କେନ୍ଦୁଝର :-
କେନ୍ଦୁଝର ଜିଲ୍ଲା ବାନ୍ସପାଣି ର କୋଇଲା ହଟିଂ ଠାରେ ବସବାସ କରୁଥିବା ୩୦ ଟି ଦିନମଜୁରିଆ ପରିବାରଙ୍କୁ ରେଳବାଇ କର୍ତ୍ତୃପକ୍ଷ ୭ ଦିନ ମଧ୍ୟରେ ସେ ସ୍ଥାନ ଖାଲି କରିବାକୁ ନୋଟିସ ଦେବାରୁ ପିଡିତ ପରିବାର ଚମ୍ପୁଆ ଉପଜିଲ୍ଲାପାଳ ଙ୍କ ପାଖରେ ସେମାନଙ୍କୁ ଅନ୍ୟତ୍ର ଥଇଥାନ ନ କରିବା ପର୍ଯ୍ୟନ୍ତ ଉଚ୍ଛେଦ ନ କରିବାକୁ ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ ଯେ ଆଜି କୁ ୬୦ ବର୍ଷ ଧରି ୩୦ ଟି ଦିନ ମଜୁରିଆ ପରିବାର ବାନ୍ସପାଣି ରେଳବିଭାଗ ଅଧିନରେ ଥିବା ଏକ ସ୍ଥାନରେ ବସବାସ କରିଆସୁଛନ୍ତି। ସେମାନେ ସେ ସ୍ଥାନରେ ରହିବା ସହିତ ସରକାର ଙ୍କ ଆଧାର କାର୍ଡ, ରାସନ କାର୍ଡ, ବିଜୁଳି, ପାନୀୟ ଜଳ, ରାସ୍ତା, ଡ୍ରେନ ବ୍ୟବସ୍ଥା ର ସୁବିଧା ସୁଯୋଗ ନେବା ସହିତ ଜୋଡା ମ୍ୟୁନିସିପାଲଟି କୁ ଲ୍ୟାଣ୍ଡ ହୋଲଡିଂ ଟ୍ୟାକ୍ସ ମଧ୍ୟ ଦେଇ ଆସୁଛନ୍ତି।
କିନ୍ତୁ ଗତ ୧୯.୧୦.୨୧ ତାରିଖ ଦିନ ରେଳବାଇ କର୍ତ୍ତୃପକ୍ଷ ସେମାନଙ୍କୁ ସେ ସ୍ଥାନକୁ ୭ ଦିନ ମଧ୍ୟରେ ଛାଡି ଯିବା ପାଇଁ ନୋଟିସ ଦେଇଥିବାରୁ ସେମାନେ ବର୍ତ୍ତମାନ କେଉଁଠି ରହିବେ ସେଥିପାଇଁ ଭାଳେଣି ରେ ପଡିଛନ୍ତି। ସେମାନେ ସମସ୍ତେ ଭୂମିହୀନ ହୋଇଥିବାରୁ ଚମ୍ପୁଆ ଉପଜିଲ୍ଲାପାଳ ଙ୍କ କାର୍ଯାଳୟ କୁ ଆସି ସେମାନଙ୍କୁ ଅନ୍ୟତ୍ର ଥଇଥାନର ବ୍ୟବସ୍ଥା ହେବା ପର୍ଯ୍ୟନ୍ତ ଉଚ୍ଛେଦ ନ କରିବାକୁ ଅନୁରୋଧ କରିଛନ୍ତି।
କେନ୍ଦୁଝର ରୁ ସୁଶାନ୍ତ କୁମାର ସେଠୀ ଙ୍କ ରିପୋର୍ଟ
