ନୂଆଦିଲ୍ଲୀ :-
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କେନ୍ଦ୍ରର ମୋଦି ସରକାରଙ୍କ ‘ଏକ ଦେଶ ଏକ ନିର୍ବାଚନ’ର ଅବଧାରଣାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଆମ ଆଦମୀ ପାର୍ଟି (ଆପ୍) ମୁଖିଆ ଦେଶକୁ କେବଳ ନିର୍ବାଚନ ନୁହେଁ ‘ଏକ ଦେଶ ଏକ ଶିକ୍ଷା ଓ ଏକ ଦେଶ ଏକ ଚିକିତ୍ସା’ର ମଧ୍ୟ ଆବଶ୍ୟକତା ଅଛି ବୋଲି କହିଛନ୍ତି। ଏ ନେଇ ସେ ‘ଏକ୍ସ’ରେ ଏକ ପୋଷ୍ଟ କରିଥିବା ବେଳେ ଦେଶର ମୁଖ୍ୟ ଆବଶ୍ୟକତା କ’ଣ ବୋଲି ପ୍ରଶ୍ନ କରିଛନ୍ତି।
ସେ ଦେଶ ପାଇଁ ନିର୍ବାଚନ ଜରୁରି ନା ନା ଶିକ୍ଷା ଓ ସ୍ୱାସ୍ଥ୍ୟ (ଧନି ଓ ଗରିବ ନିର୍ବିଶେଷରେ ସମସ୍ତଙ୍କ ନିମନ୍ତେ ସମାନ ମାନର ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା) ବୋଲି ପ୍ରଶ୍ନ କରିଛନ୍ତି। ଏହା ଛଡା ଏକ ଦେଶ ଏକ ନିର୍ବାଚନରୁ ସାଧାରଣ ଜନାତକୁ କ’ଣ ଲାଭ ମିଳିବ ବୋଲି ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି। ତେବେ ଏହା ପୂର୍ବରୁ ଆପ୍ ମନ୍ତ୍ରୀ ସୌରଭ ଭରଦ୍ୱାଜ୍ କହିଥିଲେ ଯେ ବିଜେପି ହିଣ୍ଡନବର୍ଗ ରିପୋର୍ଟ ୨.୦ରୁ ଧ୍ୟାନ ହଟାଇବା ପାଇଁ ଏପରି କରିଛି।
ଭରଦ୍ୱାଜ କହିଥିଲେ ଯେ ମୁଁ ସମ୍ପୂର୍ଣ୍ଣ ରୂପେ ଆଶ୍ୱସ୍ଥ ଯେ ଏହା ହିଣ୍ଡନବର୍ଗ ରିପୋର୍ଟ ୨.୦ର ବାସ୍ତବିକ ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ ମାତ୍ର ଏକ ବିତର୍କ। କେନ୍ଦ୍ର ସରକାର ‘ଇଣ୍ଡିଆ’ ଆଲାଏନ୍ସର ବର୍ଦ୍ଧିତ ଲୋକପ୍ରିୟତାରେ ଭୟଭୀତ ଓ ସେ ସମୟ ପୂର୍ବରୁ ନିର୍ବାଚନ କରାଇବା ପାଇଁ ଗୁରୁତ୍ୱ ଦେଇ ପାରନ୍ତି। ଉଲ୍ଲେଖଯୋଗ୍ୟ ଯେ ମୁମ୍ବାଇରେ ଅନୁଷ୍ଠିତ ‘ଇଣ୍ଡିଆ’ ଆଲାଏନ୍ସର ତୃତୀୟ ବୈଠକ ଦିନ ଅଚାନକ କେନ୍ଦ୍ର ସରକାର ଏକ ଦେଶ ଏକ ନିର୍ବାଚନ ନିମନ୍ତେ ଏକ କମିଟିର ଘୋଷଣା କରିଥିଲେ।
ପୂର୍ବତନ ରାଷ୍ଟ୍ରୁପତି ରାମନାଥ କୋବିନ୍ଦଙ୍କୁ ଏହି କମିଟିର ଅଧ୍ୟକ୍ଷ ମୋନୋନୀତ କରାଯାଇଥିବା ବେଳେ କମିଟି ନିମନ୍ତେ ୮ସଦସ୍ୟଙ୍କ ନାମ ଘୋଷଣା କରିଥିଲେ। ଏଥିରେ ସଦସ୍ୟ ରୂପେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ରଖା ଯାଇଥିବା ବେଳେ ଗୁଲାମ ନବୀ ଆଜାଦ, ଏନ.କେ.ସିଂହ, ସୁଭାଷ କଶ୍ୟପ, ଅଧିର ରଞ୍ଜନ ଚୌଧୁରୀ ଓ ଅନ୍ୟମାନଙ୍କୁ ମନୋନୀତ କରାଯାଇଛି। ତେବେ ଅଧିର ରଞ୍ଜନ ଚୌଧୁରୀ ଏପରି କୌଣସି କମିଟିରେ ସଦସ୍ୟ ହେବାକୁ ଅସ୍ୱୀକାର କରିଦେଇଛନ୍ତି।

