ପଦ୍ମପୁର :-
ବିଧବା ସ୍ବାମୀ ପରିତ୍ଯକ୍ତା,ଦିବ୍ଯାଙ୍ଗ ମହିଲା ମାନଙ୍କ ଦୁଃଖ ଶୁଣିବାକୁ ନା ପ୍ରଶାସନ ଅଛି ନା ନିର୍ବାଚିତ ପ୍ରତିନିଧି ଅଛନ୍ତି ? ଦୀର୍ଘ ବର୍ଷ ଧରି ନିଜେ ରହୁଥିବା ଜମି ପଟା ହେବା ପରିବର୍ତ୍ତେ ରାଜସ୍ବ ବିଭାଗ କୁ ଧରି ଅନ୍ଯ ଜଣେ ଧନୀଲୋକ ୮ଟି ପରିବାରର ଜମିକୁ ନିଜ ନାମରେ ରେକର୍ଡ କରାଇ ନେବା ଘଟଣାରେ ପ୍ରତିବାଦ କରି ପଦ୍ମପୁର ବିଧାୟକ,ଉପ ଜିଲ୍ଲାପାଳ,ତହସିଲଦାର ଙ୍କ ପାଖରେ ଗତ ୩ ବର୍ଷ ଧରି ଗୁହାରୀ କରି ଲିଖିତ ଅଭିଯୋଗ ହେବା ସତ୍ତ୍ବେ କେହି ଏହି ଗରିବ ମହିଲା ମାନଙ୍କୁ ସହାୟତା କରୁ ନଥିବା ମହିଲା ମାନେ କୋହ ଭରା କଣ୍ଠରେ ପ୍ରକାଶ କରିଛନ୍ତି । ଘଟଣାରୁ ପ୍ରକାଶ ଯେ,ପଦ୍ମପୁର ରାଜ ବୋଡାସମ୍ବର ବ୍ଲକ ଅନ୍ତର୍ଗତ ବରିକେଲ ଗ୍ରାମ ପଞ୍ଚାୟତର ସିଂହନପୁର ଗ୍ରାମରେ ଜେଲ ପାଖରେ ଏକ ସରକାରୀ ଜମିରେ ଦୀର୍ଘ ୩୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ମାଟି ଝାଟି ଘର ନିର୍ମାଣ କରି ୮ଟି ପରିବାର ବସବାସ କରୁଥିବା ବେଳେ ଏବେ ଗତ କିଛି ବର୍ଷ ହେବ ଜଣ ଧନୀଲୋକ ଏହି ପରିବାର କୁ ସେଠାରୁ ଉଠାଇ ଜମି ଦଖଲ କରିବା ଉଦ୍ୟମ ଚଲାଇ ଥିବାବେଳେ ଏହି ମହିଲା ମାନେ ବିଧାୟକ,ଉପ ଜିଲ୍ଲାପାଳ,ତହସିଲଦାର ଙ୍କ ଠାରେ ଅଭିଯୋଗ କରିଛନ୍ତି । କେତେକ ବିଧବା,ଦିବ୍ଯାଙ୍ଗ ଓ ସ୍ବାମୀ ପରିତ୍ଯକ୍ତା ଥିବାବେଳେ ତାଙ୍କ ନାମ ପ୍ରଧାନମନ୍ତ୍ରୀ ଆବାସ ତାଳିକାରେ ସାମିଲ ହୋଇ ବ୍ଲକରୁ ଘର ନିର୍ମାଣ ର ୱାର୍କ ଅର୍ଡର ପାଇଥିବା ବେଳେ ଜମି ବିବାଦ ଯୋଗୁଁ ଘର ମଧ୍ଯ ନିର୍ମାଣ କରିପାରୁ ନଥିବା ସେମାନେ ପ୍ରକାଶ କରିଥିଲେ । ଶ୍ରୀମତୀ ଶକୁଲାଲ ପାଣ୍ତେ,ସୁକାନ୍ତି ମେହେର,ତେଜସ୍ପିନୀ ମେହେର ପୁଣି ଥରେ ପଦ୍ମପୁର ଉପ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି ଏହି ଗରିବ ମହିଲାଙ୍କ ପ୍ରତି ସୁବିଚାର କରିବା ପାଇଁ ନିବେଦନ କରିଛନ୍ତି ।
ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ

