ଦେଓଗାଁ : -
କରୋନା କାଳରେ ଯିଏ ଫେରନ୍ତା ଶ୍ରମିକଙ୍କ କଥା ବୁଝୁଥିଲେ। ସିଏ ସାଜିଲେ ଦାଦନ। ନିଜ ଓ ପରିବାର ର ପେଟ ଚାଖଣ୍ଡେ ପାଇଁ ରାଜ୍ୟରେ ଖୋଜିଲେ କାମ। କିନ୍ତୁ ମିଳିଲାନି। ଶେଷରେ ସେ ଚାଲି ଗଲେ ଅନ୍ୟ ରାଜ୍ୟକୁ କାମ କରିବାକୁ। ଯେଉଁଠି ଓଡ଼ିଶା ରାଜ୍ୟ ସରକାର କର୍ମ ନିଯୁକ୍ତି ପାଇଁ ଯୋଜନା ଉପରେ ଯୋଜନା କରି ଚାଲିଛନ୍ତି, ସେଠି ଏଭଳି ଅଭାବନୀୟ ଘଟଣା ସତରେ ସରକାରୀ ଯୋଜନା ଗାଲରେ ଶକ୍ତ ଚାପୁଡ଼ା ସମାନ। ଅନ୍ୟ ପଟେ ସେ ଯଦି ବ୍ଲକ୍ ର ଉପାଧ୍ୟକ୍ଷ ପଦବୀ ରେ ଥାଇ ଏଭଳି ଦାଦନ ପାଇଁ ଯାଆନ୍ତି ତେବେ ସରକାରୀ କଳ କୁ ଲଜ୍ଜା ଲାଗିବା କହିବା ଛଡ଼ା ଆଉ ଭାଷା ମିଳେନାହିଁ।
ଦାନା ପାଇଁ ଦାଦନର ଆଉ ଏକ କରୁଣ କାହାଣୀ ସାମ୍ନାକୁ ଆସିଛି। କରୋନା କାଳରେ ଆଗଧାଡ଼ିର ଯୋଦ୍ଧା ସାଜି ଲୋକଙ୍କୁ ସଚେତନ କରିବା ସହ ଦାଦନ ଫେରନ୍ତାଙ୍କ କଥା ବୁଝୁଥିବା ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ୍ର ଉପାଧ୍ୟକ୍ଷ ରାଜୁ ବାଗ ଏବେ ନିଜେ ଦାଦନ ଖଟିବାକୁ ଯାଇଛନ୍ତି। ସେ ଏବେ ତାମିଲନାଡ଼ୁ ରାଜ୍ୟ କୋଇମ୍ବାଟୁରର ଏକ କାରଖାନାରେ ଶ୍ରମିକ ଭାବେ କାମ କରୁଥିବା ସୂଚନା ମିଳିଛି। ଏହି ଘଟଣା ପୁଣିଥରେ ମନ୍ରେଗା ଯୋଜନାର କାର୍ଯ୍ୟକାରିତାକୁ ସନ୍ଦେହ ଘେରକୁ ଟାଣି ଆଣିଛି।
ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ଯ୍ୟାମୀ ସାହୁଙ୍କ ରିପୋର୍ଟ
