ଭୁବନେଶ୍ୱର:-
ଦେଖା ଯାଉଛି ସ୍କୁଲ ଠାରୁ କଲେଜ ଯାଏ ସବୁ ଛାତ୍ରଛାତ୍ରୀ ମୋବାଇଲ ଦ୍ୱାରା ବାନ୍ଧି ହୋଇଯାଇଛନ୍ତି । କାରଣ ଅନଲାଇନ କ୍ଲାସ୍ ଯେପରି ସେମାନଙ୍କ ପାଇଁ କାଳ ହୋଇଛି । ମୋବାଇଲି ସହିତ ଦିନରାତି ଏପରି ଲାଗି ରହୁଛନ୍ତି ଯେପରି ମୋବାଇଲ ତାଙ୍କ ଜୀବନ ବାହାରର ଦୁନିଆ ତାଙ୍କ ପାଇଁ ତୁଚ୍ଛ ଓ ମୂଲ୍ୟହୀନ । ପିଲାମାନେ ବାହାରେ କି ପରିବାରରେ ବାପା-ମା, ଭାଇ-ଭଉଣୀ,ବନ୍ଧୁ-ବାନ୍ଧବଙ୍କୁ ସମୟ ଦେବା ,ଭଲ ମନ୍ଦରେ ଅଂଶୀଦାର କରିବା ତ ଦୂରର କଥା ଏକାଠି ବସି ପଦେ-ଅଧେ କଥା ହେବା ସମ୍ଭବ ହେଉନି । ତାଙ୍କର ଏହି ୟୁ ଟିଉବ୍, ହ୍ଵାଟ୍ସଅପ୍, ଫେସବୁକ, ଇନଷ୍ଟାଗ୍ରାମ ଜୀବନର ଗୋଟେ ଗୋଟେ ଅଙ୍ଗ ପାଲଟି ଯାଇଛି । ସମ୍ପର୍କରୁ ଦୁରେଇ ଯିବା ଓ ତାଙ୍କ କଳ୍ପନା ଦୁନିଆରେ ଲାଗି ରହିବାହିଁ ସେମାନଙ୍କର ନିତିଦିନିଆ ଜୀବନ ହୋଇଯାଇଛି । ନିଜକୁ ସଙ୍କୁଚିତ କରି ଭାବୁଛନ୍ତି ମୁଁ ଯାହା କହୁଛି,କରୁଛି,ଜାଣିଛି ସବୁ ଠିକ କରୁଛି,ଠିକ ଜାଣିଛି ଆଉ ଅଧିକ କିଛି କହିବା,ବୁଝାଇବା ଦରକାର ନାହିଁ। ଫଳରେ ବାହାରେ ଦେଖା ଦେଉଥିବା ଶୀତ-ଉଷ୍ଣ, ସୁଖ-ଦୁଃଖ,ନିନ୍ଦା-ପ୍ରଶଂସା, ଜୟ-ପରାଜୟକୁ ନେଇ କିପରି ବଞ୍ଚିବାକୁ ହେବ ଆଦୌ ଶିଖି ପାରୁ ନାହାଁନ୍ତି । ବାସ୍ତବ ଜୀବନକୁ ସମ୍ମୁଖୀନ ହେବା ଏବଂ ଯାହା ଘଟୁଛି ତାକୁ ସ୍ୱୀକାର କରିବା ତାଙ୍କ ପାଇଁ ଦୁଃସହ୍ୟ ବୋଧ ହେଉଛି । ସାମାନ୍ୟ ପ୍ରତିକୂଳ ପରିସ୍ଥିତି ଆସୁ ଆସୁ ତାକୁ ସହ୍ୟ ନକରି ପାରି ରାଗି ଯିବା ଓ ଚିଡିଚିଡି ହେବା,ବିରକ୍ତ ହୋଇ ଉଠିବା ତାଙ୍କ ସ୍ୱଭାବରେ ପରିଣତ ହୋଇଯାଉଛି । ତେଣୁ ସତ୍ୟକୁ ସମ୍ମୁଖୀନ ନହୋଇ ସେମାନେ ତୁରନ୍ତ ମୋବାଇଲ ଦୁନିଆ ଭିତରକୁ ପଶି ଯାଉଛନ୍ତି । ପରସ୍ପର ପରସ୍ପର ସହିତ ସହଯୋଗୀତା ସହଭାଗିତା କରିବା ଦିନକୁ ଦିନ ସେମାନଙ୍କର ଜୀବନରୁ ହଜି ଯାଉଛି । ତେଣୁ କାହା ସହିତ ଉଚିତ ବୁଝାମଣା ଦ୍ୱାରା ସମଭାବାପନ୍ନ ହୋଇ ବଞ୍ଚିବା ଆଉ ହୋଇ ପାରୁ ନାହିଁ । ଏହି ଇଣ୍ଟରନେଟ ଏବଂ ମୋବାଇଲର ଦୁରୁପୋଯୋଗ ବର୍ତ୍ତମାନର ପିଢ଼ି ପ୍ରତି ବଡ଼ ବିପଦ ସାଜିଛି । ଏହା ଏକ ଭୟଙ୍କର ମାନସିକ ରୋଗ ରୂପେ ପିଲାମାନଙ୍କୁ କବଳିତ କରି ଚାଲିଛି । ମଣିଷର ଭବିଷ୍ୟତ କଣ ହେବ ? ମଣିଷ କିପରି ସମ୍ପର୍କରେ ବଞ୍ଚିବ ଏହା ଆମ ସମାଜ ପାଇଁ ଏକ ଗଭୀର ଚିନ୍ତାର ବିଷୟ । ଏପରି ଏକ ଆଗାମୀ ବିପଦକୁ ଦେଖି ସମସ୍ତେ ସାବଧାନ ହୋଇଯିବା ନିହାତି ଦରକାର । ବେଳ ଥାଉ ଥାଉ ଏ ବିଷୟରେ ଚିନ୍ତନ ମନନ ହେବା ନିହାତି ପ୍ରୟୋଜନ । ଛାତ୍ରଛାତ୍ରୀମାନଙ୍କୁ ଏପରି ଜୀବନର ଭୟାବହତା ବିଷୟରେ ଅବଗତ କରାଇବା ଜରୁରୀ ହୋଇ ପଡିଛି। ସେଥିପାଇଁ ପାଇଁ ଶିକ୍ଷକ ଓ ଅଭିଭାବକମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ପିଲାମାନଙ୍କୁ ସମିତି ସ୍ଥାନ ଓ ସୀମିତ ଜ୍ଞାନ ଭିତରେ ନବାନ୍ଧି ସମ୍ପର୍କ ଭିତରେ ବଞ୍ଚିବାର କଳା ଶିଖାଇବା ଅପରିହାର୍ଯ୍ୟ ହୋଇଯାଇଛି। ବାପା ମା ,ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ସତର୍କ ରୁହନ୍ତୁ । ପିଲାମାନଙ୍କୁ ଉଚିତ୍ ଶିକ୍ଷଣ ଦେଇ ଦୁନିଆକୁ ଗୋଟେ ଉତ୍ତମ ସନ୍ତାନ ଦିଅନ୍ତୁ । ଭୁବନେଶ୍ୱର ରୁ ସ୍ଵର୍ଣ୍ଣ ପ୍ରଭା ନାୟକ ଙ୍କ ରିପୋର୍ଟ
