Type Here to Get Search Results !

ଓଡ଼ିଶାର ୨୦ରୁ ଅଧିକ ଜିଲ୍ଲାରେ ପ୍ରବଳ ବର୍ଷା ସହ ଘଡଘଡି ଆଲର୍ଟ


ଭୁବନେଶ୍ୱର :-

ଆସୁଛି ଗୋଟିଏ ନୁହେଁ ଦୁଇ ଦୁଇଟି ଲଘୁଚାପ! ରାଜ୍ୟରେ ଲାଗି ରହିବ ତୁହାକୁ ତୁହା ବର୍ଷା। କିଛି କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଉଛି। ରାଜ୍ୟର କିଛି ଜିଲ୍ଲାରେ ବର୍ଷାର ପରିମାଣ ମଧ୍ୟ ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ ୧୦ ଦିନ ମଧ୍ୟରେ ସୃଷ୍ଟି ହେବ ଲଘୁଚାପ।

ଆଗାମୀ ୧୦ ଦିନ ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ। ଦୁଇ ଦୁଇଟି ଲଘୁଚାପ ସୃଷ୍ଟି ହେବା ନେଇ ଆକଳନ କରୁଛନ୍ତି ପାଣିପାଗ ବିଶେଷଜ୍ଞ । ଏହାର ପ୍ରଭାବରେ ଆଜି ଠାରୁ ରାଜ୍ୟରେ ବର୍ଷାର ପରିମାଣ ଓ ବିସ୍ତୃତି ବଢ଼ିବ । ଆସନ୍ତାକାଲି ଓ ୧୩ ତାରିଖରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏଥିସହ ବଜ୍ରପାତ ନେଇ ୨୦ ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି । ସେପ୍ଟେମ୍ବର ପହିଲାରୁ ଏବେ ପର୍ଯ୍ୟନ୍ତ ରାଜ୍ୟରେ ସ୍ବାଭାବିକ ଠାରୁ ୩୦ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି । ଏଥିସହ ଚଳିତ ମୌସୁମୀ ସିଜିନରେ ୧୧ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୨ଟି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ଖୋର୍ଦ୍ଧା, କଳାହାଣ୍ଡି, ନୂଆପଡା, ବରଗଡ, ରାୟଗଡା, ଝାରସୁଗୁଡା, ଗଜପତି, କୋରାପୁଟ, ନବରଙ୍ଗପୁର, କନ୍ଧମାଳ ଓ ମାଲକାନାଗିରି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିବା ବେଳେ ଆଜି ଉପକୂଳବର୍ତ୍ତି ଜିଲ୍ଲା ତଥା ଉତ୍ତର-ପୂର୍ବ ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଉଛି। ସେଗୁଡିକ ମଧ୍ୟରେ ରହିଛନ୍ତି ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ, କେନ୍ଦୁଝର, ବୌଦ୍ଧ, ଢେଙ୍କାନାଳ, କେନ୍ଦ୍ରାପଡା, ଯାଜପୁର, କଟକ, ଜଗତସିଂହପୁର ସମେତ ଆଉ କିଛି ଜିଲ୍ଲା ।

ସେହିଭଳି ଆସନ୍ତାକାଲି ଅର୍ଥାତ୍ ସେପ୍ଟେମ୍ବର ୧୨ ତାରିଖରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ, କେନ୍ଦୁଝର, ବୌଦ୍ଧ, ଢେଙ୍କାନାଳ, କେନ୍ଦ୍ରାପଡା, ଯାଜପୁର, କଟକ, ଜଗତସିଂହପୁର, ନୟାଗଡ, ରାୟଗଡା, କୋରାପୁଟ, ନବରଙ୍ଗପୁର, ମାଲକାନାଗିରି, ପୁରୀ, ଗଞ୍ଜାମ ଭଳି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସହ ବିଜୁଳି ନେଇ ପୂର୍ବାନୁମାନ କରାଯାଇଛି ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.