ଦିନେ ଦିନେ ମୋବାଇଲ୍ ଫୋନ୍ ଆମ ଜୀବନର ଅବିଚ୍ଛେଦ୍ୟ ଅଂଶ ପାଲଟିଛି। ଫୋନ୍ କଲ୍ ଠାରୁ ଆରମ୍ଭ କରି ଅନଲାଇନ୍ ଶିକ୍ଷା, ବ୍ୟାଙ୍କିଂ, ଡିଜିଟାଲ୍ ପେମେଣ୍ଟ, ଅଫିସ୍ କାମ, ସୋସିଆଲ୍ ମିଡିଆ; ସବୁକିଛି ଏବେ ମୋବାଇଲ୍ ଓ ଇଣ୍ଟରନେଟ୍ ଉପରେ ନିର୍ଭରଶୀଳ। କିନ୍ତୁ ଏହି ଡିଜିଟାଲ୍ ନିର୍ଭରଶୀଳତା ସହିତ ବଢୁଛି ଆଉ ଏକ ଚିନ୍ତା; ଟେଲିକମ୍ ରିଚାର୍ଜ ମହଙ୍ଗା ହେଉଛି। କିଛି ବର୍ଷ ପୂର୍ବରୁ ଭାରତୀୟ ଟେଲିକମ୍ ବଜାରରେ ଥିଲା ଅନେକ ବଡ଼ ଓ ଛୋଟ ଖେଳାଳି। Airtel, Vodafone, Idea, Reliance Communications, Aircel, Tata Docomo, Uninor, Videocon ଭଳି ଅନେକ ନାମ ଗ୍ରାହକଙ୍କ ମଧ୍ୟରେ ପରିଚିତ ଥିଲା। କମ୍ପାନୀ ମଧ୍ୟରେ ତୀବ୍ର ପ୍ରତିଯୋଗିତା ଥିବାରୁ ଗ୍ରାହକଙ୍କୁ ଆକର୍ଷଣ କରିବା ପାଇଁ ଅନେକ ପ୍ରକାର ଅଫର୍ ମିଳୁଥିଲା। ଆଜିର ଚିତ୍ର କିନ୍ତୁ ବହୁତ ବଦଳିଯାଇଛି। ବଡ଼ ମାପରେ ଉପଭୋକ୍ତା ମୋବାଇଲ୍ ସେବା ବଜାରରେ Reliance Jio, Bharti Airtel, Vodafone Idea ଓ BSNL ଭଳି କିଛି ପ୍ରମୁଖ ନାମ ହିଁ ଦେଖାଯାଉଛି। ଫଳରେ ପ୍ରଶ୍ନ ଉଠୁଛି; ପ୍ରତିଯୋଗିତା କମିଲେ କଣ ଗ୍ରାହକଙ୍କ ବିକଳ୍ପ ମଧ୍ୟ କମିଯାଉଛି?
ଭାରତୀୟ ଟେଲିକମ୍ ଶିଳ୍ପରେ କମ୍ପାନୀମାନଙ୍କ ବନ୍ଦ ହେବା ପଛରେ ଅନେକ କାରଣ ରହିଛି। ଭାରି ସ୍ପେକ୍ଟ୍ରମ୍ ଖର୍ଚ୍ଚ, ନେଟୱର୍କ ନିର୍ମାଣ ଓ ରକ୍ଷଣାବେକ୍ଷଣର ବିପୁଳ ଖର୍ଚ୍ଚ, ତୀବ୍ର ମୂଲ୍ୟ ପ୍ରତିଯୋଗିତା, ଋଣ ଚାପ ଏବଂ ନିୟମକୀୟ ପରିବର୍ତ୍ତନ; ଏସବୁ ମିଶି ଅନେକ କମ୍ପାନୀକୁ ବଜାରରୁ ବାହାରିବାକୁ ବାଧ୍ୟ କରିଛି।
ବିଶେଷକରି ୨୦୧୬ ପରେ ମାଗଣା ଓ ଅତ୍ୟନ୍ତ ଶସ୍ତା ଡାଟା ଏବଂ କଲ୍ ସେବାକୁ ନେଇ ଯେଉଁ ମୂଲ୍ୟ ଯୁଦ୍ଧ ଆରମ୍ଭ ହେଲା, ତାହା ଟେଲିକମ୍ ବଜାରର ଚିତ୍ରକୁ ବଦଳାଇଦେଲା। ଛୋଟ ଓ ଦୁର୍ବଳ କମ୍ପାନୀମାନେ ଦୀର୍ଘ ସମୟ ଧରି ଏହି ପ୍ରତିଯୋଗିତା ସହିପାରିଲେ ନାହିଁ। Vodafone ଓ Idea ମିଶି Vodafone Idea ହେଲା। ଅନେକ କମ୍ପାନୀ ବ୍ୟବସାୟ ବନ୍ଦ କଲେ କିମ୍ବା ଅନ୍ୟ କମ୍ପାନୀ ସହ ମିଶିଗଲେ। ଅର୍ଥାତ୍ ଏହା କେବଳ ଗୋଟିଏ କମ୍ପାନୀର ମନମାନି ନୁହେଁ; ଏହା ପଛରେ ଦୀର୍ଘ ସମୟର ଶିଳ୍ପଗତ ଓ ଆର୍ଥିକ ପରିବର୍ତ୍ତନ ରହିଛି। କିନ୍ତୁ ଏହା ସତ୍ତ୍ୱେ ଗ୍ରାହକଙ୍କ ପ୍ରଶ୍ନ ରହିଛି; ବଜାରରେ ଯଦି ପ୍ରତିଯୋଗିତା କମିଯାଏ, ତାହାର ଲାଭ କିଏ ପାଇବ ଏବଂ ଏହାର ଭାର କିଏ ବହନ କରିବ?
ଟେଲିକମ୍ ଗ୍ରାହକଙ୍କ ମଧ୍ୟରେ ସବୁଠାରୁ ଅଧିକ ଆଲୋଚିତ ପ୍ରସଙ୍ଗ ହେଉଛି ୨୮ ଦିନର ରିଚାର୍ଜ ପ୍ଲାନ୍। ସାଧାରଣ ଭାବେ ଗୋଟିଏ ମାସକୁ ଲୋକେ ୩୦ କିମ୍ବା ୩୧ ଦିନ ଭାବରେ ଗଣନା କରନ୍ତି। କିନ୍ତୁ ୨୮ ଦିନର ପ୍ଲାନ୍ ନେଲେ ବର୍ଷକୁ ୧୨ଟି ରିଚାର୍ଜରେ ସମ୍ପୂର୍ଣ୍ଣ ବର୍ଷ କଭର୍ ହୁଏ ନାହିଁ। ୨୮ ଦିନ × ୧୩ = ୩୬୪ ଦିନ। ଅର୍ଥାତ୍ ବର୍ଷକୁ ପ୍ରାୟ ୧୩ଟି ୨୮-ଦିନିଆ ସାଇକେଲ୍ ଦରକାର ହୁଏ। ଏହି କାରଣରୁ ଗ୍ରାହକମାନେ କହନ୍ତି “୧୨ ମାସ ପାଇଁ ୧୩ ଥର ରିଚାର୍ଜ କରିବାକୁ ପଡୁଛି।”
ଏଠାରେ ଆଇନଗତ ପ୍ରଶ୍ନ ଅଲଗା ହୋଇପାରେ, କିନ୍ତୁ ଗ୍ରାହକଙ୍କ ମନରେ ପ୍ରଶ୍ନ ସ୍ୱାଭାବିକ—ମାସିକ ପ୍ଲାନ୍ କୁହାଯାଉଥିବା ପ୍ଲାନ୍ ୩୦ ଦିନର ବଦଳରେ ୨୮ ଦିନ କାହିଁକି? କମ୍ପାନୀମାନେ ନିଜ ଟାରିଫ୍ ଓ ପ୍ଲାନ୍ ନିର୍ଦ୍ଧାରଣ କରିବାରେ ବ୍ୟବସାୟିକ ସ୍ୱାଧୀନତା ରଖନ୍ତି। ତଥାପି ପ୍ରଶ୍ନ ହେଉଛି; ଗ୍ରାହକଙ୍କ ସ୍ୱାର୍ଥ ଓ ସ୍ୱଚ୍ଛତା କେତେ ଦୂର ପର୍ଯ୍ୟନ୍ତ ସୁରକ୍ଷିତ?
ସାଧାରଣ ପରିବାର ପାଇଁ ଆଜି ମୋବାଇଲ୍ ରିଚାର୍ଜ ଏକ ନିୟମିତ ଖର୍ଚ୍ଚ। ଗୋଟିଏ ପରିବାରରେ ଯଦି ୩ କିମ୍ବା ୪ଟି ମୋବାଇଲ୍ ସିମ୍ ଥାଏ, ତେବେ ପ୍ରତିମାସର ଟେଲିକମ୍ ଖର୍ଚ୍ଚ ଏକ ବଡ଼ ରାଶି ହୋଇଯାଏ। ଏହା ସହିତ ଡାଟାର ଆବଶ୍ୟକତା ମଧ୍ୟ ବଢିଛି। ଅନଲାଇନ୍ କ୍ଲାସ୍, YouTube, ଭିଡିଓ କଲ୍, OTT, ଅଫିସ୍ କାମ ଓ ଡିଜିଟାଲ୍ ପେମେଣ୍ଟ ପାଇଁ ଇଣ୍ଟରନେଟ୍ ଆଉ ବିଳାସିତା ନୁହେଁ; ଏହା ଆବଶ୍ୟକତା। ତେଣୁ ଟେଲିକମ୍ ଟାରିଫ୍ ବଢିଲେ ଏହାର ପ୍ରଭାବ କେବଳ ମୋବାଇଲ୍ ବ୍ୟବହାରକାରୀଙ୍କ ଉପରେ ନୁହେଁ, ସମଗ୍ର ଡିଜିଟାଲ୍ ଅର୍ଥନୀତି ଉପରେ ପଡିପାରେ।
ଏଠାରେ ସବୁଠାରୁ ବଡ଼ ପ୍ରଶ୍ନ; ଭାରତୀୟ ଟେଲିକମ୍ ବଜାର କି ମୋନୋପଲି ଦିଗକୁ ଯାଉଛି? ଆଇନଗତ ଭାବେ “ମୋନୋପଲି” କହିବା ପାଇଁ ବଜାର ଶକ୍ତି, ପ୍ରତିଯୋଗିତା ଓ ନିୟମକୀୟ ମାନଦଣ୍ଡକୁ ବିଶ୍ଳେଷଣ କରିବା ଦରକାର। କିନ୍ତୁ ଗ୍ରାହକଙ୍କ ଦୃଷ୍ଟିରୁ ଚିତ୍ର ସରଳ ବିକଳ୍ପ ଯେତେ କମିବ, ଗ୍ରାହକଙ୍କ bargaining power ସେତେ କମିବ। ଯଦି କିଛି ବଡ଼ କମ୍ପାନୀ ହିଁ ବଜାରର ବଡ଼ ଅଂଶ ନିୟନ୍ତ୍ରଣ କରନ୍ତି, ତେବେ ଟାରିଫ୍, ଡାଟା ଲିମିଟ୍, ବୈଧତା ଓ ସେବାର ମୂଲ୍ୟ ନେଇ ଗ୍ରାହକଙ୍କ ପାଖରେ ବିକଳ୍ପ କମିଯାଏ।
ଟେଲିକମ୍ ଏକ ସାଧାରଣ ବ୍ୟବସାୟ ନୁହେଁ। ଏହା ଦେଶର ଡିଜିଟାଲ୍ ଭିତ୍ତିଭୂମିର ଏକ ମୁଖ୍ୟ ଅଂଶ। ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ ଠାରୁ ଆରମ୍ଭ କରି ଛୋଟ ବ୍ୟବସାୟୀ, କୃଷକ, ଚାକିରିଜୀବୀ ଓ ସାଧାରଣ ପରିବାର—ସମସ୍ତେ ଏହା ଉପରେ ନିର୍ଭରଶୀଳ। ତେଣୁ ପ୍ରଶ୍ନ ଉଠିବା ସ୍ୱାଭାବିକ; ଗ୍ରାହକ ସ୍ୱାର୍ଥ ରକ୍ଷା ପାଇଁ ନିୟମକୀୟ ବ୍ୟବସ୍ଥା କେତେ ପ୍ରଭାବଶାଳୀ? Telecom Regulatory Authority of India(TRAI) ଟାରିଫ୍ ଓ ଗ୍ରାହକ ସ୍ୱାର୍ଥ ସମ୍ବନ୍ଧୀୟ ଅନେକ କ୍ଷେତ୍ରରେ ନିୟମ ଓ ପରାମର୍ଶ ଦେଇଥାଏ। ସରକାର ମଧ୍ୟ ଟେଲିକମ୍ କ୍ଷେତ୍ରର ନୀତି ନିର୍ଦ୍ଧାରଣ କରେ। କିନ୍ତୁ ସାଧାରଣ ଗ୍ରାହକଙ୍କ ପ୍ରଶ୍ନ ହେଉଛି; ସେବା ପ୍ରଦାନକାରୀ କମ୍ପାନୀ ଓ ଗ୍ରାହକଙ୍କ ମଧ୍ୟରେ ସନ୍ତୁଳନ କିଏ ରଖିବ?
ଟେଲିକମ୍ କମ୍ପାନୀ ଲାଭ କରିବା ଅପରାଧ ନୁହେଁ। ନେଟୱର୍କ ବିସ୍ତାର, 5G, ଫାଇବର୍, ସ୍ପେକ୍ଟ୍ରମ୍ ଓ ଟେକ୍ନୋଲୋଜିରେ ବିପୁଳ ନିବେଶ ଦରକାର। ସେହି ନିବେଶର ମୂଲ୍ୟ ଟାରିଫ୍ରେ ପ୍ରତିଫଳିତ ହେବା ସ୍ୱାଭାବିକ। କିନ୍ତୁ ଗ୍ରାହକଙ୍କ ଦାବି ମଧ୍ୟ ସ୍ପଷ୍ଟ; ଦର କାହିଁକି ବଢୁଛି, କେଉଁ ସେବା ପାଇଁ କେତେ ଟଙ୍କା ନିଆଯାଉଛି, ପ୍ଲାନ୍ର ବୈଧତା କେତେ ଏବଂ ବାସ୍ତବରେ ଗ୍ରାହକ କେତେ ସେବା ପାଉଛନ୍ତି; ଏସବୁ ନେଇ ସ୍ୱଚ୍ଛତା ରହିବା ଦରକାର।
ଶେଷରେ ପ୍ରଶ୍ନ ଭାରତ ଡିଜିଟାଲ୍ ଇଣ୍ଡିଆର ସ୍ୱପ୍ନ ଦେଖୁଛି। ଦେଶର ପ୍ରତ୍ୟେକ ଗାଁକୁ ଡିଜିଟାଲ୍ ସଂଯୋଗ ସହ ଯୋଡିବାର କଥା କୁହାଯାଉଛି। ତେବେ ଡିଜିଟାଲ୍ ସେବାର ମୂଳ ଆଧାର; ମୋବାଇଲ୍ ଓ ଇଣ୍ଟରନେଟ୍ ଯଦି ସାଧାରଣ ଲୋକଙ୍କ ପାଇଁ ଦିନକୁ ଦିନ ମହଙ୍ଗା ହୁଏ, ତେବେ ଡିଜିଟାଲ୍ ସମାବେଶ କିପରି ସମ୍ଭବ? ପ୍ରଶ୍ନ ଏହା ନୁହେଁ ଯେ ଟେଲିକମ୍ କମ୍ପାନୀ ଲାଭ କରିବ କି ନାହିଁ। ପ୍ରଶ୍ନ ହେଉଛି; ଲାଭ ଓ ଗ୍ରାହକ ସ୍ୱାର୍ଥ ମଧ୍ୟରେ ସନ୍ତୁଳନ ରହୁଛି କି? ପ୍ରଶ୍ନ ଏହା ମଧ୍ୟ—କମ୍ପାନୀ କମିବା ସହ ପ୍ରତିଯୋଗିତା କମିଛି କି? ଟାରିଫ୍ ବଢିବାର କାରଣ କ’ଣ? ୨୮ ଦିନର ପ୍ଲାନ୍ର ଯୁକ୍ତି କ’ଣ? ଏବଂ ସବୁଠାରୁ ବଡ଼ ପ୍ରଶ୍ନ; ଗ୍ରାହକଙ୍କ ସ୍ୱାର୍ଥର ଶେଷ ପାହାରାଦାର କିଏ?
ଏହି ପ୍ରଶ୍ନର ଉତ୍ତର କେବଳ ଟେଲିକମ୍ କମ୍ପାନୀ ନୁହେଁ, ନିୟାମକ ସଂସ୍ଥା ଓ ସରକାରଙ୍କୁ ମଧ୍ୟ ଦେବାକୁ ପଡିବ। କାରଣ ଟେଲିକମ୍ ଆଜି କେବଳ ଏକ ବ୍ୟବସାୟ ନୁହେଁ; ଏହା ଆଧୁନିକ ଭାରତର ଜୀବନରେଖା।

