Type Here to Get Search Results !

ଐତିହାସିକ ଚୌଧୁରୀ ପ୍ରତାପ ରାୟଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ସମାରୋହ


କେନ୍ଦ୍ରାପଡ଼ା :-

ତୁଳସୀକ୍ଷେତ୍ରାନ୍ତର୍ଗତ କେନ୍ଦ୍ରାପଡା ସହର ଉପକଣ୍ଠ ସଂସ୍କୃତି ସମ୍ପନ୍ନ ଅରଡପଲ୍ଲୀ ଗ୍ରାମର ଏକ ସମ୍ଭ୍ରାନ୍ତ ଜମିଦାର ପରିବାରରେ ସନ ୧୯୩୯ ରେ ପିତା ଗୋକୁଳ ଚନ୍ଦ୍ର ଓ ମାତା ଦେବକୀଙ୍କ କୋଳ ମଣ୍ଡନ କରିଥିବା ସେଦିନର ଶିଶୁପୁତ୍ର ଚୌଧୁରୀ ପ୍ରତାପ କୁମାର ରାୟ ଦୀର୍ଘ ତେୟାଅଶୀ ବର୍ଷର ବଳୟକୁ ଭେଦ କରି ଗତ ତିନି ବର୍ଷ ତଳେ ଇହଲୀଳା ସମ୍ବରଣ କରିଛନ୍ତି ।ପ୍ରଶାସନିକ କ୍ଷେତ୍ରରେ ମହାମହିମ ରାଜ୍ୟପାଳଙ୍କର ତତ୍କାଳୀନ ଡେପୁଟି କମିଶନର ଭାବେ ସେବାନିବୃତ୍ତ ଜୀବନାୟନ ତୋଳିଥିବା ଶ୍ରୀଯୁକ୍ତ ଚୌଧୁରୀ ଥିଲେ ବାଣୀସାଧକ , କେନ୍ଦ୍ରାପଡାର ବରପୁତ୍ର ।

ଜଣେ ପ୍ରସିଦ୍ଧ ସୀତାର ବାଦକଭାବେ ଆନ୍ତର୍ଜାତିକ ସ୍ଵୀକୃତି ଲାଭ କରି ସେ ଓଡିଶାକୁ ଗୌରବାନ୍ଵିତ କରିଥିଲେ ।ସାରସ୍ଵତ ସାଧନାର ବଳୟରେ ସେ ସୃଷ୍ଟି କରିଥିଲେ ଅଗଣନ ମନନଶୀଳ ତଥ୍ୟଭିତ୍ତିକ ପ୍ରବନ୍ଧ ମାଳା । "କେନ୍ଦ୍ରାପଡା ଜିଲ୍ଲା ଇତିହାସ "ର ଗବେଷଣା ଲବ୍ଧ ଜ୍ଞାନବତ୍ତାକୁ ସମର୍ପି ଦେଇଥିଲେ ତିନୋଟି ଭାଗରେ ; କେନ୍ଦ୍ରାପଡା ଜିଲ୍ଲା ଇତିହାସ ( ଭାଗ ୧ // ୨ //୩ ) ଓ କନିକା ରାଜା ରାଜେନ୍ଦ୍ର ଭଞ୍ଜ ଦେଓ ଗ୍ରନ୍ଥରେ ।

ଅନେକ ସାରସ୍ଵତ ଅନୁଷ୍ଠାନର ସଫଳ ସ୍ରଷ୍ଟା ପୁରୁଷଙ୍କ ଆକସ୍ମିକ ବିୟୋଗରେ ସମଗ୍ର ସାହିତ୍ୟ ଜଗତ ସେଦିନ ସ୍ତମ୍ବୀଭୂତ ହୋଇଯାଇଥିଲା । ଅଧିକନ୍ତୁ ରାଜଶ୍ରୀ କଳା ଓ ସାହିତ୍ୟ ସଂସଦର ଦିଗଦର୍ଶକ ଭାବେ ଗୋଟିଏ ଦଶନ୍ଧି କାଳ ସେ ଆମକୁ ଅନୁଗୃହୀତ କରିଥିଲେ ।


ସେହି ମହାନ୍ ବ୍ୟକ୍ତିତ୍ଵଙ୍କୁ ଶ୍ରଦ୍ଧା ସୁମନ ସମର୍ପଣ କରିବା ପାଇଁ ରାଜ୍ୟ ଉତ୍କଳ ସମ୍ମିଳନୀ ସଂଗଠନ ଦ୍ଵାରା ତୃତୀୟ ବାର୍ଷିକ ଶ୍ରାଦ୍ଧ ଉତ୍ସବ ଭୁବନେଶ୍ୱର ସ୍ଥିତ ଇସ୍କନ ମାଉସୀ ମାଆ ମନ୍ଦିର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ସ୍ମୃତି କମିଟିର ଆବାହକ ସୁଦର୍ଶନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମୃତିସଭାରେ ସାହିତ୍ୟିକ ଗୁରୁକଲ୍ୟାଣ ମହାପାତ୍ର ମୁଖ୍ୟ ଅତିଥି , ପତ୍ରକାର ପ୍ରଦୋଷ ପଟ୍ଟନାୟକ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବା ବେଳେ ରାଜଶ୍ରୀର ସମ୍ପାଦକ ଆଶୁକବି ହେମନ୍ତ ଜେନା ଓ ଅଧ୍ୟାପକ ଡକ୍ଟର ସଂଗ୍ରାମ କେଶରୀ ରାଉତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଦିବ୍ୟାତ୍ମାଙ୍କ ଜୀବନଚର୍ଯ୍ୟା ଉପରେ ଆଲୋକପାତ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ପ୍ରଶାନ୍ତ କୁମାର ରାୟ , ନିହାର ରଞ୍ଜନ ସାମଲ, ରତ୍ନା ସାମଲ , ନୀଳରତନ ରାୟ , ମନରଞ୍ଜିତା ରାୟ , ଅଳକା ରାୟ , ପ୍ରଭାତ କୁମାର ରାୟ ଆଦି ଦିବଂଗତ ରାୟଙ୍କ ସ୍ମୃତି ଚାରଣ କରିଥିଲେ । ଶ୍ରାଦ୍ଧ ବାସର ଅବସରରେ ସ୍ଵର୍ଗତ୍ ପ୍ରତାପ ରାୟଙ୍କ ସ୍ମୃତିରେ " ଶ୍ରଦ୍ଧା ସୁମନ " ସ୍ମରଣିକା ଲୋକାର୍ପତ ହୋଇଥିଲା।ଏହି ଅବସରରେ ରାଜଶ୍ରୀର ସମ୍ପାଦକ ହେମନ୍ତ ଜେନା ଭାବଭକ୍ତିର ଭଜନ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ପରେ ଭୁବନେଶ୍ୱରର "ଭକ୍ତି ଅର୍ଘ୍ୟ ଭଜନ ଗ୍ରୁପର ମୁଖ୍ୟ ଶିବାଶିଷ ଓ ସାଥି ମାନେ ଭଜନ ପରିବେଷଣ କରିଥିଲେ। ପରିଶେଷରେ ସ୍ଵର୍ଗତ୍ ରାୟଙ୍କ ଜ୍ୟେଷ୍ଠ ସନ୍ତାନ ରତନ ଝଙ୍କାର ରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

ସେହିପରି କେନ୍ଦ୍ରାପଡା ଜିଲ୍ଲାରେ ମଧ୍ୟ ଗରାପୁର ସ୍ଥିତ ଗୋପାଳଜୀଉ ମନ୍ଦିର ପରିସରରେ ଦିବ୍ୟାତ୍ମାଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ସୁଦର୍ଶନ ମହାପାତ୍ରଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଉତ୍ସବରେ ବିଶିଷ୍ଟ ସାହିତ୍ୟିକ ଡକ୍ଟର ସର୍ବେଶ୍ଵର ଶେଣ , ସାରଥୀ କାନୁନଗୋ ଏବଂ ରାଜଶ୍ରୀର ସଭାପତି ବିଶିଷ୍ଟ ପରିବେଶବିତ୍ କାଶୀନାଥ ରାଉତରାୟ ପ୍ରମୂଖ ଦିବ୍ୟାତ୍ମାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆତ୍ମାଙ୍କୁ ଅମରତ୍ଵ ପ୍ରଦାନ କରନ୍ତୁ ।କେନ୍ଦ୍ରାପଡ଼ା ରୁ  ନିରଞ୍ଜନ ଓଝା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.