Type Here to Get Search Results !

ବଲାଙ୍ଗିର ହିଟ୍ ଆଣ୍ଡ ରନ୍ ଘଟଣା: ଚିତ୍ତରଞ୍ଜନ ହିଁ ମୁଖ୍ୟ ଅଭିଯୁକ୍ତ - ଏସପି, ବଲାଙ୍ଗିର


ବଲାଙ୍ଗିର :-

 ବଲାଙ୍ଗିର ହିଟ୍ ଆଣ୍ଡ ରନ୍ ଘଟଣା ଏକ ଯୋଜନାବଦ୍ଧ ହତ୍ୟା ଷଡ଼ଯନ୍ତ୍ର ଥିଲା। ଚିତ୍ତରଞ୍ଜନ ମହାନ୍ତି ହିଁ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ। ସେ ହିଁ ହତ୍ୟା ଉଦ୍ୟମ କରି ଏହାକୁ ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରିଥିଲା। ଗଣମାଧ୍ୟମ ସମ୍ମୁଖରେ ବଲାଙ୍ଗିର ଏସ୍‌ପି ନୀତିନ୍ କୁଶଲକ ଡାଗଡୁ ଏପରି ଚାଞ୍ଚଲ୍ୟକର ସୂଚନା ଦେଇଥିବା ବେଳେ ସିସିଟିଭି ଫୁଟେଜରୁ ମଧ୍ୟ ଏହା ସ୍ପଷ୍ଟ ହେଉଛି। ଜମିଜମା ବିବାଦରୁ ହୋଇଥିବା ଏହି ଯୋଜନାବଦ୍ଧ ହତ୍ୟା ଷଡ଼ଯନ୍ତ୍ରରେ ଚିତ୍ତରଞ୍ଜନ ଙ୍କ ସମେତ ୩ ଜଣଙ୍କ ସମ୍ପୃକ୍ତି ରହିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ମୁଖ୍ୟ ଅଭିଯୁକ୍ତ ଚିତ୍ତର ଗୋଡ଼ ଭାଙ୍ଗିଥିବା ବେଳେ ବଲାଙ୍ଗିର ପୁଲିସ୍‌ ହେପାଜତରେ ତା’ର ଚିକିତ୍ସା ଚାଲିଛି। ଗତକାଲି ପୋଲିସ୍‌ ୨ ଜଣଙ୍କୁ ଆଣି ପଚରାଉଚରା କରୁଥିବା ବେଳେ ସେମାନଙ୍କୁ ଛାଡ଼ି ଦେଇଥିବା ଜଣାଯାଇଛି। ଏହାବାଦ ଏହି ଘଟଣାକୁ ବାସ୍ତବ ରୂପ ଦେବାକୁ ତଥା ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବାକୁ ଚିତ୍ତ ମହାନ୍ତି କୁ ଆଉ ୨ ଜଣ ସହଯୋଗ କରିଥିବା ଜଣାପଡ଼ିଛି। ସେମାନଙ୍କୁ ବଲାଙ୍ଗୀର ପୋଲିସ୍‌ ଖୋଜୁଛି।

ମିନି ଟ୍ରକରେ ୨ ଜଣ ଥିବା ବେଳେ ଏହାକୁ କିଏ ଚଳାଉଥିଲେ ତାର ତଦନ୍ତ ଚାଲିଛି ବୋଲି କହିଛନ୍ତି ଏସ୍‌ପି। ହେଲେ ଏବେ ଭାଇରାଲ ହେଉଥିବା ଏକ ଭିଡିଓରେ ମିନି ଟ୍ରକ୍‌ର ଡ୍ରାଇଭର ସିଟ୍‌ରେ ଚିତ୍ତ ରଞ୍ଜନ ମହାନ୍ତି ବସିଥିବା ଦେଖିବାକୁ ମିଳିଛି। ସେଥିରୁ ଚିତ୍ତ ହିଁ ଗାଡ଼ି ଚଳାଉଥିବା ସ୍ପଷ୍ଟ ଜଣାପଡୁଛି।

ଗତ ଶନିବାର ହୋଇଥିବା ଏହି ଦୁର୍ଘଟଣା ଯେ ଦୁର୍ଘଟଣା ନୁହେଁ, ତାହା ପ୍ରଥମରୁ ହିଁ ସନ୍ଦେହ ହେଉଥିଲା। ପରେ ସ୍ପଷ୍ଟ ଜଣାପଡ଼ିଲା ଯେ, ସାନୁ ନାୟକଙ୍କୁ ଗାଡ଼ି ମଡ଼ାଇ ହତ୍ୟା କରିବାକୁ ଉଦ୍ୟମ କରାଯାଇଥିବା ବେଳେ ଏହାକୁ ଦୁର୍ଘଟଣାର ରୂପ ଦେବାକୁ ଷଡ଼ଯନ୍ତ୍ର ହୋଇଥିଲା। ସୌଭାଗ୍ୟବଶତଃ ସାନୁ ବଞ୍ଚି ଯାଇଥିଲେ ମଧ୍ୟ ତାଙ୍କ ସାଙ୍ଗରେ ଥିବା ଶ୍ରୀକାନ୍ତ ବାଗଙ୍କ ମୃତ୍ୟୁ ହୋଇଥିଲା।

ଏହା ଏକ ସନ୍ଦେହଜନକ ଦୁର୍ଘଟଣା ବୋଲି ବଲାଙ୍ଗିର ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜାଣିବା ପରେ ଏହାର ଅଧିକ ତଦନ୍ତ ପାଇଁ ଶନିବାର ଅପରାହ୍ନରେ ଏକ ଟିମ୍‌ ମେଡିକାଲରେ ପହଞ୍ଚିଥିଲା। ମାତ୍ର ସେତେବେଳେ ସେଠାରେ ଚିତ୍ତ ମହାନ୍ତି ନ ଥିବା ବେଳେ ସେ ବିଶାଖାପାଟଣା ପଳାଇବାକୁ ଉଦ୍ୟମ କରୁଥିଲା। ଏକଥା ଜାଣିପାରି ବଲାଙ୍ଗିର ପୋଲିସ ଥୁଆମୁଳ ପୋଲିସ୍‌ ସହାୟତାରେ ତାକୁ ଓଡ଼ିଶା- ଆନ୍ଧ୍ର ବର୍ଡରରୁ ବଲାଙ୍ଗିର ଅଣାଯାଇଛି। ଏବେ ତା’ର ଚିକିତ୍ସା ଚାଳିଥିବା ବେଳେ ଚିତ୍ତ ମହାନ୍ତି ସୁସ୍ଥ ହେବା ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତିବଲାଙ୍ଗୀର ଏସପି ସିସିଟିଭିରେ କଏଦ ଦୁର୍ଘଟଣାର ଦୃଶ୍ୟ ।

ପୁଲିସ ସୂଚନା ଅନୁସାରେ ଦୁର୍ଘଟଣା ପରେ ୨ ଜଣ ରାସ୍ତାରେ ପଡ଼ି ଛଟପଟ ହେଉଥିଲେ। କୌଣସି ବ୍ୟକ୍ତି ଚିତ୍ତ ମହାନ୍ତି କୁ ପ୍ରଥମେ ମେଡିକାଲ ନେଇଥିଲେ। ତାଙ୍କୁ କିଏ ମେଡିକାଲ ନେଇଥିଲେ ପୁଲିସ ଏବେ ତାହାର ତଦନ୍ତ ଚଳାଇଛି।

ଫିଲ୍ମ ଷ୍ଟାଇଲରେ ଏହି ହତ୍ୟା ଯୋଜନା ହୋଇଥିବା ବେଳେ ଏହାକୁ ଦୁର୍ଘଟଣାର ରୂପ ଦେବାକୁ ସମସ୍ତ ପ୍ରକାର ଚେଷ୍ଟା ହୋଇଥିଲା। କିଲର ମିନି ଟ୍ରକ୍‌ର ନମ୍ବର ପ୍ଲେଟରେ କିଛି ସମୟ ପୂର୍ବରୁ କାଳି ବୋଳାଯାଇଥିଲା। ତା’ ନମ୍ବର ଭୁଲ ଥିବା ତଦନ୍ତରୁ ଜଣାପଡ଼ିଥିଲା। ଏହିପରି ତଦନ୍ତରୁ ଅନେକ ଗହନ କଥା ଧୀରେ ଧୀରେ ପଦାକୁ ଆସିବାରେ ଲାଗିଛି।

ସୂଚନାଯୋଗ୍ୟ, ଗତ ଶନିବାର ବଲାଙ୍ଗିର ସିରିଜ୍‌ ଦୁର୍ଘଟଣାରେ ଆହତ ଚିତ୍ତ ମହାନ୍ତି ଓ ସାନୁ ନାୟକ ସେମାନଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରାଯାଇଥିଲା ବୋଲି ଅଭିଯୋଗ କରିଥିଲେ। ଆହତ ଚିତ୍ତ କାହା ନାଁ ନେଇ ନଥିବା ବେଳେ ସାନୁ କିନ୍ତୁ ସିଧାସଳଖ ଚିତ୍ତ ମହାନ୍ତି ଙ୍କ ନାଁ ନେଇଥିଲେ। ପରେ ସାମ୍ନାକୁ ଆସିଥିଲା ଦୁର୍ଘଟଣାସ୍ଥଳରେ ଲାଗିଥିବା ସିସିଟିଭିରେ କଏଦ ଦୃଶ୍ୟ। ଯେଉଁଥିରୁ ଜଳଜଳ ସବୁ ଦେଖାଯାଉଛି। କିଲର ମିନି ଟ୍ରକ୍‌ରେ ଚିତ୍ତ ରଞ୍ଜନ ମହାନ୍ତି ଡ୍ରାଇଭର ସିଟ୍‌ରେ ବସିଥିଲେ। ଉକ୍ତ ସମୟରେ ତାଙ୍କ ପାଖ ସିଟ୍‌ରେ ଆଉ ଜଣେ ବସିଥିଲେ। ମିନିଟ୍ରକଟି ବାଟରେ ଯାଉଥିବା ବାଇକ୍‌କୁ ଧକ୍କା ଦେଇଥିଲା। ବାଇକ୍‌ରେ ସାନୁ ଓ ଶ୍ରୀକାନ୍ତ ବସିଥିଲେ। ଦୁର୍ଘଟଣାରେ ଶ୍ରୀକାନ୍ତର ମୃତ୍ୟୁ ହୋଇଯାଇଛି।

ବାଇକ୍‌କୁ ଧକ୍କା ଦେଇ ମିନିଟ୍ରକଟି ଏକ ଗଛରେ ପିଟିହୋଇ ରାସ୍ତା ମଝିକୁ ବୁଲି ଯାଇଥିଲା। ଏହି ସମୟରେ ରାସ୍ତାରେ ଆସୁଥିବା ଅନ୍ୟ ଏକ ଟ୍ରକ ମିନିଟ୍ରକକୁ ଧକ୍କା ଦେଇଥିଲା। ଏହି ଧକ୍କାରେ ଚିତ୍ତଙ୍କ ବାମ ଗୋଡ଼ ଭାଙ୍ଗିଯାଇଥିଲା। ତେଣୁ ସେ ଫେରାର ହୋଇ ପାରି ନ ଥିଲେ। ହେଲେ ତାଙ୍କ ସହଯୋଗୀ ଫେରାର ହୋଇଯାଇଥିବାରୁ ତାଙ୍କୁ ଖୋଜୁଛି ବଲାଙ୍ଗୀର ପୁଲିସ୍‌।ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ୟାମି ସାହୁ ଙ୍କ ରିପୋର୍ଟ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.