କିର୍ମିରା :-
ଜନସାଧାରଣଙ୍କ ସମସ୍ୟାର ସମାଧାନ ଏବଂ ପ୍ରଶାସନିକ ସେବାକୁ ଲୋକଙ୍କ ପାଖରେ ପହଞ୍ଚାଇବା ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ କିର୍ମିରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଏକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ବିଶ୍ଵ ରଞ୍ଜନ ନାୟକ, ଉପଜିଲ୍ଲାପାଳ ଶ୍ରୀ ସବ୍ୟସାଚୀ ପଣ୍ଡା ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ପଦାଧିକାରୀମାନେ ଯୋଗଦେଇ ଲୋକଙ୍କ ଆପତ୍ତି ଓ ଅଭିଯୋଗର ଶୁଣାଣି କରିଥିଲେ। ଏହି ଶିବିରରେ ମୋଟ ୨୪ଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ସେଥିମଧ୍ୟରୁ ୧୬ଟି ବ୍ୟକ୍ତିଗତ ଏବଂ ୮ଟି ସାମୂହିକ ସମସ୍ୟା ରହିଥିଲା। ଶିବିର ଅବସରରେ ଜଣେ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ୨୦,୦୦୦ ଟଙ୍କାର ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଇଥିଲା।
ଶିବିରରେ ବାନ୍ଧପାଲି ଗ୍ରାମର RAD ୨୦୨୪-୨୫ ଯୋଜନାରେ ହିତାଧିକାରୀ ଉଚିତ ପ୍ରାପ୍ୟ ପାଇନଥିବା ଏବଂ ୨୦୨୪ ମସିହାର ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶି ନ ମିଳିବା ନେଇ ଚାଷୀମାନେ ଅଭିଯୋଗ କରିଥିଲେ। ସେହିଭଳି କିର୍ମିରା ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନୁଦାନ ଅର୍ଥର ବିନିଯୋଗରେ ହୋଇଥିବା ଅନିୟମିତତା ଏବଂ ବାଲାଜୀ କମ୍ପାନୀ ଦ୍ୱାରା ଶ୍ରମିକମାନଙ୍କୁ ପ୍ରାପ୍ୟ ପାରିଶ୍ରମିକ ନ ଦେବା ଭଳି ଗମ୍ଭୀର ବିଷୟ ଉପରେ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।
ଧୂବେନବୁଡି ଗ୍ରାମରେ ଥିବା ରାଧାକୃଷ୍ଣ ମନ୍ଦିର ପରିସରରେ ଅସ୍ଥାୟୀ ବାଡ ଦେଇ ବେଆଇନ ଘର ନିର୍ମାଣ ଏବଂ କିର୍ମିରା ଶିବ ମନ୍ଦିରରେ ବିଦ୍ୟୁତ ସଂଯୋଗ ଭଳି ବିଭିନ୍ନ ପ୍ରସ୍ତାବ ଉପରେ ପ୍ରଶାସନ ତରଫରୁ ଶୁଣାଣି କରାଯାଇଅଛି। ସମସ୍ତ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଆୟୋଜିତ ଏହି ଶିବିର ଜରିଆରେ ସାଧାରଣ ଜନତା ସେମାନଙ୍କର ସମସ୍ୟାଗୁଡ଼ିକୁ ସିଧାସଳଖ ଜିଲ୍ଲାପାଳଙ୍କ ନିକଟରେ ଉପସ୍ଥାପନ କରିଥିଲେ।


