Type Here to Get Search Results !

ବ୍ରଜରାଜନଗର ଉପ ନିର୍ବାଚନ କୁ ନେଇ ଗଣମାଧ୍ୟମ କୁ ବିସ୍ତୃତ ସୂଚନା

 

ଝାରସୁଗୁଡ଼ା :-

ବ୍ରଜରାଜନଗର ବିଧାନସଭା ଉପ ନିର୍ବାଚନ ପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦିବସ ଧାର୍ଯ୍ୟ କରାଯାଇଛି । ଆଜି ଏ ସଂକ୍ରାନ୍ତରେ ଜିଲ୍ଲାପାଳ ସରୋଜ କୁମାର ସାମଲ ଏକ ବୈଠକରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ବିସ୍ତୃତ ସୂଚନା ପ୍ରଦାନ କରିଥଲେ । ଚଳିତ ମେ' ମାସ ୪ ତାରିଖରେ ଉପ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଯାଉଥିବା ବେଳେ ମେ ' ୧୧ତାରିଖ ମନୋନୟନ ପତ୍ର ଦାଖଲର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି । ସେହିପରି ମେ ' ୧୨ରେ ପ୍ରାର୍ଥୀ ପତ୍ର ଯାଞ୍ଚ ଓ ମେ'୧୭ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ପାଇଁ ଧାର୍ଯ୍ୟ କରାଯାଇଛି । ମେ ' ୩୧ ତାରିଖରେ ଉପ ନିର୍ବାଚନ ଅନୁଷ୍ଠିତ ହେବ ଓ ଆସନ୍ତା ଜୁନ୍ ୩ ତାରିଖରେ ଭୋଟ ଗଣତି କରାଯିବ । ଜୁନ୍ ୫ତାରିଖରେ ନିର୍ବାଚନ ପ୍ରକ୍ରିୟା ସମ୍ପନ୍ନ ହେବ । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ସୂଚନା ଦେଇ କହିଲେ , ନିର୍ବାଚନ ଆୟୋଗଙ୍କ ଦ୍ୱାରା ଚଳିତ ମେ ମାସ ଦୁଇ ତାରିଖରୁ ପ୍ରେସ ବିଜ୍ଞପ୍ତି ପ୍ରକାଶ ପାଇବା ଦିବସରୁ ଆଦର୍ଶ ଆଚରଣ ବିଧି ଲାଗୁ ହେବ ଏବଂ ଚାରି ତାରିଖରୁ ମନୋନୟନ ପତ୍ର ଦାଖଲ କରାଯିବ । ଅବାଧ, ନିରପେକ୍ଷ ତଥା ଶାନ୍ତିପୂର୍ଣ୍ଣ ନିର୍ବାଚନ ଅନୁଷ୍ଠିତ ହେବା ସକାଶେ ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିର୍ଦ୍ଧାରିତ ଆଚରଣ ସଂହିତା କଡ଼ାକଡ଼ି ଭାବରେ ଅନୁପାଳନ କରାଯିବ । ଏଥି ସକାଶେ ଜିଲ୍ଲାପାଳ ଭୋଟର , ରାଜନୈତିକ ଦଳ , ପ୍ରାର୍ଥୀ ଏବଂ ଗଣମାଧ୍ୟମର ସହଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି । ଦୁଇ ଶହ ସତାବନ ବୁଥରେ ଦୁଇ ଲକ୍ଷ ଚଉଦ ହଜାର ଦୁଇ ଶହ ଏକଷଠି ଜଣ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ । ନୂତନ ପଞ୍ଜିକରଣ ସକାଶେ ମତଦାତାଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ । ଆଚରଣ ବିଧି ଉଲଂଘନକାରୀଙ୍କ ପ୍ରତି ଦୃଷ୍ଟି ରଖିବା ପାଇଁ ବିଭିନ୍ନ ସ୍କ୍ବାର୍ଡ ଗଠନ , ନିର୍ବାଚନୀ ବୈଠକ ଓ ଶୋଭାଯାତ୍ରା , ଖର୍ଚ୍ଚ , ପେଡ ନିଉଜ ଓ ପ୍ରଚାର ପାଇଁ ଉଦ୍ଦିଷ୍ଟ ବ୍ୟାନର , ପୋଷ୍ଟର ଓ ଲିଫଲେଟ ଆଦିର ମୁଦ୍ରଣ ଓ ବ୍ୟବହାର ସମ୍ପର୍କରେ ଜିଲ୍ଲାପାଳ ଆଲୋଚନା କରିଥିଲେ । ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରବୀର କୁମାର ନାୟକ , ଉପ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀ ଦୟାମୟ ପାଢ଼ୀ , ଡେପୁଟି କଲେକ୍ଟର ନିବେଦିତା ପ୍ରଧାନ , ସହକାରୀ ଜିଲ୍ଲାପାଳ ( ନିର୍ବାଚନ) ଉମାକାନ୍ତ ପ୍ରଧାନ , ଡି ଏସ ପି ବନଶ୍ରୀ ରାଉତରାୟଙ୍କ ସମେତ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ । ପରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଆଲୋଚନା ଅନୁଷ୍ଠିତ ହୋଇଥିଲା । ବିଜୁ ଜନତା ଦଳ ପକ୍ଷରୁ ରଘୁନନ୍ଦନ ପାଢ଼ୀ, ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରେମସେନ ରାୟ , ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ମନିସ ବାଜପାଇ ଓ ସି ପି ଆଇ ପକ୍ଷରୁ ସାରଙ୍ଗଧର ମିଶ୍ର ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ । ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡ଼ଙ୍ଗା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.