ଚମ୍ପୁଆ - ଚମ୍ପୁଆ ବ୍ଲକ ଅନ୍ତର୍ଗତ ରିମୁଳି ସାପ୍ତାହିକ ହାଟ ଏକ ବଡ ହାଟ ଭାବରେ ଆଖ ପାଖ ଅଞ୍ଚଳରେ ପ୍ରସିଦ୍ଧ। ପ୍ରତି ସୋମବାର ଦିନ ବସୁଥିବା ଏହି ହାଟ କୁ ଆଖ ପାଖ ଅଞ୍ଚଳରୁ ଅନେକ ଲୋକ ନିଜ ଉତ୍ପାଦିତ ପନି ପାରିବା ଓ ଅନ୍ୟାନ୍ୟ ସାମଗ୍ରୀ ବିକ୍ରି କରିବାକୁ ଆସନ୍ତି। ପ୍ରକାଶ ଥାଉ କି ଏହି ହାଟ ରେ ପନିପାରିବା, ଲୁଗା, ତେଜରାତି ସାମଗ୍ରୀ, ଜୋତା, କଂସା ବାସନ, ଠାରୁ ଆରମ୍ଭ କରି କୁକୁଡ଼ା ଓ ଛେଳି ମେଣ୍ଢା ପର୍ଯ୍ୟନ୍ତ ସବୁ କିଣା ବିକା ହୁଏ। ଏଥିପାଇଁ ଏହି ହାଟ କୁ ଆଖ ପାଖର ଲୋକ ମାନେ ଆସିବା ସହିତ ଅନେକ ଦୂର ଦୁରନ୍ତର ରୁ ବ୍ୟବସାୟୀ ମାନେ ମଧ୍ୟ ଆସିଥାନ୍ତି ।
ହାଟ ରେ ସକାଳୁ ସନ୍ଧ୍ୟା ଯାଏଁ ପ୍ରବଳ ଜନଗହଳି ଦେଖିବାକୁ ମିଳେ। ଚମ୍ପୁଆ ଆରଏମସି ପକ୍ଷ ରୁ ଏହି ହାଟକୁ ସାମଗ୍ରୀ ବିକ୍ରୀ କରିବାକୁ ଆସିଥିବା ଲୋକ ମାନଙ୍କ ଠାରୁ ସେମାନେ ବିକ୍ରୀ କରିବାକୁ ଆଣିଥିବା ସାମଗ୍ରୀ ଅନୁସାରେ କର ଆଦାୟ କରିଥାନ୍ତି। ଏକ ବର୍ଷ ରୁ ଅଧିକ ହେବ ଚମ୍ପୁଆ ଆରଏମସି ତରଫରୁ ଏହି ହାଟ ରେ ଲୋକ ମାନଙ୍କ ପାଇଁ ଏକ ଶୌଚାଳୟ ତିଆରି କରାଯାଇଛି। କିନ୍ତୁ ଦୁଃଖର ବିଷୟ ଏହି ଶୌଚାଳୟ ତିଆରି ହେବା ଦିନ ଠାରୁ ସେଥିରେ ତାଲା ଝୁଲୁଥିବା ଦେଖିବାକୁ ମିଳିଛି। ହାଟକୁ ଆସୁଥିବା ଜନସାଧାରଣ ଶୌଚ ହେବାପାଇଁ ନାହିଁ ନ ଥିବା ଅସୁବିଧା ଭୋଗ କରୁଛନ୍ତି। ପୁରୁଷ ମାନେ ଏହି ଶୌଚାଳୟ ବନ୍ଦ ଥିବା ଦେଖି ଏହା ପାର୍ଶ୍ଵରେ ପରିସ୍ରା କରୁଥିବା ଦେଖିବାକୁ ମିଳିଛି। ହାଟକୁ ଆସୁଥିବା ମହିଳା ମାନେ ଏହି ଶୌଚାଳୟ ବନ୍ଦ ଥିବା ଯୋଗୁ ଶୌଚ ହେବାପାଇଁ ଅସୁବିଧା ର ସମ୍ମୁଖୀନ ହେଉଥିବା ଦୃଷ୍ଟି ଗୋଚର ହେଉଛି। ଚମ୍ପୁଆ ଆରଏମସି କର୍ତ୍ତୃପକ୍ଷ ଏହି ହାଟ ରୁ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରୁଥିବା ବେଳେ ଜନ ସାଧାରଣଙ୍କୁ ଶୌଚାଳୟ ପରି ଏକ ମୌଳିକ ସୁବିଧା ଯୋଗାଇ ଦେବାରେ ଅସମର୍ଥ ହେଉଥିବାରୁ ହାଟକୁ ଆସୁଥିବା ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଚମ୍ପୁଆ ଆରଏମସି ସେକ୍ରେଟାରୀ ଶ୍ରୀ ଦିଗମ୍ବର ପ୍ରଧାନ ଙ୍କୁ ଏ ବିଷୟରେ ଫୋନ ଯୋଗେ ପଚାରିବାରୁ ସେ ପ୍ରଥମେ ଶୌଚାଳୟ ପ୍ରତି ହାଟ ଦିନ ଖୋଲା ରହୁଛି ବୋଲି ସଫେଇ ଦେଇଥିଲେ। କିନ୍ତୁ ଆମ ପ୍ରତିନିଧି ଏହି ଶୌଚାଳୟ କୌଣସି ହାଟ ଦିନ ଖୋଲା ନ ରହୁଥିବା ର ପ୍ରମାଣ ରହିଥିବା କଥା କହିବାରୁ ସେକ୍ରେଟାରୀ ମହୋଦୟ ମୁଁ ମୋ ରିମୁଳି ହାଟ ଡିଉଟି ରେ ଥିବା କର୍ମଚାରୀ ମାନଙ୍କୁ ହାଟ ଦିନ ଶୌଚାଳୟ ଖୋଲା ରଖିବା ପାଇଁ କହିଛି ଯଦି ସେମାନେ ଶୌଚାଳୟ କୁ ଖୋଲୁ ନାହାଁନ୍ତି ତେବେ ମୁଁ ଏବେ ଠାରୁ କିପରି ସବୁ ହାଟ ଦିନ ଶୌଚାଳୟ ଖୋଲା କହିବ ସେ ପ୍ରତି ଦୃଷ୍ଟି ଦେବି ବୋଲି କହିଛନ୍ତି।
କେନ୍ଦୁଝର ରୁ ସୁଶାନ୍ତ କୁମାର ସେଠୀଙ୍କ ରିପୋର୍ଟ


