Type Here to Get Search Results !

ଦିଲୀପଙ୍କ ଭବ୍ୟ ସ୍ୱାଗତ, ଝାରସୁଗୁଡାରେ ନୂଆ ରାଜନୈତିକ ସମୀକରଣର ସଙ୍କେତ

 

ଝାରସୁଗୁଡା:
ରାଜ୍ୟସଭା ନିର୍ବାଚନରେ ବିଜୟ ଲାଭ ପରେ ବିଜେପିର ପ୍ରମୁଖ ନେତା ଦିଲୀପ ରାୟଙ୍କୁ ଝାରସୁଗୁଡାରେ ମିଳିଥିବା ଭବ୍ୟ ସ୍ୱାଗତ କେବଳ ଏକ ସାଧାରଣ ସମ୍ବର୍ଦ୍ଧନା ନୁହେଁ, ବରଂ ଏହା ଜିଲ୍ଲାର ରାଜନୈତିକ ପରିବେଶରେ ନୂଆ ସମୀକରଣର ସଙ୍କେତ ଦେଉଛି। ବନ୍ଦେ ଭାରତ ଏକ୍ସପ୍ରେସ ଯୋଗେ ଭୁବନେଶ୍ୱରରୁ ଆସି ଝାରସୁଗୁଡା ରେଳବାଇ ଷ୍ଟେସନରେ ପହଞ୍ଚିବା ସହିତ ବିଜେପି କର୍ମୀ ଓ ସମର୍ଥକମାନେ ଦିଲୀପଙ୍କୁ ଉତ୍ସାହର ସହ ଅଭିନନ୍ଦନ କରିଥିଲେ।

ଜିଲ୍ଲା ସଭାପତି ରଘୁ ନନ୍ଦନ ପଣ୍ଡାଙ୍କ ନେତୃତ୍ୱରେ ଏହି ସ୍ୱାଗତ କାର୍ଯ୍ୟକ୍ରମ ହୋଇଥିବା ବେଳେ, ଦିଲୀପଙ୍କୁ ଏକ ଖୋଲା ଜିପରେ ସହର ମଧ୍ୟରେ ପରିକ୍ରମା କରାଯାଇଥିଲା। ଏହି ରାଲି ମାଧ୍ୟମରେ ଦଳୀୟ ଶକ୍ତି ପ୍ରଦର୍ଶନ ସ୍ପଷ୍ଟ ଭାବରେ ଦେଖାଯାଇଥିଲା। ପରେ ସେ ତାଙ୍କର ମାଲିକାନାରେ ଥିବା ‘ମେ ଫେୟାର’ ହୋଟେଲରେ ବିଶ୍ରାମ ନେଇ ଆସନ୍ତାକାଲି ରାଉରକେଲା ଯିବେ ବୋଲି ସୂଚନା ମିଳିଛି।

ସମ୍ବର୍ଦ୍ଧନାର ଉତ୍ତରରେ ଦିଲୀପ ରାୟ ଝାରସୁଗୁଡାବାସୀଙ୍କୁ ଧନ୍ୟବାଦ ଜଣାଇ ଓଡିଶାର ସମଗ୍ର ଉନ୍ନତି ପାଇଁ ଆଗାମୀ ଦିନରେ ବିଭିନ୍ନ ପରିକଳ୍ପନା କାର୍ଯ୍ୟରତ କରିବେ ବୋଲି କହିଥିଲେ। ତେବେ ଏହି ଉତ୍ସବମୂଖର ପରିବେଶ ମଧ୍ୟରେ କିଛି ଅନୁପସ୍ଥିତି ମଧ୍ୟ ରାଜନୈତିକ ଚର୍ଚ୍ଚାକୁ ଉଦ୍ଭବ କରାଇଛି। ଝାରସୁଗୁଡାର ନିର୍ବାଚିତ ଜନପ୍ରତିନିଧିମାନଙ୍କ ଅନୁପସ୍ଥିତି ଏହି କାର୍ଯ୍ୟକ୍ରମକୁ ଆଲୋଚନାର କେନ୍ଦ୍ରବିନ୍ଦୁ କରିଛି।

ଅନ୍ୟପଟେ ବିଜେପି ନେତା ଅଜୟ ପଟେଲଙ୍କ ସକ୍ରିୟ ଭୂମିକା ଏହି ସ୍ୱାଗତକୁ ଆହୁରି ରାଜନୈତିକ ଗୁରୁତ୍ୱ ଦେଇଛି। ବର୍ତ୍ତମାନ ସୁନ୍ଦରଗଡ ରାଜନୀତିରେ ସକ୍ରିୟ ଥିବା ସତ୍ତ୍ୱେ, ଝାରସୁଗୁଡାରେ ତାଙ୍କର ଏହି ଚଳଚଳାହଟ ଏକ ନୂଆ ରାଜନୈତିକ ଆକାଂକ୍ଷାକୁ ସୂଚିତ କରୁଛି। ତାଙ୍କ ପତ୍ନୀ କୁସୁମ ଟେଟେଙ୍କ ପୂର୍ବ ନିର୍ବାଚନୀ ପ୍ରତିଦ୍ବନ୍ଦିତା ଓ ପୂର୍ବରୁ ସ୍ୱର୍ଗତ ନବ ଦାସଙ୍କ ସହ ତାଙ୍କର ନିକଟ ସମ୍ପର୍କ ଏହି ଚର୍ଚ୍ଚାକୁ ଆହୁରି ଗଭୀର କରିଛି।

ଏପରି ପରିସ୍ଥିତିରେ ପ୍ରଶ୍ନ ଉଠୁଛି—ଦିଲୀପ ରାୟ ଓ ଅଜୟ ପଟେଲଙ୍କ ସମ୍ମିଳିତ ପଦକ୍ଷେପ ଝାରସୁଗୁଡାରେ କୌଣସି ନୂଆ ରାଜନୈତିକ ସମୀକରଣ ସୃଷ୍ଟି କରିବ କି? ଆସନ୍ତା ଦିନରେ ଏହାର ସ୍ପଷ୍ଟ ଚିତ୍ର ପ୍ରକାଶ ପାଇବ ବୋଲି ରାଜନୈତିକ ମହଳ ଅପେକ୍ଷାରେ ରହିଛି।

Post a Comment

0 Comments
* Please Don't Spam Here. All the Comments are Reviewed by Admin.