ଭଦ୍ରକ :-
ସ୍କୁଲରେ ଠାକୁର ପୂଜା କରିବା ପାଇଁ କହିଥିଲେ ଶିକ୍ଷୟିତ୍ରୀ । ଛାତ୍ରୀ ଜଣକ ପୂଜା କରିବା ବେଳେ ଭୁଲ ବଶତଃ ଢାଳି ହୋଇ ଯାଇଥିଲା ପାଣି। ଏତିକି କଥା ପାଇଁ ଛାତ୍ରୀଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିବା ଅଭିଯୋଗ ହୋଇଛି। ଏବେ ଛାତ୍ରୀ ଜଣଙ୍କ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଛାତ୍ରୀଙ୍କ ପରିବାର ଲୋକେ ଭଣ୍ଡାରିପୋଖରୀ ଥାନାରେ ଏକ ଲିଖିତ ଏତଲା ଦେଇଛନ୍ତି । ଏମିତି ଏକ ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ୍ ଅନ୍ତର୍ଗତ ପାଟୁଳି ପଞ୍ଚାୟତ ଅରେଇକଣା ୟୁଜିଏମଇ ସ୍କୁଲରୁ । ଅଭିଯୋଗ ଅନୁଯାୟୀ, ଶିକ୍ଷୟିତ୍ରୀଙ୍କ ମାଡରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀ ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ସୂଚନା ଅନୁଯାୟୀ ଅନନ୍ତ ପରିଡାଙ୍କ ଝିଅ ଲିଜାରାଣୀ ସ୍ଥାନୀୟ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପାଠ ପଢ଼ନ୍ତି । ଲିଜାରାଣୀ ବିଦ୍ୟାଳୟକୁ ଆସିଥିବା ବେଳେ ଶିକ୍ଷୟିତ୍ରୀ ସୁକାନ୍ତି ଦେଇ ଅଫିସ ଗୃହରେ ଥିବା ଠାକୁରଙ୍କ ପୂଜା କରିବା ପାଇଁ କହିଥିଲେ । ଲିଜାରାଣୀ ଠାକୁର ପୂଜା କରୁଥିବା ବେଳେ ଅନ୍ୟମନସ୍କ ଯୋଗୁଁ ଗୋଡ଼ ବାଜି ପାଣି ଢାଳି ହୋଇଯାଇଥିଲା। ଏଥିରେ ଶିକ୍ଷୟିତ୍ରୀ ଜଣକ ଉତକ୍ଷିପ୍ତ ହୋଇ ଛାତ୍ରୀ ଜଣକୁ ବେତରେ ପିଟିଥିଲେ। ଝିଅ ବିଦ୍ୟାଳୟରୁ ଯିବା ପରେ ମା’ଙ୍କୁ ସବୁକଥା କହିଥିଲେ । ପରଦିନ ସ୍ବାଭାବିକ ଭାବେ ସ୍କୁଲକୁ ମଧ୍ୟ ଆସିଥିଲେ । ଘଟଣାର ଦୁଇ ଦିନ ପରେ ଛାତ୍ରୀ ଜଣଙ୍କ ଝାଡା ପରିସ୍ରା କରିବାରେ କଷ୍ଟ ଅନୁଭବ କରିବାରୁ ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ତାଙ୍କ ବାପା ଅନନ୍ତ ସବୁ ଜାଣିବାକୁ ପାଇ ବିଦ୍ୟାଳୟକୁ ଆସି ଏ ବାବଦରେ ପଚାରିବାରୁ ଶିକ୍ଷୟିତ୍ରୀ ତାଙ୍କୁ ମଧ୍ୟ ଧମକ ଚମକ ଦେଇଥିବା ଅଭିଯୋଗ ହୋଇଛିି । ଝିଅର ସ୍ୱାସ୍ଥ୍ୟବସ୍ଥା ଖରାପ ଆଡକୁ ଗତି କରୁଥିବା ବେଳେ ବାପା ମା ଏବେ ଲିଜାରାଣୀକୁ ନେଇ ଭଦ୍ରକ ମେଡିକାଲରେ ଚିକିତ୍ସିତ କରାଉଛନ୍ତି। ଏ ସମ୍ପର୍କରେ ଥାନାରେ ଲିଖିତ ଭାବେ ଜଣାଯାଇଥିଲେ ସୁଦ୍ଧା ସମ୍ପୃକ୍ତ ଶିକ୍ଷୟତ୍ରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଏ ବାବଦରେ ବ୍ଲକ ଶିକ୍ଷାଧିକାରୀଙ୍କ ମତାମତ ନେବାରୁ ସେ ଘଟଣା ବାବଦରେ ସାମାନ୍ୟ ଜାଣିଥିବା କହିଥିଲେ । ଅଭିଯୋଗ ମିଳିଲେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ବ୍ଲକ ଶିକ୍ଷାଧିକାରୀ ଜଣାଇଛନ୍ତି। ଭଦ୍ରକ ଜିଲ୍ଲା ରୁ ସେକ ସାହିଦ କାଦିରି ଙ୍କ ରିପୋର୍ଟ୍।

