ଚମ୍ପୁଆ :
ଚେକ୍ ବାଉନ୍ସ ମମଲାରେ ମାନ୍ୟବର ଜେ. ଏମ.ଏଫ.ସି ଚମ୍ପୁଆଙ୍କ ଅଦାଲତ ଦୋଷୀକୁ ୩ ମାସ କାରାଦଣ୍ଡ ସହିତ ଚେକ୍ ମୂଲ୍ୟର ବାର୍ଷିକ ୬ ପ୍ରତିଶତ ହାରରେ ସୁଧ ସହିତ ସମସ୍ତ ଟଙ୍କା ପରିଶୋଧ କରିବାକୁ ଆଦେଶ ଦେଇଛନ୍ତି। ସୂଚନା ଅନୁସାରେ ସିଜୁକଳା ଗ୍ରାମର ବିଜୟ କୁମାର ମହାନ୍ତ ନାମକ ଜଣେ ଟ୍ରକ୍ ମାଲିକ ତାଙ୍କର ଗୋଟିଏ ଟ୍ରକ କୁ ତାଙ୍କର ସମ୍ପର୍କୀୟ ଶଳା କୁ ୧୪ ଲକ୍ଷ ଟଙ୍କାରେ ବିକ୍ରି କରିଥିଲେ। ତାଙ୍କ ଶଳା ତାଙ୍କୁ ଟ୍ରକ ନେଲାବେଳେ କିଛି ଟଙ୍କା ଦେଇଥିବା ବେଳେ ବାକି ଟଙ୍କା କୁ ୬ ମାସ ମଧ୍ୟରେ ସୁଝି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏପରିକି ଶଳାଙ୍କ କହିବା ମୁତାବକ ବିଜୟ କୁମାର ମହାନ୍ତ ତାଙ୍କ ଟ୍ରକର ମାଲିକାନା ମଧ୍ୟ ତାଙ୍କ ଶଳାଙ୍କ ନାମରେ ଟ୍ରାନସଫର କରିଦେଇଥିଲେ। ଇତି ମଧ୍ୟରେ ଟ୍ରକ ମୂଲ୍ୟରୁ ୧୧ ଲକ୍ଷ ୬୦ ହଜାର ଟଙ୍କା ଶୁଝିବା ପରେ ବିଜୟଙ୍କ ଶଳା ଆଜି ଦେବି କାଲି ଦେବି ବୋଲି କହି ବାକି ଟଙ୍କା ଦେବାର ନାଁ ଧରୁ ନ ଥିଲେ। ଏପରି ଭାବରେ ୨ ବର୍ଷ ବିତିଯିବା ପରେ ବାରମ୍ବାର ଫୋନ କରିବା ଓ ତାଙ୍କ ଘରକୁ ଯିବା ପରେ ଶେଷରେ ବିଜୟଙ୍କ ଶଳା ବାକି ଥିବା ୨ ଲକ୍ଷ ୪୦ ହଜାର ଟଙ୍କା ପାଇଁ ଏକ ଚେକ୍ ଦେଇଥିଲେ। ଯେଉଁ ଚେକ୍ କୁ ବିଜୟ ତାଙ୍କ ବ୍ୟାଙ୍କ୍ ଅଫ ଇଣ୍ଡିଆ ରିମୁଳି ଶାଖା ରେ ଥିବା ଆକାଉଣ୍ଟ ରେ ଜମା କରିଥିଲେ। ଉକ୍ତ ଚେକ୍ ରିମୁଳି ବ୍ୟାଙ୍କ୍ ଅଫ ଇଣ୍ଡିଆ ଶାଖା ପକ୍ଷରୁ ଚେକ୍ ପରିଶୋଧ କରିବା ପାଇଁ ତାଙ୍କ ଶଳାଙ୍କ ଖାତାରେ ଟଙ୍କା ନ ଥିବା ଦର୍ଶାଇ ଫେରାଇ ଦିଆ ଯାଇଥିଲା। ବିଜୟ ଏହା ପରେ ତାଙ୍କ ଶଳାକୁ ଯେତେ ଫୋନ କଲେ ମଧ୍ୟ ସେ ଆଉ ଫୋନ ଉଠାଇ ନ ଥିଲେ। ଅନୋନ୍ୟପାୟ ହୋଇ ବିଜୟ ଚମ୍ପୁଆ କୋର୍ଟର ଓକିଲ ସୁଶାନ୍ତ କୁମାର ସେଠୀଙ୍କ ପରାମର୍ଶ ନେଇଥିଲେ। ଓକିଲଙ୍କ ପରାମର୍ଶ ଅନୁସାରେ ବିଜୟ ତାଙ୍କ ଶଳାଙ୍କୁ ବାକି ଟଙ୍କା ଦେବା ପାଇଁ ଓକିଲ ନୋଟିସ ପଠାଇଥିଲେ। ବିଜୟଙ୍କ ଶଳା ଓକିଲ ନୋଟିସ ପାଇଥିଲେ ମଧ୍ୟ ବାକି ଟଙ୍କା ଦେଇ ନ ଥିଲେ କିମ୍ବା ଓକିଲ ନୋଟିସର ଉତ୍ତର ମଧ୍ୟ ଦେଇ ନ ଥିଲେ। ଏହା ପରେ ବିଜୟ ଉକ୍ତ ଚେକ୍ ଟଙ୍କା ପାଇବା ପାଇଁ ମାନ୍ୟବର ଜେ.ଏମ.ଏଫ.ସି ଚମ୍ପୁଆଙ୍କ ଅଦାଲତରେ ଏକ ମୋକଦ୍ଦମା ଦାୟର କରିଥିଲେ। ଉକ୍ତ ମୋକଦ୍ଦମାର ଶୁଣାଣି କରି ମାନ୍ୟବର ଜେ.ଏମ.ଏଫ.ସି ଚମ୍ପୁଆ, ମିସ୍ ସସ୍ମିତା ମିଶ୍ର ଅଭିଯୁକ୍ତକୁ ୩ ମାସ ଜେଲ ସହିତ ଚେକ୍ ମୂଲ୍ୟର ବାର୍ଷିକ ୬ ପ୍ରତିଶତ ହାରରେ ସୁଧ ସହିତ ସର୍ବମୋଟ ୨ ଲକ୍ଷ ୬୮ ହଜାର ୮ ଶହ ଟଙ୍କା ଦେବାକୁ ତାଙ୍କ ରାୟ ରେ ପ୍ରକାଶ କରିଛନ୍ତି। ବିଜୟଙ୍କ ତରଫରୁ ଉକ୍ତ ମୋକଦ୍ଦମାକୁ ବରିଷ୍ଠ ଓକିଲ ଦେବଦାସ ଗିରି ଓ ସୁଶାନ୍ତ କୁମାର ସେଠୀ ପରିଚାଳନା କରୁଥିଲେ।

