ଭୁବନେଶ୍ୱର:
ବିଦ୍ୟୁତ ବିଲିଂ ବ୍ୟବସ୍ଥାକୁ ଅଧିକ ଆଧୁନିକ, ସ୍ୱଚ୍ଛ ଓ ସଠିକ୍ କରିବା ଉଦ୍ଦେଶ୍ୟରେ ରାଜ୍ୟରେ ସ୍ମାର୍ଟ ମିଟର ବ୍ୟବସ୍ଥା ଆଗକୁ ବଢ଼ୁଛି। ମିଟର ରିଡିଂରେ ମାନବୀୟ ତ୍ରୁଟି କମାଇବା, ବ୍ୟବହାରର ତଥ୍ୟ ଡିଜିଟାଲ ଭାବେ ସଂଗ୍ରହ କରିବା ଏବଂ ବିଲିଂ ପ୍ରକ୍ରିୟାକୁ ଅଧିକ ସୁବ୍ୟବସ୍ଥିତ କରିବା ଏହାର ମୁଖ୍ୟ ଲକ୍ଷ୍ୟ। କିନ୍ତୁ ସ୍ମାର୍ଟ ମିଟର ଲାଗିବା ପରେ ବିଦ୍ୟୁତ ବିଲ୍କୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ ଉଠୁଥିବା ବିଭିନ୍ନ ଅଭିଯୋଗ ଏବେ ବ୍ୟବସ୍ଥାର ସ୍ୱଚ୍ଛତା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି। ଏଠାରେ ପ୍ରଶ୍ନ ଟାଟା ପାୱାର ବିରୋଧରେ ଅଭିଯୋଗ ଆଣିବାର ନୁହେଁ। ପ୍ରଶ୍ନ ହେଉଛି ସ୍ମାର୍ଟ ମିଟର ଯଦି ବିଲିଂକୁ ଅଧିକ ସଠିକ୍ କରିବା ପାଇଁ ଆସିଛି, ତେବେ ବିଲ୍କୁ ନେଇ ଉପଭୋକ୍ତାଙ୍କ ସନ୍ଦେହ ଓ ଅଭିଯୋଗ କାହିଁକି ଜାରି ରହିଛି?
ରାଜ୍ୟ ବିଧାନସଭାରେ ଦିଆଯାଇଥିବା ତଥ୍ୟ ଅନୁସାରେ, ଗତ ଦୁଇ ବର୍ଷରେ ଓଡ଼ିଶାର DISCOMଗୁଡ଼ିକ ନିକଟକୁ ସ୍ମାର୍ଟ ପ୍ରିପେଡ୍ ମିଟର ସମ୍ପର୍କିତ ୧,୪୯୯ଟି ଭୁଲ କିମ୍ବା ତ୍ରୁଟିପୂର୍ଣ୍ଣ ବିଲିଂ ଅଭିଯୋଗ ଆସିଥିବା ସୂଚନା ମିଳିଛି। ସରକାରଙ୍କ ପକ୍ଷରୁ ଏହି ଅଭିଯୋଗଗୁଡ଼ିକର ସମାଧାନ ହୋଇଥିବା କୁହାଯାଇଛି। କିନ୍ତୁ ଏହି ସଂଖ୍ୟା ନିଜେ ଏକ ମୂଳ ପ୍ରଶ୍ନ ସୃଷ୍ଟି କରୁଛି। ଏହା କେବଳ ମିଟରର ସମସ୍ୟା କି? ଡାଟା ପ୍ରେଷଣରେ ତ୍ରୁଟି କି? ବିଲିଂ ସଫ୍ଟୱେରର ସମସ୍ୟା କି? ନା ଉପଭୋକ୍ତାଙ୍କୁ ବିଲ୍ର ହିସାବ ବୁଝାଇବାରେ ଯଥେଷ୍ଟ ସ୍ୱଚ୍ଛତା ନାହିଁ? ଏହି ପ୍ରଶ୍ନଗୁଡ଼ିକର ସ୍ପଷ୍ଟ ଉତ୍ତର ସାଧାରଣ ଉପଭୋକ୍ତାଙ୍କ ଜାଣିବା ଅଧିକାର ରହିଛି।
ଜଣେ ଉପଭୋକ୍ତାଙ୍କର ପୂର୍ବ ମାସଗୁଡ଼ିକର ବିଦ୍ୟୁତ ବ୍ୟବହାର ଯଦି ଏକ ନିର୍ଦ୍ଦିଷ୍ଟ ସୀମାରେ ରହିଥାଏ ଏବଂ ହଠାତ୍ ବିଲ୍ରେ ବଡ଼ ପରିବର୍ତ୍ତନ ଦେଖାଯାଏ, ତେବେ ଏହାର କାରଣ ସ୍ପଷ୍ଟ ହେବା ଆବଶ୍ୟକ। କେବଳ ମୋଟ ବିଲ୍ ଦେଖାଇ ଦିଆଗଲେ ଉପଭୋକ୍ତାଙ୍କ ସନ୍ଦେହ ଦୂର ହେବ ନାହିଁ। କେତେ ୟୁନିଟ୍ ବ୍ୟବହାର ହେଲା? କେଉଁ ତାରିଖରୁ କେଉଁ ତାରିଖ ପର୍ଯ୍ୟନ୍ତ ହିସାବ ହେଲା? ପୂର୍ବ ମାସ ତୁଳନାରେ ବ୍ୟବହାର କେତେ ବଢ଼ିଲା? କେଉଁ ଟାରିଫ୍ ଅନୁଯାୟୀ ବିଲ୍ ହେଲା? ଅତିରିକ୍ତ ଚାର୍ଜ କାହିଁକି ଲାଗିଲା? ଏହି ସମସ୍ତ ତଥ୍ୟ ସହଜ ଭାବେ ଉପଭୋକ୍ତାଙ୍କ ପାଖରେ ରହିବା ଦରକାର। ଉପଭୋକ୍ତାଙ୍କ ପକ୍ଷରୁ ବିଲ୍ ନେଇ ଅଭିଯୋଗ ଆସିଲେ ମିଟର ଯାଞ୍ଚ କରାଯାଇପାରେ। କିନ୍ତୁ ଯଦି ଯାଞ୍ଚ ପରେ “ମିଟର ଠିକ୍ ଅଛି” ବୋଲି କୁହାଯାଏ, ତେବେ ତାହାର ପ୍ରମାଣ କିମ୍ବା ପରୀକ୍ଷା ରିପୋର୍ଟ ଉପଭୋକ୍ତାଙ୍କୁ ଦିଆଯାଉଛି କି? ଏହା ହେଉଛି ଆଉ ଏକ ବଡ଼ ପ୍ରଶ୍ନ। ଡିଜିଟାଲ ବ୍ୟବସ୍ଥାରେ ଯେତେବେଳେ ପ୍ରତ୍ୟେକ ରିଡିଂ ଓ consumption data ସିଷ୍ଟମରେ ସଂରକ୍ଷିତ ରହିପାରେ, ସେତେବେଳେ ଉପଭୋକ୍ତାଙ୍କୁ ତାଙ୍କ ନିଜ ବିଦ୍ୟୁତ ବ୍ୟବହାରର ସମ୍ପୂର୍ଣ୍ଣ ତଥ୍ୟ ଦେବାରେ କୌଣସି ଅସୁବିଧା ରହିବା କଥା ନୁହେଁ। ବିଦ୍ୟୁତ ମିଟର ଓ ବିଲିଂ ସମ୍ପର୍କିତ ବିବାଦ ଉପଭୋକ୍ତା ଆୟୋଗ ପର୍ଯ୍ୟନ୍ତ ପହଞ୍ଚୁଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଛି। ୨୦୨୬ ଜୁନ୍ରେ ସମ୍ବଲପୁର ଜିଲ୍ଲା ଉପଭୋକ୍ତା ବିବାଦ ନିରାକରଣ ଆୟୋଗର ଏକ ମାମଲାରେ ମିଟର ସ୍ଥାପନ, ବିଲିଂ ଏବଂ ଉପଭୋକ୍ତାଙ୍କ ଅଭିଯୋଗ ସମ୍ପର୍କିତ ବିବାଦ ଉପରେ ରାୟ ଆସିଥିଲା। ଏହାର ଅର୍ଥ ହେଉଛି—ବିଦ୍ୟୁତ ବିଲିଂ ନେଇ ଉପଭୋକ୍ତାଙ୍କ ଅଭିଯୋଗକୁ ହାଲୁକା ଭାବେ ନେବାର ସୁଯୋଗ ନାହିଁ। ସ୍ମାର୍ଟ ମିଟର ବ୍ୟବସ୍ଥା ସଫଳ ହେବାକୁ ହେଲେ କେବଳ ମିଟର ଡିଜିଟାଲ ହେବା ଯଥେଷ୍ଟ ନୁହେଁ। ବିଲିଂ ବ୍ୟବସ୍ଥା ମଧ୍ୟ ଉପଭୋକ୍ତାଙ୍କ ପାଇଁ ସ୍ୱଚ୍ଛ ହେବା ଆବଶ୍ୟକ।
ଉପଭୋକ୍ତାଙ୍କୁ ପ୍ରତିମାସର ସଠିକ୍ consumption data, ପୂର୍ବ ମାସଗୁଡ଼ିକ ସହ ତୁଳନା, billing calculationର ସ୍ପଷ୍ଟ ବିବରଣୀ, ଅସାମାନ୍ୟ ବ୍ୟବହାର ହେଲେ କାରଣ, ମିଟର ପରୀକ୍ଷା ହେଲେ ତାହାର ରିପୋର୍ଟ ଦେବା ବ୍ୟବସ୍ଥା ଅଧିକ ସୁଦୃଢ଼ କରାଯିବା ଆବଶ୍ୟକ। କାରଣ ବିଦ୍ୟୁତ ବିଲ୍ କେବଳ ଏକ କାଗଜ କିମ୍ବା ମୋବାଇଲ୍ ସ୍କ୍ରିନ୍ରେ ଦେଖାଯାଉଥିବା ଏକ ଅଙ୍କ ନୁହେଁ। ଏହା ଜଣେ ପରିବାରର ମାସିକ ଖର୍ଚ୍ଚ ସହ ସିଧାସଳଖ ଜଡ଼ିତ। ତେଣୁ ବିଲ୍ ଉପରେ ପ୍ରଶ୍ନ ଉଠିଲେ ଉପଭୋକ୍ତାଙ୍କୁ କେବଳ ଅଭିଯୋଗ ନମ୍ବର ଦେଇ ଦାୟିତ୍ୱ ଶେଷ କରିଦେବା ନୁହେଁ। ଅଭିଯୋଗର ମୂଳ କାରଣ, ବିଲିଂର ହିସାବ ଏବଂ ଆବଶ୍ୟକ ହେଲେ ମିଟର ପରୀକ୍ଷାର ପ୍ରମାଣ ଦେବା ମଧ୍ୟ ଜରୁରୀ।
ସ୍ମାର୍ଟ ମିଟର ଯଦି ଉପଭୋକ୍ତାଙ୍କ ସୁବିଧା ପାଇଁ, ତେବେ ଉପଭୋକ୍ତାଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ସ୍ମାର୍ଟ ଓ ସ୍ୱଚ୍ଛ ହେବା ଦରକାର। ଏବେ ସମୟ ଆସିଛି ବିଦ୍ୟୁତ ବିଲିଂ ବ୍ୟବସ୍ଥାରେ କେବଳ ସ୍ମାର୍ଟ ମିଟର ନୁହେଁ, ସ୍ମାର୍ଟ, ସ୍ୱଚ୍ଛ ଓ ଜବାବଦେହୀ ଉପଭୋକ୍ତା ସେବା ବ୍ୟବସ୍ଥା ମଧ୍ୟ ସୁନିଶ୍ଚିତ କରାଯାଉ।

