ବେଲପାହାଡ଼ :
ଝାରସୁଗୁଡ଼ା ଜିଲ୍ଲାରେ ବେଆଇନ ମଦ କାରବାର ବିରୋଧରେ ପୁଲିସର କଡ଼ା ପଦକ୍ଷେପ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ବେଲପାହାଡ଼ ଥାନା ଅଧୀନ ମୋହନପୁର ଓ ଉଜାଲପୁର ଗ୍ରାମରେ ଗୁରୁବାର ଏକ ବଡ଼ ଧରଣର ଅବକାରୀ ଚଢ଼ଉ କରାଯାଇଥିଲା। ଏହି ସଂଯୁକ୍ତ ଚଢ଼ଉ କାର୍ଯ୍ୟକ୍ରମରେ ବେଲପାହାଡ଼ ଥାନା ଓ ଲଖନପୁର ଥାନା ପୁଲିସ ସହିତ ବ୍ରଜରାଜନଗର ପୁଲିସ ଓ ସଶସ୍ତ୍ର ବଳ ଅଂଶଗ୍ରହଣ କରିଥିଲେ। ଚଢ଼ଉ ସମୟରେ ଜଣେ ଏକ୍ସିକ୍ୟୁଟିଭ୍ ମ୍ୟାଜିଷ୍ଟ୍ରେଟ ଉପସ୍ଥିତ ଥିଲେ। ଚଢ଼ଉ ବେଳେ ବେଆଇନ ମହୁଲି ମଦ ପ୍ରସ୍ତୁତି ଓ ବିକ୍ରୟରେ ଲିପ୍ତ ଥିବା ୯ ଜଣଙ୍କୁ ପୁଲିସ ଗିରଫ କରିଥିବା ସୂଚନା ମିଳିଛି। ସେମାନଙ୍କ ନିକଟରୁ ୭୨୨ ଲିଟର ବେଆଇନ ମହୁଲି ମଦ, ୪୭ କ୍ୱିଣ୍ଟାଲ ମହୁଲ ଫୁଲ, ୧୦ କିଲୋ ୟୁରିଆ ସହ ମଦ ପ୍ରସ୍ତୁତିରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି। ଏହାସହ ପ୍ରାୟ ୧୨ କ୍ୱିଣ୍ଟାଲ ଫର୍ମେଣ୍ଟେଡ୍ ମହୁଲ ପୋଚକୁ ଘଟଣାସ୍ଥଳରେ ନଷ୍ଟ କରାଯାଇଥିବା ଜଣାପଡ଼ିଛି। ଘଟଣାକୁ ନେଇ ଓଡ଼ିଶା ଅବକାରୀ ଆଇନ ଓ ଭାରତୀୟ ନ୍ୟାୟ ସଂହିତା (BNS) ଅନୁସାରେ ୯ଟି ମାମଲା ରୁଜୁ କରାଯାଇଛି। ଗିରଫ ବ୍ୟକ୍ତିମାନଙ୍କର ପୂର୍ବ ଅପରାଧିକ ରେକର୍ଡ ଯାଞ୍ଚ ଚାଲିଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି। ଝାରସୁଗୁଡ଼ା ପୁଲିସ କହିଛି ଯେ, ବେଆଇନ ମଦ ପ୍ରସ୍ତୁତି ଓ ଚୋରା ଚାଲାଣ ବିରୋଧରେ ଆଗାମୀ ଦିନରେ ମଧ୍ୟ ଏଭଳି କଡ଼ା ଅଭିଯାନ ଜାରି ରହିବ। ଜନସ୍ୱାସ୍ଥ୍ୟ ସୁରକ୍ଷା ଓ ଆଇନ ଶୃଙ୍ଖଳା ରକ୍ଷା ପାଇଁ ପୁଲିସ ପ୍ରଶାସନ ପ୍ରତିବଦ୍ଧ ଥିବା କୁହାଯାଇଛି।

