Type Here to Get Search Results !

ନୂଆଖାଇ ର ନୂଆଁ ଧାନ ବିଷୟରେ କିଛି ଅଜଣା କଥା

ଦିନ କେଇଟା ପରେ ନୂଆଁଖାଇ । ଏନେଇ ଚଳଚଞ୍ଚଳ ପଶ୍ଚିମ ଓଡି଼ଶା । ନୂଆଁଖାଇ ଅବସରରେ ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ଠାରେ ଲାଗି ହେବ ନୂଆଁଧାନ । ଆସନ୍ତା ୨୦ ତାରିଖରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇର ଲଗ୍ନ ନିର୍ଦ୍ଧାରିତ ହୋଇଥିବାରୁ ଆଜି ମା ସମଲେଶ୍ବରୀଙ୍କ ପୀଠରେ ପହଞ୍ଚିଛି ନୂଆଁଧାନ । ବ୍ରହ୍ମ ପଣ୍ଡିତ ମହାସଭା ଦ୍ୱାରା ଲଗ୍ନ ନିର୍ଦ୍ଧାରିତ କରାଯାଇଛି । ୨୦ ତାରିଖ ଦିନ ୧୦ଟା ୨୭ ମିନିଟରୁ ୧୦ଟା ୪୨ ମିନିଟ ମଧ୍ୟରେ ମା ସମଲେଶ୍ୱରୀଙ୍କ ଠାରେ ନବାନ୍ନ ଲାଗି କରାଯିବ ବୋଲି ନୀତି ନିର୍ଘଣ୍ଟ ହୋଇଛି। ତା ପରେ ସମସ୍ତେ ନିଜ ନିଜ ଘରେ ନୂଆଁଧାନକୁ ପୂଜା କରି ନୂଆଁଖାଇ ପାଳନ କରିବେ । ମା’ଙ୍କ ଠାରେ ଲାଗି ହେଉଥିବା ଏହି ଧାନକୁ ଶାଠିଆ ବା ସରିଆ ଧାନ କୁହାଯାଏ । କାରଣ ଏହି ଧାନ ଷାଠିଏ ଦିନରେ ଅମଳ ହୋଇଥାଏ । କିନ୍ତୁ ମା’ଙ୍କର ଲୀଳା ବଡ଼ ବିଚିତ୍ର। ଷାଠିଏ ଦିନରେ ଏହି ଧାନ ଅମଳ ହେଉଥିବା ବେଳେ ଏହି ଚାଷ ପାଇଁ ବିଶେଷ ଧ୍ୟାନ ଦିଆଯାଇଥାଏ । ଯେଉଁ ଦିନ ଏହି ଧାନ ଜମିରେ ରୋପଣ କରାଯାଏ ସେ ଦିନ ଜମିରେ ପୂଜା କରାଯିବା ପରେ ଚାଷ କରାଯାଇଥାଏ । ପ୍ରତ୍ୟେକ ଦିନ ବିଶେଷ ଧ୍ୟାନ ଦିଆ ଯାଇଥାଏ ଯେଭଳି କି ଏହି ଧାନ ରୁଆ ଯାଇଥିବା ଜମିରେ କେହି ପଶୁ ପକ୍ଷୀ ଯେମିତି ନ ଆସନ୍ତି ସେ ଦିଗ ପ୍ରତି ବିଶେଷ ଧ୍ୟାନ ଦିଆଯାଇଥାଏ । ଧାନ ହେଲା ପରେ ଯେଭଳି ଭାବରେ ପଶୁ ପକ୍ଷୀ ସେହି ଧାନକୁ ଅଇଁଠା ନ କରିବେ ସେ ଦିଗରେ ମଧ୍ୟ ବିଶେଷ ଦୃଷ୍ଟି ଦିଆଯାଇଥାଏ । ଠିକ ଷାଠିଏ ଦିନ ପର୍ଯ୍ୟନ୍ତ ବିଶେଷ ଧ୍ୟାନ ରଖାଯାଏ। ପରେ ସେହି ଧାନକୁ ପୂଜା ଅର୍ଚ୍ଚନା ପରେ ସହ ଅମଳ କରାଯାଇ ମା ସମଲେଶ୍ୱରୀଙ୍କ ମୁଖ୍ୟ ପୂଜକଙ୍କୁ ଦିଆଯାଇଥାଏ। ମୁଖ୍ୟ ପୂଜକ ସେହି ଧାନକୁ ପାଇଲା ପରେ, ପ୍ରଥମେ ତାକୁ ଶୁଖାଇଥାନ୍ତି । ଖାସ୍ କରି ପୂଜକଙ୍କ ପରିବାର ଲୋକେ ବି ସେହି ଧାନକୁ ଏକ ସୁରକ୍ଷିତ ସ୍ଥାନରେ ରଖନ୍ତି। ବିଶେଷ ଧ୍ୟାନ ଦେଇଥାନ୍ତି ଯେଭଳି ଭାବରେ କୌଣସି ପକ୍ଷୀ ତାକୁ ଅଇଁଠା ନ କରନ୍ତି । ତା ପରେ ସେହି ଧାନ କୁ ଆଣି ଖୁଣ୍ଟି ଚାଉଳ ବାହାର କରାଯାଏ । ମୁଖ୍ୟ ପୂଜକଙ୍କ ସହ ଚାରି ପୂଜକଙ୍କ ଘରକୁ ସେହି ଚାଉଳ ଯାଏ । ସେହି ଚାଉଳରୁ ଭୋଗ ପ୍ରସ୍ତୁତ ହୋଇ ନୂଆଁଖାଇ ଦିନ ମାଙ୍କ ଠାରେ ଲାଗି କରାଯାଏ । ବିଗତ କିଛି ବର୍ଷ ହେବ ଏହି ସରିଆ ଧାନ ସମ୍ବଲପୁର ନିକଟସ୍ଥ ବଳବସପୁର ବାସିନ୍ଦା ସୁବାସ ବେହେରା ମାଆଙ୍କ ଭୋଗ ପାଇଁ ବ୍ୟବସ୍ଥା କରୁଛନ୍ତି । ସେମାନେ ମଧ୍ୟ ମା ସମଲେଶ୍ୱରୀଙ୍କର ଏହି ବିଶେଷ ସେବା ପାଇଥିବା କାରଣରୁ ବହୁତ ଖୁସି ଅନୁଭବ କରିବା ସହ ପରିବାର ଲୋକେ ମଧ୍ୟ ଆନନ୍ଦ ଅନୁଭବ କରୁଛନ୍ତି । ସେ କହିଛନ୍ତି ଯେ ଯେତେଦିନ ପର୍ଯ୍ୟନ୍ତ ମାଆଙ୍କ ଇଚ୍ଛା ହେବ ସେତେ ଦିନ ପର୍ଯ୍ୟନ୍ତ ଏ ସରିଆ ବା ସାଠିଆ ଧାନ ସେ ମା ଙ୍କ ପାଇଁ ଯୋଗାଇବେ ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.