Special Story
ଜୀବନଯାତ୍ରାରେ ସେ ଜଣେ ନିସଙ୍ଗ, ନିର୍ଭୀକ ଓ ନିଷ୍ଠାବାନ ପଦାତିକ , ଏଥିରେ ସନ୍ଦେହ ନାହିଁ । ଆଦ୍ୟ ଜୀବନରେ ସଫଳତା ପରେ ନିର୍ବାଚନରେ ଅସଫଳ ସମୟରେ ନିଜ ଦୁଇ ଯୁବକ - ପୁଅଙ୍କୁ ହରାଇଲେ । ତା ପରେ ସ୍ବାମୀଙ୍କ ମୃତ୍ୟୁ । ଆର୍ଥିକ, ସାମାଜିକ ଓ ପାରିବାରିକ ସ୍ତରରେ ବ୍ୟାପକ କ୍ଷତି । ଚାଲିଗଲେ ଅବସାଦ (ଡିପ୍ରେଶନ)କୁ । କିନ୍ତୁ ହାର୍ ମାନିବା ତାଙ୍କ ପାଇଁ ଥିଲା ଅସମ୍ଭବ । ରାଜନୀତି ଛାଡ଼ି ସମାଜ ସେବା କ୍ଷେତ୍ରରେ ମନ ଦେଲେ । ଆଧ୍ୟାତ୍ମକ ସଙ୍ଗଠନରେ କାମ କରି ସମାଜର ଶୋଷିତ ଶ୍ରେଣୀର ଉତ୍ଥାନ ପାଇଁ ପ୍ରୟାସରତ ହେଲେ ଦଶନ୍ଧି ଧରି। ପୁନଶ୍ଚ ପାର୍ଟି ତାଙ୍କୁ ବିଶ୍ୱାସକୁ ନେଇ ଗୁରୁଦାୟିତ୍ଵ ଅର୍ପଣ କଲା ରାଜ୍ୟପାଳଭାବେ । ଦେଶର ପ୍ରଥମ ଆଦିବାସୀ ମହିଳା ରାଜ୍ୟପାଳ ଭାବରେ ଗୌରବ ଲାଭ କଲେ । ଝାଡ଼ଖଣ୍ଡର ପ୍ରଥମ ରାଜ୍ୟପାଳ ହେଲେ, ଯିଏ ୫ବର୍ଷ ପୂରଣ କଲେ । କହିବାର ବାହୁଲ୍ୟ ଝାଡ଼ଖଣ୍ଡ ଲୋକେ ଏବେ ବି ଝୁରୁଛନ୍ତି ।
ଝିଅଟିଏ, ନିପଟ ସାନ୍ତାଳୀ ପରିବାରରୁ ଆସି ରମାଦେବୀ ବିଶ୍ଵବିଦ୍ୟାଳୟରେ ରାଜନୀତି ବିଜ୍ଞାନରେ ସ୍ନାତକ ଲାଭ କରି ଶିକ୍ଷୟିତ୍ରୀ ଭାବରେ ଆତ୍ମନିର୍ଭରଶୀଳ ହେବା, ତାହା ପୁଣି ତିରିଶ ବର୍ଷ ତଳେ; ଏକ ଛୋଟ ଘଟଣା ନୁହେଁ । ରାଇରଙ୍ଗପୁର ପୌରପରିଷଦର କାଉନସିଲର ପଦରୁ ରାଇସିନା ହିଲ୍ସର ସର୍ବୋଚ୍ଚ ପଦବୀ - ଏହି ଜୀବନ ଯାତ୍ରା କେବଳ ଭାରତ ନୁହେଁ ; ସମଗ୍ର ବିଶ୍ବ ସମୁଦାୟରେ ସ୍ଵପ୍ନଭୁକ୍ ତମାମ୍ ଝିଅମାନଙ୍କୁ ପ୍ରେରିତ କରିବ ଏଥିରେ ସନ୍ଦେହ ନାହିଁ । ଆଦିବାସୀ ଝିଅଟିଏ ଝୁଣା, ଲାଖ ଭିତରେ ନିଜ ଜୀବନ ଏବେ ସାରିବ ନାହିଁ, ତିନି ସେନାର କମାଣ୍ଡିଂ ଅଥରିଟି ହେଇ ପାରିବ ; ମହିଳା ସଶକ୍ତିକରଣର ଏହା ଠାରୁ ଆଉ ଭଲ ଉଦାହରଣ ଆଉ କଣ ହୋଇପାରେ । ପୂର୍ବରୁ ପଦ୍ମ ପୁରସ୍କାର, ଲୁଟ୍ୟେନ୍ସ ଦିଲ୍ଲୀର ଲବି ଉପରେ ନିର୍ଭର କରୁଥିଲା ବେଳେ ଏବେ ତାହା ପିପଲ୍ସ ପଦ୍ମ ଭାବରେ ପରିଣତ ହୋଇଛି । ଠିକ୍ ସେହିପରି ସେ ନିଶ୍ଚୟ ଭାବରେ ପିପଲ୍ସ ପ୍ରେସିଡେଣ୍ଟ ଭାବରେ ଆଗାମୀ ଦିନରେ ପରିଗଣିତ ହେବେ, ଆଶା ଓ ବିଶ୍ବାସ । ବିଶ୍ଵ ସମୁଦାୟ ଯଦି ଓବାମାଙ୍କୁ Black Man in White House ପଦବାଚ୍ୟ କରି ନୋବେଲ ଶାନ୍ତି ପ୍ରଦାନ କଲେ, ତେବେ ଭାରତୀୟମାନେ ଜଣେ ଅଭିଜ୍ଞ ଆଦିବାସୀ ମହିଳାଙ୍କୁ ପ୍ରଥମ ନାଗରିକ ଭାବରେ ସମ୍ମାନ ଦେଇ ଇତିହାସ ସୃଷ୍ଟି କରିବାର ବେଳକୁ କରଛଡା କରିବା ଅନୁଚିତ୍ ।କେନ୍ଦ୍ରାପଡ଼ା ରୁ ବ ନିରଞ୍ଜନ ଓଝା ଙ୍କ ରିପୋର୍ଟ

