Type Here to Get Search Results !

ତାଲସରାରେ ଯୁବକଙ୍କୁ ହତ୍ୟା ଅଭିଯୋଗ, ଅଭିଯୁକ୍ତ ଗିରଫ

ସୁନ୍ଦରଗଡ଼ : 

ତାଲସରା ଥାନା ଅନ୍ତର୍ଗତ ମୟାବାହାଲ (ଦେହେରୀପଡ଼ା) ଗ୍ରାମରେ ଜଣେ ୨୪ ବର୍ଷୀୟ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗରେ ପୋଲିସ ଜଣଙ୍କୁ ଗିରଫ କରିଛି। ମୃତକ ହେଲେ ହେମନ୍ତ ନାୟକ (୨୪)। ଅଭିଯୁକ୍ତ କନ୍ଦର୍ପ ଦେହେରୀ (୫୪)ଙ୍କୁ ପୋଲିସ ଗିରଫ କରି ଅଦାଲତକୁ ଚାଲାଣ କରିଛି।

ପୋଲିସ ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ, ଜୁନ ୨୬ ତାରିଖ ସନ୍ଧ୍ୟା ପ୍ରାୟ ୭.୩୦ ସମୟରେ ଅଭିଯୁକ୍ତ ନିଜ ପତ୍ନୀଙ୍କ ସହ ଝଗଡ଼ା କରୁଥିଲେ। ଭୟଭୀତ ହୋଇ ତାଙ୍କ ପତ୍ନୀ ହେମନ୍ତଙ୍କ ଘରକୁ ଯାଇଥିଲେ। ଏହାପରେ ଅଭିଯୁକ୍ତ ସେଠାକୁ ଯାଇ ହେମନ୍ତଙ୍କ ଭଉଣୀଙ୍କୁ ଗାଳିଗୁଲଜ କରିବା ସହ ପତ୍ନୀଙ୍କୁ ଲୁଚାଇ ରଖିଥିବା ଅଭିଯୋଗ କରିଥିଲେ। ପରେ ହେମନ୍ତ ବୁଝାସୁଝା କରି ଅଭିଯୁକ୍ତଙ୍କୁ ତାଙ୍କ ଘରକୁ ପଠାଇ ଦେଇଥିଲେ। ରାତି ପ୍ରାୟ ୧୦.୩୦ ସମୟରେ ହେମନ୍ତ ନିଜ ଘର ନିକଟସ୍ଥ ଏକ କଲଭର୍ଟ ଉପରେ ବସିଥିବା ବେଳେ ଅଭିଯୁକ୍ତ ସେଠାକୁ ଯାଇ ଏକ ଲୁହା ଘାସ କଟା ଅସ୍ତ୍ରରେ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିବା ପୋଲିସ କହିଛି। ଘଟଣାସ୍ଥଳରେ ହେମନ୍ତଙ୍କ ମୃତ୍ୟୁ ଘଟିଥିଲା।

ମୃତକଙ୍କ ଭଉଣୀ କୁମାରୀ ନାୟକଙ୍କ ଅଭିଯୋଗକ୍ରମେ ତାଲସରା ଥାନା ମାମଲା ନଂ–୧୯୧, ତାରିଖ ୨୭.୦୬.୨୦୨୬ ରେ ବିଏନଏସ୍‌ର ଧାରା ୧୦୩(୧), ୭୪ ଓ ୧୧୫(୨) ଅନୁଯାୟୀ ମାମଲା ରୁଜୁ ହୋଇଛି। ପୋଲିସ କୁକୁରର ସହାୟତାରେ ଘଟଣାରେ ବ୍ୟବହୃତ ଅସ୍ତ୍ର ଜବତ କରାଯାଇଥିବା ବେଳେ ବୈଜ୍ଞାନିକ ଦଳ ଘଟଣାସ୍ଥଳ ପରିଦର୍ଶନ କରି ବିଭିନ୍ନ ପ୍ରମାଣ ସଂଗ୍ରହ କରିଛନ୍ତି। ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ଅଦାଲତକୁ ଚାଲାଣ କରିଥିବା ବେଳେ ଘଟଣାର ତଦନ୍ତ ଜାରି ରହିଛି।

Post a Comment

0 Comments
* Please Don't Spam Here. All the Comments are Reviewed by Admin.