କେନ୍ଦ୍ରାପଡ଼ା :-
କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ର ଉପକୁଳ ଅଞ୍ଚଳରେ ବେଆଇନ ଚିଙ୍ଗୁଡ଼ି ଘେରି ଦିନକୁ ଦିନ ବଢ଼ିବାରେ ଲାଗିଛି। ବେଆଇନ ଚିଙ୍ଗୁଡ଼ି ଘେରି କୁ ନେଇ ସ୍ଥାନୀୟ ଚାଷୀ ମାନଙ୍କ ଓ ପରିବେଶବିତ ମାନଙ୍କ ମଧ୍ୟରେ ଚିନ୍ତା ବଢୁଥିବା ବେଳେ ବେଆଇନ ଚିଙ୍ଗୁଡ଼ି ଘେରି ବୃଦ୍ଧି ହେବାରେ ଲାଗିଛି ପଛକେ ଭଙ୍ଗାଯିବାର ନାଁ ଧରୁନି। ଚିଙ୍ଗୁଡ଼ି ଘେରିରେ ପ୍ରୟୋଗ କରାଯାଉଥିବା ବିଷାକ୍ତ ରାସାୟନିକ ପଦାର୍ଥ ଗୁଡ଼ିକ ଚିଙ୍ଗୁଡ଼ି ବଢ଼ିବାରେ ସହାୟତା ହେଉଥିବା ବେଳେ ନଦୀରୁ ମାଛ ବଂଶକୁ ସମୁଳେ ଧ୍ଵଂସ କରିବା ପାଇଁ ଓ ଚାଷ ଜମିରୁ ଫସଲ ନଷ୍ଟ କରିବା ସାଙ୍ଗକୁ ଉପକୁଳ ଅଞ୍ଚଳର ହେନ୍ତାଳ ବଣ ପୁରାପୁରି ନଷ୍ଟ କରିବାର ପ୍ରୟାସ କରୁଥିବାର ଜଣା ପଡ଼ୁଛି । ବର୍ତ୍ତମାନ ମହାକାଳପଡ଼ା ବ୍ଲକ ଅଞ୍ଚଳର ଉପକୁଳରେ ବଢି ଚାଲୁଥିବା ଚିଙ୍ଗୁଡ଼ି ଘେରିର ମାଫିଆ ମାନଙ୍କୁ ତଟବନ୍ଧ ବିଭାଗର ଅଧିକାରୀ ପୂର୍ଣ୍ଣ ସହଯୋଗ କରୁଥିବାର ଚର୍ଚ୍ଚା ଜୋର୍ ଧରିଛି ଏବଂ ଉପକୁଳ ଅଞ୍ଚଳର ଚାଷ ଜମିକୁ ଲୁଣା ଜୁଆର ପାଣିରୁ ସୁରକ୍ଷା ଦେବାପାଇଁ ତଟବନ୍ଧ ବିଭାଗୀୟ ଅଧିକାରୀ କାର୍ଯ୍ୟ କରିବାକୁ ଅନୁମତି ଦେଇଛନ୍ତି । ସେପଟେ ରାଜ୍ୟ ସରକାର ନିଜସ୍ବ ପାଣ୍ଠିରୁ ଓ ବିଭିନ୍ନ ବାବଦରେ ଋଣ କରି ଲୁଣା ବନ୍ଧର କାର୍ଯ୍ୟ ପ୍ରଶସ୍ତିକରଣ ପାଇଁ ନୂତନ ବନ୍ଧ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି। ବିଭିନ୍ନ ସ୍ଥାନରେ ଜଳ ନିଷ୍କାସନ ପାଇଁ କଲଭର୍ଟ ମଧ୍ୟ ନିର୍ମାଣ କରିଛନ୍ତି । କିନ୍ତୁ ଏଠାରେ ବିଶେଷ କରି ଦେଖିବାକୁ ମିଳିଛି ତଟବନ୍ଧ ବିଭାଗର ଲୁଣା ଘେରି ବନ୍ଧ କଡ଼ରେ ନୂତନ ବେଆଇନ ଚିଙ୍ଗୁଡ଼ି ଘେରି ମାନ ସୃଷ୍ଟି ହୋଇ ଦିନକୁ ଦିନ ବଢ଼ିବାରେ ଲାଗିଛି । ଯାହାକୁ ନେଇ ଘେରି ବନ୍ଧ ନିର୍ମାଣ ସମୟରେ ମହାକାଳପଡ଼ା ବନାଞ୍ଚଳ ବିଭାଗୀୟ ଅଧିକାରୀ ଚିଙ୍ଗୁଡ଼ି ଘେରି ମାଫିଆ ମାନଙ୍କ ପାଖରୁ ବିଦେଶୀ ମଦ ଓ ମାଂସ ନେଉଥିବାର ଚର୍ଚ୍ଚା ହେଉଛି । ଚିଙ୍ଗୁଡ଼ି ମାଫିଆଙ୍କ ପାଖରୁ ମୋଟା ଅଙ୍କର ଦକ୍ଷିଣା ନେଇ ନିର୍ମାଣଧୀନ ବନ୍ଧ ନିକଟରୁ ମାଟି ଖୋଳାଈ ବନ୍ଧରେ ପକାଉଛନ୍ତି ଏବଂ ନୂତନ ଚିଙ୍ଗୁଡ଼ି ଘେରି ନିର୍ମାଣ ପାଇଁ ଭିତରୁଆ ପୂର୍ଣ୍ଣ ସହଯୋଗ କରୁଥିବାର ଜଣା ପଡ଼ୁଛି। ନିକଟରେ ବନାଞ୍ଚଳର ଜଣେ ଉଚ୍ଚ ଅଧିକାରୀଙ୍କ କନ୍ୟାର ବିବାହରେ ମହାକାଳପଡ଼ା ଉପକୂଳରୁ କଟକ ପର୍ଯ୍ୟନ୍ତ ଚିଙ୍ଗୁଡ଼ି ଓ କଙ୍କଡାର ଗାଡ଼ି ପହଞ୍ଚିବା ନେଇ ଚର୍ଚ୍ଚା ହେଉଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଗୁମର ଫିଟିବା ନେଇ ସନ୍ଦେହ ଘେରକୁ ଟାଣି ହୋଇଛି । କେନ୍ଦ୍ରାପଡ଼ା ରୁ ନିରଞ୍ଜନ ଓଝା ଙ୍କ ରିପୋର୍ଟ
