ଭୁବନେଶ୍ୱର :
ରାଜଧାନୀର ସୁରକ୍ଷା ବ୍ୟବସ୍ଥାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ୟୁନିଟ୍-୬ ଅଞ୍ଚଳରୁ ଜଣେ ସନ୍ଦିଗ୍ଧ ଆତଙ୍କବାଦୀକୁ ଗିରଫ କରିଛି ଦିଲ୍ଲୀ ସ୍ପେଶାଲ ବ୍ରାଞ୍ଚ। ଗିରଫ ପରେ ଅଭିଯୁକ୍ତକୁ ସ୍ଥାନୀୟ ଏସ୍ଡିଜେଏମ୍ କୋର୍ଟରେ ହାଜର କରାଯାଇ ଟ୍ରାଞ୍ଜିଟ୍ ରିମାଣ୍ଡରେ ନେଇଯାଇଛି।
ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ, ଗିରଫ ଯୁବକ ଗତ କିଛି ମାସ ଧରି ୟୁନିଟ୍-୬ ଅଞ୍ଚଳରେ ଭଡା ଘରେ ରହୁଥିଲେ। ସେ ବିଭିନ୍ନ ସୋସିଆଲ୍ ମିଡିଆ ମାଧ୍ୟମରେ ଦେଶଦ୍ରୋହମୂଳକ ସ୍ଲୋଗାନ ପୋଷ୍ଟ କରୁଥିବା ଅଭିଯୋଗ ରହିଛି। ଏହା ସହିତ ସନ୍ଦିଗ୍ଧ ଆର୍ଥିକ ଲେନଦେନ ମଧ୍ୟ ତଦନ୍ତରେ ସାମ୍ନାକୁ ଆସିଛି, ଯାହାର ମୂଳ ସୂତ୍ର ଖୋଜାଯାଉଛି।
ଘଟଣା ପରେ କମିଶନରେଟ୍ ପୁଲିସ୍ ଅଧିକ ସତର୍କ ହୋଇପଡ଼ିଛି ଏବଂ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡା କରାଯାଇଛି। ଦିଲ୍ଲୀ ପୁଲିସ୍ ଏହି ଯୁବକଙ୍କ ସମ୍ପର୍କ, ଉଦ୍ଦେଶ୍ୟ ଓ ସଂଗଠନୀୟ ଯୋଗାଯୋଗ ବିଷୟରେ ଖୋଲତାଡ଼ ଜାରି ରଖିଛି।

