କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଅଞ୍ଚଳରେ ଚାଞ୍ଚଲ୍ୟ। ପୋଲିସ କର୍ମଚାରୀଙ୍କ ସ୍ୱାମୀଙ୍କୁ ଗୁଳିମାଡ଼ କରି ହତ୍ୟା ଅଭିଯୋଗ। ଜନସେବା କେନ୍ଦ୍ର ବନ୍ଦ କରି ଘରକୁ ଫେରୁଥିବା ବେଳେ ତାଙ୍କ ଉପରେ ହୋଇଥିଲା ଆକ୍ରମଣ। ତୁରୁମୁଙ୍ଗା ଜନସେବା କେନ୍ଦ୍ର ନିକଟରେ ଅଜଣା ଦୁର୍ବୃତ୍ତମାନେ ପ୍ରଥମେ ତୀରମାଡ଼ କରିବା ସହ ଗୁଳି ଚଳାଇଥିବା ସୂଚନା ମିଳିଛି। ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ ଜନସେବା କେନ୍ଦ୍ରର ସମ୍ପୃକ୍ତ ବ୍ୟକ୍ତି। ଘଟଣା ପରେ ତାଙ୍କୁ ତୁରନ୍ତ ଉଦ୍ଧାର କରି ଧରଣୀଧର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।
ଅଭିଯୋଗ ଅନୁସାରେ, ଗୁଳିମାଡ଼ ପରେ ଦୁର୍ବୃତ୍ତମାନେ ତାଙ୍କ ନିକଟରୁ ଟଙ୍କା ଲୁଟ୍ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ମୃତକଙ୍କ ପତ୍ନୀ ଜଣେ ପୋଲିସ କର୍ମଚାରୀ ବୋଲି ଜଣାପଡ଼ିଛି। ଏହି ଘଟଣା ପରେ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଘଟଣାର ଖବର ପାଇ ତୁରୁମୁଙ୍ଗା ପୋଲିସ ତଦନ୍ତ ଆରମ୍ଭ କରିଛି। ଆକ୍ରମଣ ପଛରେ କିଏ ଏବଂ ଲୁଟ୍ ହିଁ ହତ୍ୟାର ମୁଖ୍ୟ କାରଣ କି ଅନ୍ୟ କୌଣସି ଶତ୍ରୁତା ରହିଛି, ସେନେଇ ତଦନ୍ତ ଜାରି ରହିଛି।


