦୨୧ ତାରିଖ ସୁଦ୍ଧା ସମ୍ପୂର୍ଣ କରିବାକୁ ଜାତୀୟ ରାଜପଥ ବିଭାଗ ପକ୍ଷରୁ ସମୟ ସୀମା ପ୍ରଦାନ କରାଯାଇଥିଲେ ମଧ୍ୟ ରାସ୍ତା ନିର୍ମାଣକାରୀ ଠିକା ସଂସ୍ଥା ସେହି ସମୟ ମଧ୍ୟରେ ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିପାରି ନଥିଲେ। ତେବେ ପୁନର୍ବାର ୩୦.୦୬.୨୦୨୩ ତାରିଖ ସୁଦ୍ଧା ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଟିକା ସଂସ୍ଥା କୁ ସମୟ ଦିଆଯାଇଥିବା ବେଳେ ଉକ୍ତ ଠିକା ସଂସ୍ଥା ରାସ୍ତା କାମକୁ ଅତି ତରବରିଆ ଭାବରେ କରି ଚାଲି ଯାଇଥିବା ଦେଖିବାକୁ ମିଳିଛି । ରାସ୍ତା ନିର୍ମାଣ ଅବଧି ନସରୁଣୁ ବିଭିନ୍ନ ସ୍ଥାନରେ ରାସ୍ତାର ପିଚୁ ଉଠିଯାଇ ଗର୍ତ୍ତ ସୃଷ୍ଟି ହୋଇଥିବା ଦୃଷ୍ଟି ଗୋଚର ହୋଇଛି । ରାସ୍ତା ନିର୍ମାଣର ଅବଧି ସରି ଯାଇଥିଲେ ହେଁ କାର୍ଯ୍ୟାଦେଶ ଅନୁସାରେ ରାସ୍ତା ନିର୍ମାଣ ଦାୟିତ୍ୱ ନେଇ ଥିବା ଠିକା ସଂସ୍ଥା ୨୦୨୫-୨୬ ଅର୍ଥକ ବର୍ଷ ଯାଏଁ ଏହି ରାସ୍ତାର ରକ୍ଷଣା ବେକ୍ଷଣ ଦାୟିତ୍ଵ ନେବେ ବୋଲି ଉଲ୍ଲେଖ ଥିବା ବେଳେ ଉକ୍ତ ଠିକା ରାସ୍ତା ମରାମତି କରୁ ନଥିବା ଦେଖିବାକୁ ମିଳିଛି। 



ତେବେ ପ୍ରତି କିଲୋ ମିଟର କୁ ୯୯ ଲକ୍ଷ ୩୦ ହଜାର ଲେଖାଏଁ ଖର୍ଚ୍ଚ ହୋଇଥିବା ରାସ୍ତାରୁ ଏତେ ଶୀଘ୍ର ପିଚୁ ଉଠିବାକୁ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ସହଜରେ ଗ୍ରହଣ କରି ପାରୁ ନଥିବା ସହିତ ଏହି ରାସ୍ତା କାର୍ଯ୍ୟ ଅତି ନିମ୍ନ ମାନର ହୋଇଥିବା ଅଭିଯୋଗ କରିଛନ୍ତି। ଉକ୍ତ ଜାତୀୟ ରାଜପଥ ନିର୍ମାଣ ପରେ ରାସ୍ତା କଡରେ ମୋରମ ବିଛାଇ ରାସ୍ତା ସହିତ ସମତୁଲ କରିବା ପାଇଁ କାର୍ଯ୍ୟାଦେଶରେ ନିର୍ଦ୍ଦେଶ ଥିବା ବେଳେ ଉକ୍ତ ଠିକା ସଂସ୍ଥା ରାସ୍ତା କଡରେ ମୋରମ ଗୋଡି କୁ ନ ବିଛାଇ ଲୋକ ଦେଖାଣିଆ ଭାବରେ କିଛି କିଛି ସ୍ଥାନ ରେ ରାସ୍ତା କଡ଼ରେ ଗଦା କରି ଚାଲି ଯାଇଥିବା ବେଳେ ରାତିରେ ବାଇକ୍ ଆରୋହୀ ମାନେ ବଡ ଟ୍ରକ କୁ ସାଇଡ ଦେବା ସମୟରେ ଏହା ଦେଖି ନପାରି ତାହା ଉପରେ ଚଢି ଯିବା ଦ୍ବାରା କିଛି ବାଇକ୍ ଆରୋହୀ ପଡି ହୋଇ ଖଣ୍ଡିଆ ଖାବରା ହୋଇ ଥିବା ଜଣା ପଡିଛି। ଉକ୍ତ ରାସ୍ତା ସୁଦୃଢ଼ୀକରଣ କାର୍ଯ୍ୟ କରିଥିବା ଅଲେଖ କନଷ୍ଟ୍ରକସନ ନାମକ ଠିକା ସଂସ୍ଥା ନିମ୍ନ ମାନର ରାସ୍ତା ନିର୍ମାଣ କରିଥିବା ନେଇ ଅଭିଯୋଗ ହେଉଥିବା ବେଳେ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ପ୍ରକୃତ ତଥ୍ୟ ଲୋକ ଲୋଚନକୁ ଆସିପାରିବ ବୋଲି ସ୍ଥାନୀୟ ଜନ ସାଧାରଣ ଦାବି କରିଛନ୍ତି।

Post a Comment

0 Comments
* Please Don't Spam Here. All the Comments are Reviewed by Admin.