Type Here to Get Search Results !

ରଥଯାତ୍ରା ପ୍ରସ୍ତୁତିର ଉଚ୍ଚସ୍ତରୀୟ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ; ସୁରକ୍ଷା, ଶୃଙ୍ଖଳା ଓ ଭିଡ଼ ନିୟନ୍ତ୍ରଣକୁ ସର୍ବାଧିକ ଗୁରୁତ୍ୱ

 

ଭୁବନେଶ୍ୱର: 

ଆସନ୍ତା ପବିତ୍ର ରଥଯାତ୍ରାକୁ ସୁରକ୍ଷିତ, ଶୃଙ୍ଖଳିତ ଏବଂ ସୁଚାରୁ ଭାବେ ସମ୍ପନ୍ନ କରିବା ପାଇଁ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।

ବୈଠକରେ ମୁଖ୍ୟମନ୍ତ୍ରୀ ରଥ ଟଣାର ସମୟାନୁବର୍ତ୍ତିତା, ରଥ ଓ ଶ୍ରଦ୍ଧାଳୁଙ୍କ ସୁରକ୍ଷା, ଭିଡ଼ ନିୟନ୍ତ୍ରଣ, ଅଗ୍ନିଶମ ବ୍ୟବସ୍ଥା ଏବଂ ଅଭିଜ୍ଞ ଅଧିକାରୀଙ୍କ ନେତୃତ୍ୱରେ ସୁଚାରୁ ପରିଚାଳନା ଉପରେ ବିଶେଷ ଗୁରୁତ୍ୱ ଦେଇଛନ୍ତି। ପ୍ରତ୍ୟେକ ସ୍ତରରେ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ନିରନ୍ତର ସୂଚନା ଆଦାନ-ପ୍ରଦାନ ଓ କୌଣସି ପ୍ରକାର ଯୋଗାଯୋଗ ବିଭ୍ରାଟ ନ ହେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ମହିଳାଙ୍କ ସୁରକ୍ଷା, ସନ୍ଦିଗ୍ଧ ଓ ନିଶାସକ୍ତ ବ୍ୟକ୍ତିଙ୍କ ଉପରେ କଡ଼ା ନଜର, ଟ୍ରାଫିକ ପରିଚାଳନା, ଖାଦ୍ୟ ଓ ପାନୀୟ ଜଳର ଗୁଣବତ୍ତା ଯାଞ୍ଚ, ଜରୁରୀକାଳୀନ ସ୍ଥାନାନ୍ତର ବ୍ୟବସ୍ଥା ଏବଂ ପାଣିପାଗକୁ ଦୃଷ୍ଟିରେ ରଖି ସମସ୍ତ ପ୍ରସ୍ତୁତିକୁ ନିଖୁଣ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ଚଳିତ ବର୍ଷ ରଥଯାତ୍ରା ପାଇଁ ୧୨ ହଜାର ପୋଲିସ ଓ CAPF ଜବାନ ମୁତୟନ କରାଯାଇଥିବା ବେଳେ କୋଷ୍ଟଗାର୍ଡ ଓ ଭାରତୀୟ ନୌସେନା ମଧ୍ୟ ସତର୍କ ରହିଛନ୍ତି। ସୁରକ୍ଷା ବ୍ୟବସ୍ଥାର ତଦାରଖ ପାଇଁ ୧୯ ଜଣ ବରିଷ୍ଠ IPS ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି।

ଶ୍ରଦ୍ଧାଳୁଙ୍କୁ ସୂଚନା ପ୍ରଦାନ ପାଇଁ ୬୫ଟି ବଡ଼ LED ସ୍କ୍ରିନ୪୭୩ଟି CCTV କ୍ୟାମେରା ସ୍ଥାପନ କରାଯାଇଛି। ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଭାଷାରେ ସୂଚନା ପ୍ରଦାନ ସହ ୧୬ଟି ସ୍ଥାୟୀ ଓ ଅନେକ ଅସ୍ଥାୟୀ ମୋବାଇଲ ଟାୱାର ଏବଂ ବଲ୍କ ମେସେଜିଂ ବ୍ୟବସ୍ଥା କରାଯାଇଛି।

ଗୁଣ୍ଡିଚା ମନ୍ଦିରରେ ଦିବ୍ୟାଙ୍ଗ ଓ ବୟସ୍କ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ହେଲ୍ପ ଡେସ୍କ, ଭିଡ଼ ନିୟନ୍ତ୍ରଣ ପାଇଁ ଏକାଧିକ ଇଭାକୁଏସନ୍ କରିଡର, କୋ-ଅର୍ଡିନେଟେଡ୍ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର, ପ୍ରତ୍ୟେକ ପର୍ଯ୍ୟାୟ ପାଇଁ ଜଣେ ନୋଡାଲ ଅଧିକାରୀ, ପାର୍କିଂ ଓ ରାଜପଥରେ ହାଇମାଷ୍ଟ ଲାଇଟ୍, ୧୭୦୦ ବାୟୋ-ଟଏଲେଟ୍ ଏବଂ ୮ଟି ଅସ୍ଥାୟୀ ହସ୍ପିଟାଲ ବ୍ୟବସ୍ଥା କରାଯାଇଛି।

ଏହାସହ ଚଳିତ ବର୍ଷ ରଥଯାତ୍ରା ଅବସରରେ ୩୦୦ରୁ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ପୁରୀକୁ ଚଳାଚଳ କରିବ। ଟ୍ରେନ୍ ସମୟ ଅନୁଯାୟୀ ଶ୍ରଦ୍ଧାଳୁଙ୍କ ଆଗମନକୁ ଧ୍ୟାନରେ ରଖି ଯାତ୍ରୀ ସୂଚନା, ଭିଡ଼ ନିୟନ୍ତ୍ରଣ ଓ ସମସ୍ତ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Post a Comment

0 Comments
* Please Don't Spam Here. All the Comments are Reviewed by Admin.