ଝାରସୁଗୁଡ଼ା:
ଆଇନଶୃଙ୍ଖଳା ପରିସ୍ଥିତି ଏବଂ ଲିଙ୍ଗଡୋ କମିଟିର ସୁପାରିସ ଉଲ୍ଲଂଘନକୁ ନେଇ ଝାରସୁଗୁଡ଼ାସ୍ଥିତ ଲକ୍ଷ୍ମୀନାରାୟଣ କଲେଜକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ଘୋଷଣା କରାଯାଇଛି। ୧୪ ଅକ୍ଟୋବର ୨୦୨୬ ତାରିଖରେ କଲେଜ ଅଧ୍ୟକ୍ଷଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଅପରାହ୍ନରୁ କଲେଜ ବନ୍ଦ ରହିବ।
ଏଥିସହ କଲେଜର ଉଭୟ ବାଳକ ଓ ବାଳିକା ହଷ୍ଟେଲର ଅନ୍ତେବାସୀଙ୍କୁ ୧୫ ଅକ୍ଟୋବର ସକାଳ ୮ଟା ସୁଦ୍ଧା ନିଜ ଜିନିଷପତ୍ର ସହ ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ ରହିଛି। ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଚାଲିଥିବା ଛାତ୍ର ସଂସଦ ନିର୍ବାଚନ ପ୍ରକ୍ରିୟାକୁ ମଧ୍ୟ ବାତିଲ କରାଯାଇଛି।
ବନ୍ଦ ସମୟରେ ବିନା ଲିଖିତ ଅନୁମତିରେ ଛାତ୍ରଛାତ୍ରୀ କିମ୍ବା ଅନ୍ୟ କେହି କଲେଜ ପରିସରକୁ ପ୍ରବେଶ କରିପାରିବେ ନାହିଁ। ନିର୍ଦ୍ଦେଶ ଉଲ୍ଲଂଘନ କଲେ ଜିଲ୍ଲା ପ୍ରଶାସନ ଓ ପୋଲିସ ସହଯୋଗରେ କଠୋର ପଦକ୍ଷେପ ନିଆଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।

