ପଦ୍ମପୁର :-
ପଦ୍ମପୁର ରେ ଉପ ନିର୍ବାଚନ ହେବା ନେଇ ତାରିଖ ଘୋଷଣା ହେବା ପରେ ସମସ୍ତ ଆଶାୟୀ ପ୍ରାର୍ଥୀ ନିଜର ନିଜର ଟିକେଟ ପାଇ ପ୍ରୟାସ ଜାରି ରଖିଛନ୍ତି । ବିଜେଡି ରୁ ଏ ପର୍ଯ୍ୟନ୍ତ ସ୍ବର୍ଗତ ବିଜୟ ରଞ୍ଜନ ସିଂ ବରିହା ଙ୍କ ଧର୍ମ ପତ୍ନୀ ତିଳୋତ୍ତମା ସିଂ ବରିହା ଆଶାୟୀ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ବୋଲି ଜଣା ଯାଉଛି ।ଲଗାତର ସମସ୍ତ ଉପ ନିର୍ବାଚନରେ ନିରଙ୍କୁଶ ସଫଳତା ହାସଲ କରିଥିବା ବିଜେଡି ବିରୋଧରେ ଧାମନଗର ରାୟ ବିଜେଡିକୁ ଆତ୍ମ ସମୀକ୍ଷା କରିବାକୁ ବାଧ୍ୟ କରିଥିବା ବେଳେ ବିଜେପି ପାଇଁ ବୁଷ୍ଟର ଡୋଜ୍ର କାମ କରିଛି । ୨୦୧୯ ସାଧାରଣ ନିର୍ବାଚନ ପରେ ବିଜେପି ସମଗ୍ର ଦେଶରେ ଭଲ ପ୍ରଦର୍ଶନ କରୁଥିବା ବେଳେ ଓଡିଶାରେ ଦେଖା ଦେଇଥିଲା ତାର ବ୍ୟତିକ୍ରମ । ସମସ୍ତ ଉପ ନିର୍ବାଚନ ଓ ପଞ୍ଚାୟତ ନିର୍ବାଚନରେ ବିଜେପିର ପ୍ରଦର୍ଶନ କେବଳ କର୍ମୀ ନୁହେଁ ଭୋଟରଙ୍କୁ ମଧ୍ୟ ନିରାଶ କରିଥିଲା । ସମସ୍ତେ ପ୍ରାୟ ନିଶ୍ଚିତ ହୋଇ ଯାଇଥିଲେ ଯେ ରାଜ୍ୟରେ ବିଜେଡିର ବିକଳ୍ପ ନାହିଁ ଓ ନବୀନଙ୍କ କରିସ୍ମା ଆଗରେ ସମସ୍ତେ ଫିକା । ଏହି ଅବଧାରଣକୁ ନେଇ ରାଜ୍ୟବାସୀ ବିଜେଡିକୁ ସମର୍ଥନ ଓଜାଡି ଦେଉଥିବା ବେଳେ ଧାମନଗର ନିର୍ବାଚନ ବିଜେପି ପାଇଁ ସଞ୍ଜିବନୀ ସଦୃଶ କାମ କରିଛି । ଦଳ ଓ କର୍ମୀଙ୍କ ଭିତରେ ଶକ୍ତି ସଞ୍ଚାର ହୋଇଛି । ନିର୍ବାଚନ ହାରିବାରେ ଅଭ୍ୟସ୍ତ ହୋଇସାରିଥିବା ରାଜ୍ୟ ବିଜେପି ଧାମନଗର ବିଜୟ ପରେ ଡିସେମ୍ବର ୫ରେ ହେବାକୁ ଥିବା ପଦ୍ମପୁର ନିର୍ବାଚନରେ ବିଜୟର ବାନା ଉଡାଇବା ପାଇଁ ଅଣ୍ଟା ଭିଡି ସାରିଲାଣି । ଯଦିଓ ଗତ ବିଧାନସଭା ନିର୍ବାଚନରେ ବିଜେଡି ବିଜେପି ଠାରୁ ପଦ୍ମପୁର ଆସନ ଛଡେଇ ନେଇଥିଲ କିନ୍ତୁ ଏଥର ତାହା ଏତେ ସହଜ ଭଳି ମନେ ହେଉ ନାହିଁ । ଧାମନଗର ଓ ପଦ୍ମପୁର ଭିତରେ କିଛି ସମାନତା ଓ କିଛି ଭିନ୍ନତା ରହିଛି । ୨୦୧୪ରେ ପଦ୍ମପୁର ଆସନ ବିଜେପି କବ୍ଜାରେ ଥିଲା । ବିଜେପିର ପ୍ରଦୀପ ପୁରୋହିତ ବିଜେଡିର ବିଜୟ ରଞ୍ଜନ ସିଂ ବରିହାଙ୍କୁ ହରାଇ ବିଜୟୀ ହୋଇଥିଲେ । କିନ୍ତୁ ୨୦୧୯ରେ ସମୀକରଣ ବଦଳିଗଲା । ବିଜେଡିର ବିଜୟ ରଞ୍ଜନ ସିଂ ବରିହା ବିଜେପିର ପ୍ରଦୀପ ପୁରୋହିତଙ୍କୁ ୫୭୩୪ ଖଣ୍ଡ ଭୋଟରେ ପରାଜିତ କରି ନିର୍ବାଚିତ ହେଲେ ।
ଧାମନଗର ପରି ପଦ୍ମପୁରରେ । ବିଜେପି ଟିକେଟ୍ ପାଇଁ ଆଶୀୟୀ ରାଜୁ ଘିବେଲା ଙ୍କୁ ଦଳ ନିରାଶ କରିବା ପରେ ସେ ସ୍ୱାଧୀନ ଭାବେ ନିର୍ବାଚନ ଲଢି ପାଇଥିଲେ ୪୫୧୨ ଖଣ୍ଡ ଭୋଟ୍ । ଯାହା ବିଜେପି ପରାଜୟ ମୁଖ୍ୟ କାରଣ ଥିଲା ବୋଲି କୁହାଯାଉଛି । ବର୍ତ୍ତମାନ ଧାମନଗରରେ ରାଜୁ ଦାସ ଯେଉଁ ଭଳି ବିଜେଡିକୁ ହରାଇବାରେ ମୁଖ୍ୟ ଭୁମିକା ଗ୍ରହଣ କଲେ ସେହିଭଳି ରାଜୁ ଘିବେଲା ପହ୍ମପୁରରେ ବିଜେପି ବିଜୟ ରାସ୍ତାରେ କଣ୍ଟା ସାଜିଥିଲେ । ହେଲେ ୨୦୧୯ ନିର୍ବାଚନ ପରେ ସମୀକରଣ ବଦଳ ସାରିଛି । ରାଜୁ ଘିବେଲା ଏବେ ବିଜେପି କ୍ୟାମ୍ପରେ ସାମିଲ ହୋଇସାରିଛନ୍ତି । ପ୍ରଦୀପ ପୁରୋହିତଙ୍କ ପାଇଁ ରାସ୍ତା ସଫା, ଧାମନଗରରୁ ବଳ ଗୋଟାଇ ଥିବା ବିଜେପି ପଦ୍ମପୁରର ନିର୍ବାଚନୀ ଟ୍ରାକ୍ରେ ଫୁଲ ଦମରେ ଦୌଡିବାକୁ ପ୍ରସ୍ତୁତ । ବିଜେପିର ରାଜ୍ୟ ଓ କେନ୍ଦ୍ର ନେତୃତ୍ୱ ଧାମନଗର ସଫଳତା ପରେ ପଦ୍ମପୁର ପାଇଁ ଫୁଲ୍ ଦମରେ ନିର୍ବାଚନ ମଇଦାନକୁ ଓହ୍ଲାଇବ । ହେଲେ ଧାମନଗର ଭଳି ବିଜେପି କଣ ଏଠି ବି ନିଜ ବିଜୟ ଅଭିଯାନ ଦୋହରାଇ ପାରିବ ? ଏ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ । ଥରେ ନଜର ପକାଇବା ଧାମନଗର ରାଜନୈତିକ ଇତିହାସ ଓ ବର୍ତ୍ତମାନର ଦୃଶପଟ୍ଟ ଉପରେ । ଝାରବନ୍ଦ ବ୍ଲକର ୧୪ ପଞ୍ଚାୟତ, ପଦ୍ମପୁରର ୨୨ ପଞ୍ଚାୟତ, ପାଇକମାଲର ୨୨ ପଞ୍ଚାୟତ ଓ ପଦ୍ମପୁର ଏନଏସିର ୧୧ ୱାର୍ଡକୁ ନେଇ ଗଠିତ ପଦ୍ମପୁର ନିର୍ବାଚନ ମଣ୍ଡଳୀ । ଏହା ଅଧିନରେ ରହିଛି ୮ଟି ଜିଲ୍ଲା ପରିଷଦ ଜୋନ୍ । ଗତ ପଞ୍ଚାୟତ ନିର୍ବାଚନରେ ଉଭୟ ବିଜେଡି ଓ ବିଜେପି ୪ଟି ଲେଖାଏଁ ଜୋନ୍ ଅକ୍ତିଆର କରିଥିବା ବେଳେ ପୌର ନିର୍ବାଚନରେ ମୋଟ୍ ୧୧ଟି ୱାର୍ଡରୁ ୭ଟି ବିଜେଡି ଓ ୪ଟି ବିଜେପି ଖାତାକୁ ଯାଇଥିଲା ଆଉ ଏଠାରେ ଚେୟାରମ୍ୟାନ ଆସନ ବିଜେଡି ଦଖଲକୁ ଆସିଥିଲା । ଏହି ସିଟ୍ରେ ବିଜେଡି ବିଜେପି ଭିତରେ କଡା ଟକ୍କର ଦେଖିବାକୁ ମିଳିଛି । ବିଜେପି ପ୍ରଦିପ ପୁରୋହିତଙ୍କୁ ପ୍ରାର୍ଥୀ କରିବା ପ୍ରାୟ ଏକ ପ୍ରକାର ନିଶ୍ଚିତ । କିନ୍ତୁ ପ୍ରଶ୍ନ ହେଉଛି ବିଜେଡି କାହାକୁ ପ୍ରାର୍ଥୀ କରିବ ? ପୂର୍ବ ଉପ ନିର୍ବାଚନକୁ ଦେଖିଲେ ଲାଗୁଛି ବିଜେଡି ହୁଏତ ବିଜୟ ରଞ୍ଜନଙ୍କ ଧର୍ମପତ୍ରୀ ତିଲୋତ୍ତମା ସିଂ ବରିହାଙ୍କୁ ପ୍ରାର୍ଥୀ କରିପାରେ । ଯଦି ବରିହାଙ୍କ ପରିବାର ବାହାରୁ କାହାକୁ ପ୍ରାର୍ଥୀ କରାଯାଏ ତେବେ ରେସ ରେ ଅଛନ୍ତି ନୂଆପଡାରେ କାର୍ଯ୍ୟରତ ଡେପୁଟି କଲେକ୍ଟର ମହେନ୍ଦ୍ର ବଢେଇ । ସେପଟେ କଂଗ୍ରେସ ତରଫରୁ ସତ୍ୟ ଭୁଷଣ ସାହୁ ଓ ସନ୍ତୋଷ ଶତପଥୀଙ୍କ ନାଁ ଚର୍ଚ୍ଚା ହେଉଛି । ତେବେ ମୁଖ୍ୟତ ଲଢେଇ ବିଜେପି ବିଜେଡି ମଧ୍ୟରେ ହେବ । ବିଜେପି ହାତରେ ବରଗଡ ଲୋକସଭା ଆସନ ଥିବାରୁ ସୁରେଶ ପୂଜାରୀ ଏହି ନିର୍ବାଚନରେ ମୁଖ୍ୟ ଭୁମିକା ତୁଲାଇବେ । ସେପଟେ ବିଜେଡିର ପୁରୁଖା ନେତା ପ୍ରଶନ୍ନ ଆଚାର୍ଯ୍ୟ ଓ ବରଗଡ ରାଜନୀତିର ଧୁରନ୍ଦର ଖିଲାଡି ସୁଶାନ୍ତ ସିଂଙ୍କୁ ବିଜେଡି ନିର୍ବାଚନ ଦାୟୀତ୍ୱ ଦେଇପାରେ । ଧାମନଗରର ଆସନ ଯଦିଓ ବିଜେପି ହାତରେ ଥିଲା କିନ୍ତୁ ଟିକେଟ୍ ବଣ୍ଟନ ନିଷ୍ପତ୍ତିରେ ସାମାନ୍ୟ ଭୁଲ ପାଇଁ ବିଜେଡିକୁ ବହୁମୂଲ୍ୟ ଦେବାକୁ ପଡିଛି । ଆଶା ଏଥର ବିଜେଡି ପୂର୍ବ ଭୁଲର ପୁନରାବୃତ୍ତି କରିବ ନାହିଁ । ଜନ ଭାବନାକୁ ସମ୍ମାନ ଜଣାଇ ସଠିକ୍ ଲୋକକୁ ଟିକେଟ୍ ଦେବ । ଆଉ ବିଜେପି ଧାମନଗର ନିର୍ବାଚନର ଫଳାଫଳକୁ ଆଧାର କରି ପୁଣି ଥର ପଦ୍ମପୁର ଦଖଲ ପାଇଁ ନିଜର ସମସ୍ତ ବଳ ଖଟାଇବ । ହେଲେ ସବୁ ସେଇ ଜନତା ଉପରେ ନିର୍ଭର କରୁଛି ଯେ ସେ କାହାକୁ ନିଜ ନେତା ବାଛିବ ??? ଏବଂ ବିଜୟୀ ପ୍ରାର୍ଥୀ କିଏ ହେବେ?
ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ

