Type Here to Get Search Results !

ପ୍ରକୃତି ଓ କୃଷି ଭିତ୍ତିକ ବାନ୍ଦନା ପରବ ପାଇଁ ଚଳଚଞ୍ଚଳ ଗ୍ରାମାଞ୍ଚଳ


କେନ୍ଦୁଝର :-

ପ୍ରକୃତି ଓ କୃଷି ଭିତ୍ତିକ ବାନ୍ଦନା ପରବ ପାଇଁ କେନ୍ଦୁଝର ଜିଲ୍ଲାର ପୁରପଲ୍ଲୀ ଚଳଚଞ୍ଚଳ ହୋଇ ଉଠିଛି। କାର୍ତ୍ତିକ ଅମାବାସ୍ୟା ରେ ଆଦିବାସୀ କୁଡୁମି ସମେତ ହଳ ମିତାନ୍ ସଂସ୍କୃତି ର ଅନ୍ୟାନ୍ୟ ଆଦିବାସୀ ମାନେ ମଧ୍ୟ ବାନ୍ଦନା ପରବ ପାଳନ କରିଥାନ୍ତି।ଏହି ପର୍ବ ରେ କୁଡ଼ମାଲି ଭାଷା ର ଲୋକ ସଙ୍ଗୀତ ଗାନ କରି କରି ଘର ଘର ଧେଙ୍ଗୁଆନ୍ ବୁଲାଯାଇଥାଏ। ଏହି ବାନ୍ଦନା ପରବ ର ପ୍ରସ୍ତୁତି ପାଇଁ ଘର ଗୁଡିକୁ ମାଟି ରେ ଲିପା ପୋଛା କରି ନୂତନ ରଙ୍ଗ ରେ ରଙ୍ଗୀନ କରିଥାନ୍ତି ଏହି ସମ୍ପ୍ରଦାୟର ଲୋକମାନେ। ଘର ଗୁଡିକୁ ନୂତନ ରୂପେ ସଜ୍ଜିତ କରି ହାତୀ ଲେଖେନ ବାନ୍ଦନା ପରବ କୁ ସ୍ୱାଗତ କରାଯାଇଥାଏ। ବର୍ତ୍ତମାନ ଗ୍ରାମାଞ୍ଚଳ ର ହାଟ ମାନଙ୍କରେ ମାଟି ସାମଗ୍ରୀ ଓ ନୂତନ ବସ୍ତ୍ର ର ଆସର ଜମି ଥିବାର ଦେଖିବାକୁ ମିଳୁଥିବା ବେଳେ ଘର ମାନଙ୍କରେ ମାଦଳ ଓ ନାଗରା ମରାମତି ହେଉଥିବା ସହ ଧାତିଙ୍ଗ ତିଙ୍ଗ ଶବ୍ଦ ରେ କମ୍ପି ଉଠୁଛି ଅଞ୍ଚଳ। ଘର ଗୁଡ଼ିକ ନୂତନ ରୂପରେ ସଜେଇ ହେଲାଣି। ଏହି ପର୍ବ ବାସ୍ତବ ରେ ପାଞ୍ଚ ଦିନ ଧରି ପାଳନ ହେଉଥିବା ବେଳେ ବ୍ୟସ୍ତ ବହୁଳ ଜୀବନ ଜୀବିକା କାରଣ ରୁ ମୁଖ୍ୟତଃ ତିନି ଧରି ପାଳନ କରାଯାଇଥାଏ। ପ୍ରଥମ ଦିନକୁ ଗୋଠ ପୂଜା,ଦ୍ୱିତୀୟ ଦିନକୁ ଗୋହାଳ ପୂଜା ଓ ତୃତୀୟ ଦିନକୁ ବୁଢୀ ବାନ୍ଦନା ଓ ଗୋରୁ ଖୁଣ୍ଟା ଭାବେ ପାଳନ କରାଯାଇଥାଏ। ଏହି ଦିନ ବଳଦ ଓ ପଣ୍ଡା ଙ୍କୁ ଖୁଣ୍ଟ ରେ ବାନ୍ଧି ନେତୃତ୍ୱ ନେବାର ତାଲିମ ଦିଆଯାଇଥାଏ। ଜଙ୍ଗଲୀ ପଶୁ କବଳ ରୁ ସୁରକ୍ଷା ପାଇଁ ବାଘ ଛାଲ ର ଚମଡ଼ା ରେ ମାଦଳ ଓ ନାଗରା ର ତାଳେ ତାଳେ ନଚା ଯାଇଥାଏ।

 ଏହି ପର୍ବ ରେ ନଅ (୯) ଗୋଟି ପ୍ରାକୃତିକ ଶକ୍ତି କୁ ନଅ (୯) ଗୋଟି କୁକୁଡ଼ା ସମର୍ପଣ କରି ଆରାଧନା କରାଯାଇଥାଏ। ନଅ ଗୋଟି ପ୍ରାକୃତିକ ଦେବା ଦେବୀ ଯଥା- ଗରାମ୍ /ଜାହିର ମାଇଁ, ଧରମ୍ ଦେଉତା,ବସମତା,ଗରୟା,ଗୋସାଇଁ ରାଇ,ବଳ ପାହାଳ, ବାନସିନୀ,କୁଦ୍ରା ଓ ବାଘୁତ ଆଦି ଙ୍କୁ ଏହି ପର୍ବ ରେ ଆରାଧନା କରାଯାଇଥାଏ। ଏହି ପର୍ବ ରେ କୃଷିକାର୍ଯ୍ୟ ରେ ସହଯୋଗ କରିଥିବା ପଶୁଧନ ଯଥା-ପଣ୍ଡା,ମଇଁଷି,ଗାଈ, ବଳଦ ଓ କୃଷି କାର୍ଯ୍ୟ ରେ ସହାୟକ ଯନ୍ତ୍ରପାତି ଯଥା-ହଳ, ଲଙ୍ଗଳ, ଜୁଆଳି, ମଇ, କୁରୁଡ଼, ଟ୍ରାକ୍ଟର, ପାୱାର ଟିଲର ଆଦିକୁ ବନ୍ଦାପନା କରାଯାଇଥାଏ। ଏହି ପର୍ବ ରେ ନିଜସ୍ୱ କୁଡୁମି ଦେହୁରୀ/ମହତୋ ଗୋଠାନ୍ ରେ ପୂଜା କରିବାର ସାମାଜିକ ବ୍ୟବସ୍ଥା ରହିଥିବା ବେଳେ ଘରେ ଘରର ମୁଖିଆ ପୂଜା କରିବାର ବ୍ୟବସ୍ଥା ରହିଛି। ଏହା ହେଉଛି ସ୍ୱତନ୍ତ୍ର କୁଡ଼ମାଲି ସଂସ୍କୃତି ର ବାନ୍ଦନା ପରବ ର ବୈଶିଷ୍ଟ୍ୟତା।

କେନ୍ଦୁଝର ରୁ ସୁଶାନ୍ତ କୁମାର ସେଠୀଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.