ଏନ୍ଏମ୍ଏଲ୍ ଦୁଲଙ୍ଗାରେ ଆୟୋଜିତ ପ୍ରଥମ ବ୍ୟାଚ୍ ସମର ଇଣ୍ଟର୍ନଶିପ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହ ଶେଷ ହୋଇଛି। ଏକ ମାସବ୍ୟାପୀ ଏହି ପ୍ରଶିକ୍ଷଣରେ ଅଂଶଗ୍ରହଣକାରୀ ଇଣ୍ଟର୍ନମାନେ ଖଣି ପରିଚାଳନା, ସୁରକ୍ଷା ବ୍ୟବସ୍ଥା ଏବଂ ଶିଳ୍ପ କ୍ଷେତ୍ରର ବିଭିନ୍ନ ମାନଦଣ୍ଡ ସମ୍ପର୍କରେ ବ୍ୟବହାରିକ ଅନୁଭବ ହାସଲ କରିଛନ୍ତି।
ପ୍ରଶିକ୍ଷଣ ସମୟରେ ବୃତ୍ତିମୂଳକ ପ୍ରଶିକ୍ଷଣ କେନ୍ଦ୍ର (VTC)ରେ ସାଧାରଣ ସୁରକ୍ଷା, ଅଗ୍ନି ନିରାପତ୍ତା, ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର (SOP) ଏବଂ ଭର୍ଚୁଆଲ୍ ରିଅଲିଟି (VR) ଆଧାରିତ ଶିକ୍ଷା ପ୍ରଦାନ କରାଯାଇଥିଲା। ଏହା ସହିତ ପ୍ରଥମିକ ଚିକିତ୍ସା, ସିପିଆର୍ (CPR) ଏବଂ ଜରୁରୀକାଳୀନ ପରିସ୍ଥିତିରେ କିପରି ସଠିକ୍ ପଦକ୍ଷେପ ନିଆଯିବ, ସେ ସମ୍ପର୍କରେ ମଧ୍ୟ ପ୍ରଶିକ୍ଷଣ ଦିଆଯାଇଥିଲା।
ଇଣ୍ଟର୍ନମାନଙ୍କୁ ଲାଇଟ୍ ମୋଟର ଭେହିକଲ୍ (LMV) ଓ ହେଭି ମୋଟର ଭେହିକଲ୍ (HMV) ପରିଚାଳନା ପାଇଁ ପ୍ରଯୁଜ୍ୟ SOP, ଖଣି ସମ୍ବନ୍ଧୀୟ ବୈଧାନିକ ନିୟମାବଳୀ ଏବଂ କୋଲ୍ ହ୍ୟାଣ୍ଡଲିଂ ପ୍ଲାଣ୍ଟ (CHP)ର କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ମଧ୍ୟ ଅବଗତ କରାଯାଇଥିଲା। ଏହାବ୍ୟତୀତ ମାନବ ସମ୍ପଦ (HR), ପ୍ରଶାସନିକ ବ୍ୟବସ୍ଥା, ବୃତ୍ତିଗତ ସ୍ୱାସ୍ଥ୍ୟ ଓ ସୁରକ୍ଷା ବିଷୟରେ ମଧ୍ୟ ସ୍ୱତନ୍ତ୍ର ଅଧିବେଶନ ଆୟୋଜିତ ହୋଇଥିଲା।
ଏହି ସମର ଇଣ୍ଟର୍ନଶିପ୍ର ସଫଳ ସମାପ୍ତି ମାଧ୍ୟମରେ ଏନ୍ଏମ୍ଏଲ୍ ଦୁଲଙ୍ଗା ଯୁବ ପ୍ରତିଭାଙ୍କୁ ବ୍ୟବହାରିକ ଜ୍ଞାନ ପ୍ରଦାନ, କାର୍ଯ୍ୟସ୍ଥଳରେ ସୁରକ୍ଷା ସଂସ୍କୃତିକୁ ସୁଦୃଢ଼ କରିବା ଏବଂ ଭବିଷ୍ୟତର ଖଣି ପେସାଦାରମାନଙ୍କୁ ଦକ୍ଷ କରି ଗଢ଼ି ତୋଳିବା ପ୍ରତି ନିଜର ପ୍ରତିବଦ୍ଧତାକୁ ପୁନର୍ବ୍ୟକ୍ତ କରିଛି।

