ଚମ୍ପୁଆ :-
ଚମ୍ପୁଆ ବ୍ଲକ ଅନ୍ତର୍ଗତ ରାଇଗୁଡ଼ି ଗ୍ରାମରେ ସାପ କାମୁଡ଼ିବାରୁ ଏକ ନାବାଳିକା କରିସ୍ମା ମହାକୁଡ଼ (୧୨)ଙ୍କ ମୃତ୍ୟୁ ଘଟିଛି । ଗତ ରାତିରେ ତାକୁ ସାପ କାମୁଡିବା ପରେ ପରିବାର ଲୋକେ ଚମ୍ପୁଆ ଡାକ୍ତରଖାନାକୁ ଆଣିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ସୂଚନା ଅନୁଯାୟୀ, ଚମ୍ପୁଆ ବ୍ଲକ କରଞ୍ଜିଆ ପଞ୍ଚାୟତ ଅନ୍ତର୍ଗତ ରାଇଗୁଡ଼ି ଗ୍ରାମର କୁଶଧର ମହାକୁଡ଼ଙ୍କ ଝିଅ କରିସ୍ମା ମହାକୁଡ଼ ( ୧୨ ) ଙ୍କୁ ରାତିରେ ଶୋଇଥିବା ଅବସ୍ଥାରେ ସାପ କାମୁଡିବା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି । ରାତିରେ ପରିବାରର ପାଞ୍ଚ ଜଣ ସଦସ୍ୟ ପ୍ରତି ଦିନ ପରି ଖାଇପିଇ ମସିଣା ପାରି ଶୋଇ ଥିଲେ । ରାତି ପ୍ରାୟ ୧୧. ୩0 ମିନିଟ ସମୟରେ କରିସ୍ମା ସାପ ସାପ କହି ପାଟି କରିବାରୁ ସମସ୍ତେ ନିଦରୁ ଉଠି ଘର ଭିତରେ ଏକ ଚିତି ସାପ ଥିବାର ଦେଖିଥିଲେ । କିନ୍ତୁ ସାପଟି ଯେ କରିସ୍ମାକୁ କାମୁଡ଼ି ସାରି ଥିଲା ସେକଥା କେହି ଜାଣି ପାରି ନ ଥିଲେ । କିଛି ସମୟ ପରେ କରିସ୍ମା ହଠାତ କଷ୍ଟରେ ଛଟ ପଟ ହେବାରୁ ପରିବାର ଲୋକେ ସଙ୍ଗେ ସଙ୍ଗେ ୧0୮ ଆମ୍ବୁଲାନ୍ସ କୁ ଖବର ଦେଇଥିଲେ ।ଆମ୍ବୁଲାନ୍ସ ଯୋଗେ କରିସ୍ମାକୁ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟ କୁ ଅଣାଯାଇଥିଲା ।କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

