ପଦ୍ମପୁର :-
ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଯୋଖିପାଲି ଗ୍ରାମରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା, ଗତ ୨୦୨୦ ମସିହାରୁ ଭାଙ୍ଗିଥିବା ଘରକୁ ତଦନ୍ତ କରି ସହାୟତା ଯୋଗାଇଦେବାକୁ ରାଜସ୍ୱ ବିଭାଗ ତଥା ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଟିକିଏ ମଧ୍ୟ ସମବେଦନା ଜଣାଇବାକୁ ସମୟ ନାହିଁ। ଯେଉଁ ଗାଁରେ ଅନେକ ଅଯୋଗ୍ୟ ହିତାଧିକାରୀ ଚଞ୍ଚକତା କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ହାତେଇଛନ୍ତି ସେଠାରେ ଗରୀବ, ନିରୀହ ଯୋଗ୍ୟ ହିତାଧିକାରୀମାନେ ପକ୍କାଗୃହ ଟିଏ ପାଇଁ ସଂଗ୍ରାମ କରୁଥିବା ଅତ୍ୟନ୍ତ ଲଜ୍ଜାଜନକ କଥା। କେତେକ ଅସାଧୁ କର୍ମଚାରୀ ମାନେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ମହତ୍ୱକାଂକ୍ଷି ଯୋଜନା ଗୁଡିକୁ ଲୋକଙ୍କୁ ପହଞ୍ଚାଇବା ପରିବର୍ତ୍ତେ ସାମାନ୍ୟ କିଛି ଅର୍ଥଲୋଭ ପାଇଁ ବହୁତ ଅଯୋଗ୍ୟ ଲୋକମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବା ଦେଖିବାକୁ ମିଳିଛି ବିଜେପୁର ବ୍ଲକରେ। ବିଜେପୁର ବ୍ଲକ ଅନ୍ତର୍ଗତ ଯୋଖିପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସଦର ଗ୍ରାମରେ ଦେଖିବାକୁ ମିଳିଛି ଏହି ଘଟଣା।
ଗ୍ରାମର ମହିମା ମହାନନ୍ଦଙ୍କ ମାଟିଘର ଗତ ୨୦୨୦ମସିହାରୁ ଆଂଶିକ ଭାବରେ ଭାଙ୍ଗିଯାଇଥିଲା କିନ୍ତୁ ୨୦୨୧ ମସିହା ସେପ୍ଟେମ୍ବର ମାସରେ ଲଗାଣ ବର୍ଷା ହେବା ଯୋଗୁଁ ମାଟିଘର ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଗଲା। ଘର ଭଙ୍ଗା ସହାୟତା ପାଇଁ ରାଜସ୍ୱ ନିରୀକ୍ଷକଙ୍କ ଠାରୁ ଆରମ୍ଭ କରି ବିଜେପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ୧୭-୦୯-୨୦୨୧ ତାରିଖରେ ଗୁହାରୀ କରିଥିଲେ ସୁଦ୍ଧା ୨୦୨୨ ଜାନୁଆରୀ ମାସ ପର୍ଯ୍ୟନ୍ତ ରାଜସ୍ୱ ବିଭାଗ ତରଫରୁ କୌଣସି ସହାୟତା ତ ଦୂରର କଥା ସମବେଦନା ମଧ୍ୟ ଜ୍ଞାପନ କରାଯାଇନାହିଁ.ଏହା ଫଳରେ ସେମାନେ ପରଘରେ ମାସ ମାସ ଧରି ଆଶ୍ରୟ ନେଇଛନ୍ତି।
ଗୋଟିଏ ପଟେ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ ସ୍ୱତନ୍ତ୍ର ରିଲିଫ କମିଶନର ଙ୍କ ପ୍ରମୁଖ ସଚିବ ଦୁଇଜଣ ଦକ୍ଷ ଭାରତୀୟ ପ୍ରଶାସନିକ ଅଧିକାରୀ ଥିବା ବେଳେ ବିଜେପୁର ତହସିଲଦାର ଏବଂ ଲାଉମୁଣ୍ଡା ରାଜସ୍ୱ ଏଭଳି ଜଣେ ଅସହାୟ ବ୍ୟକ୍ତିଙ୍କୁ ସହାୟତା ନ କରିବା ଅତ୍ୟନ୍ତ ଦୁଃଖଦ ଘଟଣା। ରାଜ୍ୟ ସରକାର "ମୋ ସରକାର ଏବଂ 5T" ଗରୀବ ଲୋକଙ୍କ ପାଇଁ ଅନେକ ଯୋଜନା କରିଛନ୍ତି କିନ୍ତୁ ଏହିଭଳି ଭାବେ ତଳିଆ କର୍ମଚାରୀ ମାନଙ୍କ ବେପରୁଆ ମନୋଭାବ ତଥା ସେବା ମନୋବୃତ୍ତିର ଘୋର ଅଭାବ ଯୋଗୁଁ ଓଡ଼ିଶା ସରକାର ଙ୍କ ମହତ୍ୱକାଂକ୍ଷି ଯୋଜନା ଗୁଡ଼ିକ ଲୋକଙ୍କ ପାଖେ ନ ପହଞ୍ଚିବା ଫଳରେ ସରକାରଙ୍କ ଛବି ମଳିନ ହେବାରେ ଲାଗିଛି। ଏଠାରେ ସୂଚନାଯୋଗ୍ୟ ଯେ ଗ୍ରାମର ଅନେକ ଅଯୋଗ୍ୟ ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ହାତେଇଛନ୍ତି।
ଏହି ପରିବାରକୁ ତୁରନ୍ତ ସମ୍ପୂର୍ଣ୍ଣ ଘରଭଙ୍ଗା ସହାୟତା ଯୋଗେଇଦେବା ସହ ତୁରନ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଖଣ୍ଡେ ଯୋଗେଇଦେବା ପାଇଁ ଯୋଖିପଲି ସରପଞ୍ଚଙ୍କ ସମେତ ୱାର୍ଡ ମେମ୍ବରଗଣ ଦସ୍ତଖତ ଦେଇଛନ୍ତି। ସ୍ଥାନୀୟ ଜନସାଧାରଣ ମଧ୍ୟ ଉକ୍ତ ଯୋଗ୍ୟ ହିତାଧିକାରୀ ଙ୍କୁ ଅଗ୍ରାଧିକାର ଭିତ୍ତିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ
