ସମ୍ବଲପୁର :
ସରକାରୀ ଅର୍ଥ ହେରଫେର ଓ ଜାଲିଆତି ବିଲ୍ ମାଧ୍ୟମରେ କୋଟିଏରୁ ଅଧିକ ଟଙ୍କା ଆତ୍ମସାତ୍ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଜଣେ ଜୁନିଅର ଆସିଷ୍ଟାଣ୍ଟଙ୍କୁ ଗିରଫ କରିଛି।
ଗିରଫ ଅଭିଯୁକ୍ତ ହେଲେ ମିର୍ ଇମତିଆଜ୍ ଅଲ୍ଲୀ। ସେ ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ୍ ଅନ୍ତର୍ଗତ ଫାସିମାଲ CHCରେ ଜୁନିଅର ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟରତ ଥିବା ସହ ଗୋବିନ୍ଦପୁର CHCର ଇନ୍ଚାର୍ଜ ଜୁନିଅର ଆସିଷ୍ଟାଣ୍ଟ ଦାୟିତ୍ୱରେ ମଧ୍ୟ ଥିଲେ।
ଭିଜିଲାନ୍ସର ତଦନ୍ତ ଅନୁସାରେ, ୨୦୨୧-୨୨ରୁ ୨୦୨୬-୨୭ ଆର୍ଥିକ ବର୍ଷ ମଧ୍ୟରେ ଅବସରପ୍ରାପ୍ତ କର୍ମଚାରୀଙ୍କ ନାଁରେ ଜାଲ୍ ଅନ୍ଲାଇନ୍ ଓ ଅଫ୍ଲାଇନ୍ ବିଲ୍ ପ୍ରସ୍ତୁତ କରାଯାଇଥିଲା।
ବକେୟା ଦରମା, ଅବ୍ୟବହୃତ ଛୁଟିର ଟଙ୍କା ଓ ପ୍ରୋଭିଜନାଲ୍ ପେନ୍ସନ୍ ଭଳି ବିଭିନ୍ନ ଖାତାରେ ପ୍ରସ୍ତୁତ ଏହି ବିଲ୍ର ଅର୍ଥ ସମ୍ପୃକ୍ତ ଅବସରପ୍ରାପ୍ତ କର୍ମଚାରୀଙ୍କୁ ନଦେଇ ନିଜ ବ୍ୟାଙ୍କ୍ ଆକାଉଣ୍ଟକୁ ସ୍ଥାନାନ୍ତର କରାଯାଇଥିବା ଭିଜିଲାନ୍ସ ତଦନ୍ତରୁ ଜଣାପଡ଼ିଛି। ଫାସିମାଲ CHCରେ କାର୍ଯ୍ୟରତ ସମୟରେ ମୋଟ ୭୦ ଲକ୍ଷ ୫୭ ହଜାର ୪୫୦ ଟଙ୍କା ଏବଂ ଗୋବିନ୍ଦପୁର CHCରେ କାର୍ଯ୍ୟରତ ସମୟରେ ୪୪ ଲକ୍ଷ ୫୭ ହଜାର ୮୯ ଟଙ୍କା ହେରଫେର କରାଯାଇଥିବା ଅଭିଯୋଗ ରହିଛି। ଏହିପରି ଭାବେ ସମୁଦାୟ ୧ କୋଟି ୧୫ ଲକ୍ଷ ୧୪ ହଜାର ୫୩୯ ଟଙ୍କା ସରକାରୀ ଅର୍ଥ ହେରଫେର କରାଯାଇଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ଏନେଇ ସମ୍ବଲପୁର ଭିଜିଲାନ୍ସ ଥାନାରେ ଆଜି, ସେପ୍ଟେମ୍ବର ୮ ତାରିଖରେ, କେସ୍ ନମ୍ବର ୧୪ ଓ ୧୫ ରୁଜୁ ହୋଇଛି। ଅଭିଯୁକ୍ତଙ୍କ ବିରୋଧରେ Prevention of Corruption Act ଓ BNSର ସମ୍ପୃକ୍ତ ଧାରାରେ ମାମଲା ରୁଜୁ କରାଯାଇଛି। ଗିରଫ ଅଭିଯୁକ୍ତ ମିର୍ ଇମତିଆଜ୍ ଅଲ୍ଲୀଙ୍କୁ ସମ୍ବଲପୁର ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ଅଦାଲତରେ ହାଜର କରାଯିବ। ଘଟଣାର ତଦନ୍ତ ଏବେ ମଧ୍ୟ ଜାରି ରହିଛି।

