ପଦ୍ମପୁର :-
ବରଗଡ଼ ଜିଲ୍ଲା ଅନ୍ତର୍ଗତ ଝାରବନ୍ଧ ବ୍ଲକ ଓଡ଼ିଶାର ଏକ ଉପାନ୍ତ ଅଞ୍ଚଳ ଭାବରେ ବେଶ ଜଣାଶୁଣା । ଏଠାରେ ଲୋକ ମାନେ ବିଭିନ୍ନ ପ୍ରକାରର ଶୋଷଣ, ଅନ୍ୟାୟ ତଥା ଅତ୍ୟାଚାରର ଶିକାର ହେଇ ଆସୁଛନ୍ତି ଯାହାକି ଗ୍ରୀଷ୍ମଋତୁରେ ସୀମା ଉଲ୍ଲଂଘନ କରିଯାଇଛି। ଅଞ୍ଚଳରେ ଅଘୋଷିତ ବିଦ୍ୟୁତ କାଟ ସାଙ୍ଗକୁ ଲୋ-ଭୋଲ୍ଟେଜ ସମସ୍ୟା ସହିତ ସଂଘର୍ଷ କରୁଛନ୍ତି ସ୍ଥାନୀୟ ଅଧିବାସୀ। ଆପଣ ଜାଣି ଆଶ୍ଚର୍ଯ୍ୟ ଚକିତ ହେବେ ଯେ ଦୈନିକ ୨୪ ଘଣ୍ଟାରୁ ହାରାହାରି ଭାବେ କେବଳ ୬ ଘଣ୍ଟା ହିଁ ବିଜୁଳି ରହୁଛି ଯାହାକି ୧୦୦-୧୨୦ ଭୋଲ୍ଟ ଯେଉଁଥିରେ ଲୋକମାନେ ଭଲଭାବରେ ପଙ୍ଖା ଟିକିଏ ଚଲେଇବା ପାଇଁ ମଧ୍ୟ ସକ୍ଷମ ହେଇପାରୁନାହାନ୍ତି। ଧନୀକ ଶ୍ରେଣୀର ଲୋକେ ଇନ୍ଭର୍ଟର ରଖିଥିବା ସ୍ଥଳେ ଗରୀବ ଶ୍ରେଣୀର ଲୋକଙ୍କ ପାଇଁ ବିଜୁଳି ହିଁ ଏକମାତ୍ର ଭରଷା। ଜଣେ ଉପଭୋକ୍ତାଙ୍କ କହିବା ଅନୁଯାୟୀ ଇନ୍ଭର୍ଟର ଥାଇ ସୁଦ୍ଧା ଲୋ-ଭୋଲ୍ଟେଜ ଏବଂ କମ ସମୟ ବିଜୁଳି ରହୁଥିବା ଯୋଗୁଁ ରାତି ୩ ଟା ପରେ ଘରେ ଶୋଇନପାରି ଚେଇଁବାକୁ ପଡ଼ୁଛି। ଆଗାମୀ ଦିନମାନଙ୍କରେ ମ୍ୟାଟ୍ରିକ ପରୀକ୍ଷା ଥିବାରୁ ଛାତ୍ରଛାତ୍ରୀ ମାନେ ପାଠ ପଢ଼ିବା କଥା କିନ୍ତୁ ଅଘୋଷିତ ବିଦ୍ୟୁତ କାଟ ଏବଂ କମ ଭୋଲ୍ଟେଜ ତାଙ୍କ ଭବିଷ୍ୟତ କୁ ଅନ୍ଧାର ଆଡ଼କୁ ଟାଣିନେଉଛି। ଏତିକିରେ ସମସ୍ୟା ସରୁନାହିଁ ଝାରବନ୍ଧ ବ୍ଲକର ବିଭିନ୍ନ କାର୍ଯ୍ୟାଳୟ ମାନେ ମଧ୍ୟ ଲୋ-ଭୋଲ୍ଟେଜ ସମସ୍ୟା ପାଇଁ ଅଫିସ କାମ ହେଇପାରୁନଥିବାରୁ ସୌର ବିଜୁଳି ଉପରେ ନିର୍ଭର କରୁଛନ୍ତି। ଯଦି ସରକାରୀ କଳ ଏତେ ଅସହାୟ ତେବେ ସାଧାରଣ ଜନତା କିଭଳି କଷ୍ଟ ଭୋଗୁଥିବେ ତାହା ସହଜରେ ଅନୁମେୟ। ଯଦି ରାଜ୍ୟ ସରକାର ଝାରବନ୍ଧ ବ୍ଲକକୁ ନିଜର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ବିଚାର କରୁଛନ୍ତି ତେବେ ଦୀର୍ଘଦିନ ଧରି ଅବହେଳିତ ହେଇଥିବା ଝାରବନ୍ଧ ବ୍ଲକର ବିଜୁଳି ଜନିତ ଲୋ-ଭୋଲ୍ଟେଜ ସମସ୍ୟାର ସମାଧାନ କରନ୍ତୁ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି ।
ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ

