ଦେଶରେ ଜିଏସ୍ଟି ବ୍ୟବସ୍ଥାକୁ ଅଧିକ ସରଳ, ସ୍ୱଚ୍ଛ ଓ ଜନସାଧାରଣଙ୍କ ପାଇଁ ସୁବିଧାଜନକ କରିବା ଦିଗରେ ନୂଆ ସଂସ୍କାର ଅଣାଯାଇଛି । ଜିଏସ୍ଟି ପରିଷଦ ଅନୁମୋଦନ କରିଥିବା ନୂଆ ସଂସ୍କାର ଅନୁସାରେ ଗିରଫ ସମ୍ବନ୍ଧୀୟ ବ୍ୟବସ୍ଥାର ଉଚ୍ଛେଦ, କିଛି ଅପରାଧକୁ ଅପରାଧମୁକ୍ତ କରିବା ଏବଂ ପ୍ରକ୍ରିୟାକୁ ସରଳ କରିବା ଭଳି ପଦକ୍ଷେପର ସକାରାତ୍ମକ ପ୍ରଭାବ ପଡ଼ିବ। ଏହି ସଂସ୍କାରର ମୁଖ୍ୟ ଲକ୍ଷ୍ୟ ହେଉଛି ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାକୁ ଦ୍ରୁତ କରିବା, ଅନୁପାଳନ ଖର୍ଚ୍ଚ ହ୍ରାସ କରିବା, ଟିକସ ଫେରସ୍ତ ବା ରିଫଣ୍ଡ୍ ପ୍ରକ୍ରିୟାକୁ ସ୍ୱୟଂଚାଳିତ କରିବା ଏବଂ ଆସ୍ଥାଭିତ୍ତିକ ପ୍ରଶାସନକୁ ପ୍ରୋତ୍ସାହନ ଦେବା। ଏହି ପଦକ୍ଷେପଗୁଡ଼ିକ ଜିଏସ୍ଟି ବ୍ୟବସ୍ଥାକୁ ଅଧିକ ଦକ୍ଷ, ସ୍ୱଚ୍ଛ ଓ ନାଗରିକ ଅନୁକୂଳ କରିବା ପାଇଁ ସରକାରଙ୍କ ନିରନ୍ତର ପ୍ରୟାସର ଅଂଶ। ତେବେ, ଏହି ସଂସ୍କାରଗୁଡ଼ିକ କାର୍ଯ୍ୟକାରୀ ହେବା ପରେ ବ୍ୟବସାୟୀ, ଶିଳ୍ପ ସଂସ୍ଥା ଏବଂ ଟିକସଦାତାମାନେ କେତେ ମାତ୍ରାରେ ଲାଭବାନ ହେଉଛନ୍ତି, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।

