ବଲାଙ୍ଗିର :-
ବଲାଙ୍ଗିର ଜାତୀୟ ରାଜପଥ ପ୍ରଶସ୍ତିକରଣ ନକରି ଡିଭାଇଡର ନିର୍ମାଣକୁ ଜନସାଧାରଣ ନାପସନ୍ଦ କରିଛନ୍ତି। ବଲାଙ୍ଗିର ପ୍ରଶାସନର ଦୂରଦୃଷ୍ଟିର ଅଭାବ ଯୋଗୁ ପୁରୁଣା ସରକାରୀ ବସଷ୍ଟାଣ୍ଡ ସାମ୍ନାରେ ନିର୍ମିତ ହୋଇଥିବା ଡିଭାଇଡର ମରଣ ଯନ୍ତା ପାଲଟିଛି। ଗତ ପନ୍ଦର ଦିନ ମଧ୍ୟରେ ଏଠାରେ ହାରାହାରି ଦଶଟି ଗାଡି ଦୁର୍ଘଟଣାଗ୍ରସ୍ତ ହୋଇସାରିଲାଣି ।ତଥାପି ପ୍ରଶାସନ ନିରବ । ଡିଭାଇଡର ପାଇଁ ବିଚରା ଗାଡି ଚାଳକମାନେ ହେଉଛନ୍ତି ବାରମ୍ବାର ଦୁର୍ଘଟଣାର ଶିକାର। ଛୋଟ ଗାଡି ଠୁ ବଡ ଗାଡି ଯାଏ ସଭିଏଁ ଏହି ଦୁର୍ଘଟଣା ଯନ୍ତାରେ ପଡି ଛଟପଟ ହୋଇ ସାରିଲେଣି, କିନ୍ତୁ କୁମ୍ଭକର୍ଣ୍ଣ ନିଦ୍ରାରେ ବଲାଙ୍ଗିର ଜିଲ୍ଲା ପ୍ରଶାସନ। ଆଜି ପୁଣି ସକାଳୁ ସକାଳୁ ପୂର୍ବପରି ସେହି ଦୁର୍ଘଟଣାର କାୟା ବିସ୍ତାର କରିଥିବା ଡିଭାଇଡରରେ ବଡ ଟ୍ରକ ଦୁର୍ଘଟଣା ଘଟାଇ ଫସି ରହିଛି। ଯାହାକି ସହରରେ ଟ୍ରାଫିକ ସମସ୍ୟା ହେବା ସ୍ଵାଭାବିକ। ଏଠାରେ ବଲାଙ୍ଗିର ମୁନିସିପାଲଟି ଠାରୁ ଭଡା ସୂତ୍ରରେ ନେଇଥିବା ଦୋକାନ ଘର ଗୁଡିକ ରାସ୍ତା ଉପରକୁ ମାଡି ଆସି ପାଦଚଲା ରାସ୍ତାକୁ ଚାପି ସାରିଲେଣି। ପ୍ରତ୍ୟେକ ଦୋକାନୀ ୮ ରୁ ୧୦ ଫୁଟ ଯାଏ ଦୋକାନ ମାନ ଆଗକୁ ବଢ଼ାଇଛନ୍ତି। ସେମାନଙ୍କୁ ନଉଠାଇଲେ ରାସ୍ତା ଏକ ପାଖିଆ କରିବା ପାଇଁ ଜାଗା କାହିଁ ? ଜାତୀୟ ରାଜପଥ ସହର ମଧ୍ୟରେ ଗଲା ବେଳେ ରାସ୍ତା ପ୍ରଶସ୍ତିକରଣ ନକରି ଡିଭାଇଡର ନିର୍ମାଣ କରିବା କେତେ ଯୁକ୍ତିଯୁକ୍ତ ଆଜି ପ୍ରଶ୍ନବାଚୀ ହୋଇଛି। ସବୁଠାରୁ ଆଶ୍ଚର୍ଯ୍ୟ କରୁଛି, ଲୋକଙ୍କ କଥାକୁ ହେୟଜ୍ଞାନ କରି ଜାତୀୟ ରାଜପଥ ବିଭାଗ ନିର୍ବାହୀ ଯନ୍ତ୍ରୀ ତାଙ୍କର ପଢ଼ିଥିବା ପାଠ ଅନୁସାରେ ଏହି ନିର୍ମାଣ କାର୍ଯ୍ୟ କରିଛନ୍ତି। ଏଠି ଅନେକ ସଂଗଠନ ରହିଥିଲେ ମଧ୍ୟ ଏ ଦିଗରେ ନିଘା ନକରିବା ଓ ପ୍ରତିବାଦର ସ୍ଵର ନଉଠାଇବା ଆଶ୍ଚର୍ଯ୍ୟର ବିଷୟ । ଯଥାଶିଘ୍ର ଏ ଦିଗରେ ବିହିତ ପଦକ୍ଷେପ ପ୍ରଶାସନ ନେବାକୁ ବିଭିନ୍ନ ସଂଗଠନ ପକ୍ଷରୁ ଦାବି ହେଉଛି।ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍

