ବାରକୋଟ :
ଘରୁ ସାଇକେଲ ଧରି ବାହାରିଥିଲେ, ହେଲେ ଆଉ ଘରକୁ ଫେରିଲେ ନାହିଁ। ଦୀର୍ଘ ୧୦ ଦିନ ଧରି ନିଖୋଜ ଥିବା ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ରାଇତାବାହାଳ ଗ୍ରାମ ପଞ୍ଚାୟତ ନିକଟସ୍ଥ ଖଜୁରୀ ଖମନ୍ ବଣବିରା ଜଙ୍ଗଲରୁ ଯୁବକଙ୍କ ମୃତଦେହ ମିଳିଛି। ମୃତ ଯୁବକ ହେଉଛନ୍ତି ବଡ଼ମାଣପୁର ଗ୍ରାମର ହୃଷୀକେଶ ପାତ୍ରଙ୍କ ପୁଅ ଦୋଳଗୋବିନ୍ଦ ପାତ୍ର (୨୮)। ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ମୃତ୍ୟୁର କାରଣ ଜାଣିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାୟୀ, ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ମଧ୍ୟପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଡ଼ମାଣପୁର ଗ୍ରାମର ଦୋଳଗୋବିନ୍ଦ ପାତ୍ର ଗତ ୨୯ ତାରିଖ ମଙ୍ଗଳବାର ସନ୍ଧ୍ୟାରେ ସାଇକେଲ ଧରି ଘରୁ ବାହାରି ଯାଇଥିଲେ। କିନ୍ତୁ ଦୀର୍ଘ ସମୟ ବିତିଯିବା ପରେ ମଧ୍ୟ ସେ ଘରକୁ ଫେରି ନଥିଲେ। ଏହାକୁ ନେଇ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ତଥାପି ତାଙ୍କର କୌଣସି ସନ୍ଧାନ ନମିଳିବାରୁ ବାରକୋଟ ଥାନାରେ ନିଖୋଜ ସମ୍ପର୍କରେ ଅଭିଯୋଗ କରିଥିଲେ। ହେଲେ ୧୦ ଦିନ ବିତିଯାଇଥିଲେ ମଧ୍ୟ ତାଙ୍କର ପତ୍ତା ମିଳିନଥିଲା। ତେବେ ଗତକାଲି ରାଇତାବାହାଳ ଗ୍ରାମ ପଞ୍ଚାୟତ ନିକଟସ୍ଥ ଖଜୁରୀ ଖମନ୍ ବଣବିରା ଜଙ୍ଗଲକୁ ସ୍ଥାନୀୟ ଲୋକେ ଯାଇଥିବା ସମୟରେ ଏକ ସ୍ଥାନରେ ସାଇକେଲ ଓ ଚପଲ ପଡ଼ିଥିବା ଦେଖିଥିଲେ। ଏନେଇ ସେମାନେ ନିଖୋଜ ଯୁବକଙ୍କ ପରିବାରକୁ ଖବର ଦେଇଥିଲେ। ପରିବାର ଲୋକେ ଏ ସମ୍ପର୍କରେ ବାରକୋଟ ପୋଲିସକୁ ଜଣାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲା। ଏହି ସମୟରେ ଅପରାହ୍ନ ପ୍ରାୟ ୫ଟା ବେଳେ ଜଙ୍ଗଲର ଏକ ଗଛରୁ ଦୋଳଗୋବିନ୍ଦଙ୍କ ଝୁଲନ୍ତା ମୃତଦେହ ଠାବ କରାଯାଇଥିଲା। ପରେ ପରିବାର ଲୋକେ ମୃତଦେହକୁ ଚିହ୍ନଟ କରିଥିଲେ। ପୋଲିସ ମୃତଦେହକୁ ଉଦ୍ଧାର କରିବା ସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଦେବଗଡ଼ ରୁ ଜିଲ୍ଲା ପ୍ରତିନିଧି ରୁପେଶ୍ ଗୁରୁ ଙ୍କ ରିପୋର୍ଟ

