Type Here to Get Search Results !

ସିବିଏସଇ ସ୍କୁଲରେ ଏନ.ସି.ଇ.ଆର.ଟି ବହି ବାଧ୍ୟତାମୁଳକ ଦାବୀରେ ଆଞ୍ଚଳିକ ଅଧିକାରୀଙ୍କ ସଚିବଙ୍କୁ ଚିଠି ନ ମାନିଲେ,କାର୍ଯ୍ୟାଳୟ ଘେରାଉ ପାଇଁ ଓଡିଶା ଅଭିଭାବକ ମହାସଂଘର ଚେତାବନୀ


ଭୁବନେଶ୍ୱର :- 

ଦେଶର ସମସ୍ତ ସ୍କୁଲରେ ଇଂରାଜୀ ମାଧ୍ୟମରେ ଏନ.ସି.ଇ.ଆର.ଟି ଓ ରାଜ୍ୟରେ ବିଭିନ୍ନ ଭାଷାରେ ଏସ.ସି.ଇ.ଆର.ଟି ପାଠ୍ୟକ୍ରମର ବହିରେ ପିଲାଙ୍କୁ ପାଠ ପଢାଇବାକୁ ପୂର୍ବରୁ ମାନବ ସମ୍ବଳ ବା ବର୍ତମାନ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ସ୍ପଷ୍ଟ ନିର୍ଦେଶ ରହିଛି । ହେଲେ ଘରୋଇ ସ୍କୁଲମାନେ ଏହି ନିର୍ଦେଶ ନମାନି ପ୍ରାଇଭେଟ ପବ୍ଲିକେସନ ବହି ସ୍କୁଲଭିତରେ ବେଆଇନ ଭାବେ ବିକ୍ରୀ କରୁଛନ୍ତି ।  ଏହୁ ବହି ଗୁଡିକ ଏନ.ସି.ଇ.ଆର.ଟି ବହିର ମୂଲ୍ୟ ଠାରୁ ପ୍ରାୟ 15 ଗୁଣ ଅଧିକ ।  ଅଯଥାରେ ଅଭିଭାବକ ମାନେ ସ୍କୁଲର ଚାପରେ ବାଧ୍ୟ ବାଧକତାରେ ବେସରକାରୀ ବହି ବା ପ୍ରାଇଭେଟ ପବ୍ଲିକେସନ ବହି ସହିତ ଖାତା ଓ ଅନ୍ୟାନ୍ୟ ପଠନ ସାମଗ୍ରୀ କିଣି ହଇରାଣ ହେଉଛନ୍ତି ।  ପ୍ରତି ବର୍ଷ ଆର୍ଥିକ ବୋଝ ସହିତ ସେହି ବହିକୁ ଅନ୍ୟକୁ ଦେବାର ସୁଯୋଗ ମିଳୁନାହିଁ, ବର୍ଷେ ପରେ ତାହାକୁ ପରିବର୍ତନ କରିଦେଉଛନ୍ତି । ତା ଛଡା ପିଲାମାନେ ମଧ୍ୟ ସ୍କୁଲ ମାଲିକ ମାନଙ୍କ ମୁନାଫା ଖୋରୀର ଶିକାର ହୋଇ ଅଯଥା ବସ୍ତାନି ବୋଝର ଶିକାର ହେଉଛନ୍ତି । ସିବିଏସଇ ପୂର୍ବରୁ ମଧ୍ୟ ସମସ୍ତ ସ୍କୁଲରେ ଏନ.ସି.ଇ.ଆର.ଟି ବହି ପ୍ରଚଳନ ପାଇଁ ନିର୍ଦେଶ ଦେଇ ସରିଛି । ଶିକ୍ଷା ଅଧିକାର ଆଇନ ଧାରା 29 ର ଅଷ୍ଟମ ଅନୁଚ୍ଛେଦ ଅନୁଯାଇ ସବୁ ସ୍କୁଲରେ ଏନ.ସି.ଇ.ଆର.ଟି ବହି ଲାଗୁ ସହ ସ୍କୁଲ ଗୁଡିକ ସ୍ୱୀକୃତି ପ୍ରଦାନ କ୍ଷେତ୍ରରେ ମଧ୍ୟ ଏହି ନିୟମ ରହିଛି । ପ୍ରାଇଭେଟ ସ୍କୁଲ ମାନଙ୍କର ଏହି ଶୋଷଣ ବିରୁଦ୍ଧରେ ଓଡିଶା ଅଭିଭାବକ ମହାସଂଘ ପୂର୍ବରୁ ବହୁବାର ଆନ୍ଦୋଳନ, ଧର୍ମଘଟ, ନ୍ୟାୟାଳୟ ତଥା ମାନବାଧିକାର ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରି ନିର୍ଦେଶ ଜାରି କରିବାପରେ ମଧ୍ୟ ଏହାକୁ ସମ୍ପୂର୍ଣ ଲାଗୁ ହୋଇପାରିନାହଁ । ଏବର୍ଷ ଲାଗୁ ପାଇଁ ଚେଷ୍ଟା ଜାରିରଖିଛି । ସେପଟେ ଗତ ମାସ 28ରେ ମହାସଂଘ ସିବିଏସ ଇ ର ଭୁବନେଶ୍ୱର ଆଞ୍ଚଳିକ ଅଧିକାରୀଙ୍କୁ ଚିଠି ଲେଖି ସବୁ ପ୍ରାଇଭେଟ ସ୍କୁଲ ରେ ଏନ.ସି.ଇ.ଆର.ଟି ବହି ପ୍ରଚଳନ ପାଇଁ ଦାବୀ କରିବା ସହ 15 ଦିନ ଭିତରେ କାର୍ଯ୍ୟକାରୀ ନ ହେଲେ କାର୍ଯ୍ୟାଳୟ ଆଗରେ ଧାରଣା ଦେବାକୁ କହିଥିଲା । ଏଇ ମାସ ସାତ ତାରିଖରେ ମହାସଂଘର ସହ-ଅଧକ୍ଷ ପ୍ରସନ୍ନ ବିଶୋଇ ଓ ସାଧାରଣ ସମ୍ପାଦକ ସୂର୍ଯ୍ୟ ନାରାୟଣ ଜେନା ସି.ବି.ଏସ.ଇ ର ଆଞ୍ଚଳିକ ଅଧିକାରୀ ଶ୍ରୀ କେ. ଶ୍ରୀନିବାସନ ଙ୍କୁ ଭେଟି ଆଲୋଚନା କରିଥିଲେ । ଆଲୋଚନାରେ ସେ ନୂଆଦିଲ୍ଲୀର ମୁଖ୍ୟାଳୟ ସିବିଏସଇ ସଚିବଙ୍କୁ ଚିଠି ଲେଖି ଏ ସଂକ୍ରାନ୍ତରେ ନିର୍ଦେଶ ଜlରିକରିବାକୁ କହିଛନ୍ତି । ଅଭିଭାବକ ଓ ଛାତ୍ର ଛାତ୍ରୀ ମାନଙ୍କ ସ୍ୱାର୍ଥ ଓ ସ୍ୱାସ୍ଥ୍ୟ ନିରାପତ୍ତା ହେତୁ ତଥା ଆଇନର ସଠିକ କାର୍ଯ୍ୟକାରୀ ପାଇଁ ପୁଣିଥରେ ଆସନ୍ତା 15 ଦିନ ପରେ ଘେରାଉ କରିବ ବୋଲି ମହାସଂଘ ଜଣାଇଛି ।

ଭୁବନେଶ୍ୱର ରୁ ସ୍ଵର୍ଣ୍ଣ ପ୍ରଭା ନାୟକ ଙ୍କ ରିପୋର୍ଟ


Post a Comment

0 Comments
* Please Don't Spam Here. All the Comments are Reviewed by Admin.