ଗଞ୍ଜାମ :-
ଖଲ୍ଲିକୋଟ୧୨/୧୧/୨୨(TRO24)ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଲଙ୍ଗଳେଶ୍ବର ନିକଟରେ ଆଜି ଭୋର ସମୟରେ ଏକ ଦୁର୍ଘଟଣା ଘଟିଛି । ଜାତୀୟ ରାଜପଥର ଡିଭାଇଡରକୁ ଧକ୍କା ଦେଇ ଓଲଟିଲା ଶୁଖୁଆ ବୋଝେଇ ମିନିଟ୍ରକ । ଏଥିରେ ୮ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି।
ସୂଚନା ମୁତାବକ ପୁରୀ ପେଣ୍ଠକଟା ଅଞ୍ଚଳର ୮ ଜଣ ମହିଳା ଶୁଖୁଆ ବ୍ୟବସାୟୀ ଶୁଖୁଆ ନେଇ ହୁମ୍ମା ହାଟକୁ ଏକ ମିନିଟ୍ରକ ନମ୍ବର OD 07 F 6573 ଯୋଗେ ଆସୁଥିଲେ । ଆଜି ଭୋର ୫ଟା ସମୟରେ ହଠାତ ୧୬ ନମ୍ବର ଜାତୀୟ ରାଜପଥର ଲଙ୍ଗଳେଶ୍ବର ନିକଟରେ ମିନିଟ୍ରକଟି ଭାରସାମ୍ୟ ହରାଇ ଡିଭାଇଡରକୁ ଶକ୍ତ ଧକ୍କା ଦେଇ ରାସ୍ତା ଉପରେ ଓଲଟି ପଡ଼ିଥିଲା । ଯାହା ଫଳରେ ଗାଡ଼ି ଭିତରେ ଥିବା ୮ଜଣ ମହିଳାଙ୍କ ମଧ୍ୟରୁ ୬ ଜଣ ଗୁରୁତର ଆହତ ହୋଇଥିଲେ । ଖବର ପାଇ ଭେଜିପୁଟ ଫାଣ୍ତି ପୋଲିସ, ଅଗ୍ନିଶମ ବାହିନୀ ପହଂଚି ସ୍ଥାନୀୟ ଲୋକଙ୍କ ସହାୟତାରେ ୬ ଗୁରୁତର ମହିଳାଙ୍କୁ ଚିକିତ୍ସା ପାଇଁ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲା । ପରେ ୪ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ପୋଲିସ ଘଟଣାର ତଦନ୍ତ କରୁଥିବା ଦେଖିବାକୁ ମିଳିଛି । ଗଞ୍ଜାମ ଜିଲ୍ଲାରୁ ଆଶିଷ ରାଓଙ୍କ ରିପୋର୍ଟ

