Type Here to Get Search Results !

ଫସର ଫାଟିଲା ଚେଳିତୋଳ ବାଲିଯାତ୍ରା ଉଦଘାଟନୀ ସମାରୋହ


ତିର୍ତ୍ତୋଲ  :-

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ମହାନଦୀ ବେଳାଭୂମି ଗୋପିଆକୂଦ ଠାରେ ଚଳିତବର୍ଷ ଚେଳିତୋଳ ବାଲିଯାତ୍ରା ମହୋତ୍ସବ ପାଳନ କରାଯାଉଥିବା ବେଳେ ଆରମ୍ଭ ଦିନରୁ ହିଁ ଏହାକୁ ନେଇ ତୂମ୍ବୀତୋଫାନ ଲାଗିରହିଛି । ଆଜି ବାଲିଯାତ୍ରା ଉଦଘାଟନି ସମାରୋହ ଫସର ଫାଟିଥିବା ଦେଖିବାକୁ ମିଳିଛି।ବିଧାୟକଙ୍କ ମେରୀରାୟ ଶାସନ ଓ ତାଙ୍କର କେତେକ ହାତଗଣତି ଅନୁଗତଙ୍କ ଦବଙ୍ଗଗିରିକୁ ନେଇ ଚର୍ଚ୍ଚା ଜାରି ରହିଛି।ଚେଳିତୋଳ ବୋଇତ ବନ୍ଦାଣ ଓ ବାଲିଯାତ୍ରା ମହୋତ୍ସବ ଦଳମତ ନିର୍ବିଶେଷରେ ସମସ୍ତେ ମିଶି ଦୀର୍ଘ ଦୁଇ ଦଶନ୍ଧି ଧରି ପାଳନ କରି ଆସୁଥିବା ବେଳେ ଚଳିତବର୍ଷ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି।ପ୍ରାରମ୍ଭରୁ ତିର୍ତ୍ତୋଲର ବିଧାୟକ ମାନେ ସବୁବର୍ଗର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସହ ପ୍ରତିପକ୍ଷ ରାଜନୈତିକ ଦଳର ନେତା,ସଂଗଠକ ମାନଙ୍କୁ ସାଙ୍ଗରେ ନେଇ ଉତ୍ସବ ପାଳନ କରି ସ୍ୱତନ୍ତ୍ର ଭାଇଚାରା ପ୍ରତିଷ୍ଠା କରିଆସୁଥିଲେ।ଚଳିତବର୍ଷ ତିର୍ତ୍ତୋଲର ବିଜେଡି ବିଧାୟକ ବିଜୟ ଶଙ୍କର ଦାସ ଅନ୍ୟଦଳ କଥା ଦୂରରେ ଥାଉ ନିଜ ଦଳର ସାଂସଦ, ବିଧାୟକ ଓ ଦଳୀୟ ଜିଲ୍ଲାପରିଷଦ ମାନଙ୍କ ସହ ତିର୍ତ୍ତୋଲ ବ୍ଲକର ୨୯ଟି ପଞ୍ଚାୟତ ମଧ୍ୟରୁ ୨୦ ପଞ୍ଚାୟତର ଜନପ୍ରତିନିଧି ତଥା ସରପଞ୍ଚ ସମିତି ସଭ୍ୟଙ୍କୁ ଅଣଦେଖା କରି ଚେଳିତୋଳ ବାଲିଯାତ୍ରା ମହୋତ୍ସବ ଆୟୋଜନ କରିଥିବାରୁ ଏହାକୁ ନେଇ ସମଗ୍ର ଅଞ୍ଚଳ ସମେତ ବିଜେଡି ଦଳରେ ଝଡ ସୃଷ୍ଟି ହୋଇଛି।ଯାହାର ଫଳ ସ୍ୱରୂପ ଆଜିର ଉଦଘାଟନି ଉତ୍ସବକୁ କୌଣସି ଅତିଥି ନଆସିଥିବାରୁ ବିଧାୟକଙ୍କ ସମେତ ତାଙ୍କର କିଛି ଅନୁଗତ ଏବଂ ବୁଦ୍ଧିଦାତା ମାନେ ଦିନ ତମାମ କଟକ ଏବଂ ଭୁବନେଶ୍ୱରରେ ଡେରା ପକାଇ ଦଳୀୟ ନେତା ମନ୍ତ୍ରୀଙ୍କୁ ମନାଇବାରେ ନାକଘଷା ଉଦ୍ୟମ ଚଳାଇଥିଲେ ବୋଲି ବିଶ୍ୱସ୍ଥ ସୂତ୍ରରୁ ଖବର ମିଳିଛି।ଉପାୟ ନପାଇ ଚେଳିତୋଳ ବାଲିଯାତ୍ରାର ପ୍ରତିଷ୍ଠାତା ସଭାପତି ତଥା ତିର୍ତ୍ତୋଲର ପୁର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଶରଣ ପଶିଥିବା ଜଣାପଡିଛି।ଅକଳରେ ପଡିଥିବା ବିଧାୟକ ଓ ଚେଳିତୋଳ ବାଲିଯାତ୍ରା ଆୟୋଜକଙ୍କ ଦୋଷ ମାନିବା ପରି ଦୋଷ ଘୋଡାଇବାକୁ ରାତି ୯ଘଟିକାରେ ପହଞ୍ଚି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷଙ୍କୁ ସାଙ୍ଗରେ ମଞ୍ଚକୁ ନେଇ ପୁର୍ବତନ ବିଧାୟକ ତଥା ଚେଳିତୋଳ ବାଲିଯାତ୍ରା ପ୍ରତିଷ୍ଠାତା ସଭାପତି ଦେବାଶିଷ ସାମନ୍ତରାୟ ଆସନ୍ତାକାଲି ଠାରୁ ସବୁଦଳର ନେତା, ସମସ୍ତଙ୍କୁ ନେଇ ପାଳନ କରାଯିବ ବୋଲି ଘୋଷଣା କରିଥିଲେ।ତିର୍ତ୍ତୋଲ ସାମ୍ବାଦିକ ସଂଘ ଚେଳିତୋଳ ବାଲିଯାତ୍ରା ବର୍ଜନ କରିଥିବାରୁ ଶ୍ରୀ ସାମନ୍ତରାୟ ଚେଳିତୋଳ ବାଲିଯାତ୍ରାର ସଫଳତାରେ ସ୍ଥାନୀୟ ସାମ୍ବାଦିକଙ୍କର ବିଶେଷ ଅବଦାନ ରହିଛି ବୋଲି କହି ମଞ୍ଚରୁ ଅପସରି ଯାଇଥିଲେ।ତିର୍ତ୍ତୋଲ ବିଧାୟକଙ୍କୁ ଉପୁଜିଥିବା ସମାସ୍ୟା ତୁରନ୍ତ ସମାଧାନ କରିବା ପାଇଁ ପ୍ରତିଷ୍ଠାତା ସଭାପତି ନିର୍ଦ୍ଦେଶ ଦେଇଥିବା ଜାଣିବାକୁ ମିଳିଛି। ୨୦୦୨ମସିହାରୁ ଚେଳିତୋଳ ବାଲିଯାତ୍ରା ମହୋତ୍ସବ ତିର୍ତ୍ତୋଲର ଗଣପର୍ବ ଭାବେ ପାଳନ କରାଯାଉଥିବା ବେଳେ ଅବିଭକ୍ତ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରଜନପ୍ରତିନିଧି, ସାଧାରଣ ଲୋକ, ପ୍ରଶାସନିକ କର୍ମଚାରୀ, ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷଙ୍କୁ ନେଇ ପାଳନ କରାଯାଇଆସୁଥିଲା। ଆଜିର କାର୍ଯ୍ୟକ୍ରମ ଫସର ଫାଟିଥିବା ବେଳେ ଆଗାମୀ ଦିନର କାର୍ଯ୍ୟକ୍ରମ ସୁଚାରୁ ରୂପେ ସମ୍ପାଦନ ନେଇ ସନ୍ଦିହାନ ସୃଷ୍ଟି ହୋଇଛି। ଜଗତସିଂହପୁୁୁରରୁ ସତ୍ୟବ୍ରତ ସାମଲ ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.