ଝାରସୁଗୁଡ଼ା :-
କୋଭିଡ ସଂକ୍ରମଣ ବୃଦ୍ଧି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧାରଣ ସ୍ଥାନମାନଙ୍କରେ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଛି । ଏକ କାର୍ଯ୍ୟାଳୟ ଆଦେଶ ଜାରି ପୂର୍ବକ ଜିଲ୍ଲାପାଳ ଚଳିତ ଜୁଲାଇ ମାସ ୨୧ତାରିଖରୁ ଆଗାମୀ ଏକ ମାସ ବ୍ୟାପୀ ସମସ୍ତ ଜିଲ୍ଲାବାସୀଙ୍କ ପାଇଁ ଏହି ମାସ୍କ ପରିଧାନ କରିବାକୁ ବାଧ୍ୟତାମୂଳକ କରିବା ସହିତ ସାମାଜିକ ଦୂରତା ରକ୍ଷା କରିବା ଓ ସାମୁହିକ ପରିଚ୍ଛନତା ଅବଲମ୍ବନ କରିବା ପାଇଁ ଗୁରୁତ୍ୱ ଦେଇଛନ୍ତି । ଜିଲ୍ଲାର ସମସ୍ତ ତହସିଲଦାର ଅଧିକୃତ ଅଧିକାରୀ ଭାବରେ ସମ୍ପୃକ୍ତ ଅଞ୍ଚଳରେ ଜିଲ୍ଳାପାଳଙ୍କ ଆଦେଶ ଅନୁପାଳନ ନେଇ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସେହିପରି ଜିଲ୍ଲାରେ ଏହି ଆଦେଶ ଯେପରି ଯଥାଯଥ ଭାବରେ ଅନୁପାଳନ କରାଯିବ ସେ ଦିଗରେ ପଦକ୍ଷେପ ନେବାକୁ ଆରକ୍ଷୀ ଅଧିକ୍ଷକଙ୍କୁ ସୂଚିତ କରାଯାଇଛି । ଆଦେଶ ଉଲଂଘନକାରୀଙ୍କ ବିରୁଦ୍ଧରେ ଏପିଡେମିକ ଡିଜିଜ ଆକ୍ଟ ଓ ପ୍ରଚଳିତ କୋଭିଡ ରେଗୁଲେସନ ଅନୁସାରେ ଦଣ୍ଡବିଧାନ କରାଯିବ । ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡ଼ଙ୍ଗା ଙ୍କ ରିପୋର୍ଟ


